ସୁନ୍ଦର କାରୁକାର୍ଯ୍ୟ ଭରା ଶୈବ ପୀଠ ଘ୍ରିଷଣେଶ୍ବର ମନ୍ଦିର

0

ଭଗବାନ ଶିବଙ୍କର ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଗୋଟିଏ ହେଉଛି ଘ୍ରିଷଣେଶ୍ବର ମନ୍ଦିର। ଏହା ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ସହରର ଦୌଲତାବାଦ ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ। ସହରର କୋଳାହଳ ଠାରୁ ଦୂରରେ ଥିବାରୁ ମନ୍ଦିରର ପରିବେଶ ବହୁତ ଶାନ୍ତ ଅଟେ। ଶାସ୍ତ୍ରରେ ମାନ୍ୟତା ରହିଛି ଯେ ଏହି ମନ୍ଦିରରେ ଦର୍ଶନ କଲେ ସମସ୍ତ ପ୍ରକାରର ରୋଗ, ଦୁଃଖ ଦୂର ହୋଇଥାଏ। ଏପରି କି ନିଃସନ୍ତାନକୁ ମଧ୍ୟ ସନ୍ତାନ ମିଳିଥାଏ।
ମନ୍ଦିରର ନିର୍ମାଣ –
ମନ୍ଦିରର କାନ୍ଥରେ ବହୁ ଦେବାଦେବୀଙ୍କର ମୂର୍ତ୍ତି ଖୋଦିତ ହୋଇ ରହିଛି। ପଥରରେ ନିର୍ମିତ ଖୁମ୍ବରେ ମଧ୍ୟ ବହୁ ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଛି। ଯାହା ଅତ୍ୟନ୍ତ ମନୋରମ ଅଟେ। ମନ୍ଦିରର ଗର୍ଭଗୃହରେ ୧୭ ଫୁଟ ଓସାର ଓ ୧୭ ଫୁଟ୍‌ ଲମ୍ବ ବିଶିଷ୍ଟ ସ୍ଥାନରେ ଏକ ବଡ଼  ଶିବଲିଙ୍ଗ ସ୍ଥାପିତ ହୋଇଛି, ଏହା ପୂର୍ବାଭିମୁଖୀ ଅଟେ। ନନ୍ଦିକେଶ୍ୱରଙ୍କ ଭବ୍ୟ ମୂର୍ତ୍ତି ସଭାମଣ୍ଡପରେ ସ୍ଥାପିତ ହୋଇଛି। ସଭାମଣ୍ଡପ ତୁଳନାରେ ଗର୍ଭଗୃହ ଅଳ୍ପ ତଳେ ରହିଛି। ଗର୍ଭଗୃହର ଚଉକାଠରେ ଓ ମନ୍ଦିରର ବହୁ ସ୍ଥାନରେ ପଶୁପକ୍ଷୀ, ଜୀବଜନ୍ତୁ, ମନୁଷ୍ୟ ଆଦିଙ୍କର ଚିତ୍ର ଖୋଦିତ ହୋଇରହିଛି।
ଏହି ମନ୍ଦିରର ଆଉ ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଯେ ଏଠାରେ  ‘ଲକ୍ଷବିନାୟକ’ ନାମରେ ଏକ ପ୍ରସିଦ୍ଧ ମନ୍ଦିର ରହିଛି। ଦେଶର ୨୧ଟି ଗଣେଶ ପୀଠ ମାନଙ୍କରୁ ଏହା ଅନ୍ୟତମ। ପୌରାଣିକ ଓ ବାସ୍ତୁ ଦୃଷ୍ଟିରୁ ଏହି ମନ୍ଦିରର ଗୁରୁତ୍ୱତା ରହିଛି। ମନ୍ଦିରରେ ଅଭିଷେକ ଓ ମହାଭିଷେକ ମଧ୍ୟ ହୋଇଥାଏ। ସୋମବାର, ପ୍ରଦୋଷ, ଶିବରାତ୍ରି ଆଦି ବିଭିନ୍ନ ପର୍ବପର୍ବାଣୀ ସମୟରେ ଏଠାରେ ବହୁ ଜାକଜକମରେ ଉତ୍ସବ ପାଳନ କରାଯାଇଥାଏ ଓ ମେଳା ମଧ୍ୟ ହୋଇଥାଏ। ଏହି ସମୟରେ ଭକ୍ତମାନଙ୍କ ସମେତ ପର୍ଯ୍ୟଟକଙ୍କର ମଧ୍ୟ ବେଶ ଭିଡ଼ ଜମିଥାଏ।
ଦର୍ଶନ ସମୟ –
ମନ୍ଦିର ସକାଳ ୫:୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହିଥାଏ। ଶ୍ରାବଣ ମାସରେ ଭୋର ୩ଟାରୁ ରାତି ୧୧ଟା ଯାଏଁ ଖୋଲା ରହେ। ମୁଖ୍ୟ ତ୍ରିକାଳ ପୂଜା ତଥା ଆରତି ସକାଳ ୬ଟା ଓ ରାତି ୮ଟାରେ ହୋଇଥାଏ। ମନ୍ଦିର ଭିତରକୁ ଦର୍ଶନ ସମୟରେ କୌଣସି ଚମଡ଼ା ଜାତୀୟ ଦ୍ରବ୍ୟ, ପର୍ସ, ବେଲ୍ଟ ଆଦି ନେବାକୁ ଅନୁମତି ନାହିଁ।

ଗମନାଗମନ ନିମନ୍ତେ- ଘ୍ରିଷଣେଶ୍ୱର ମନ୍ଦିର ଔରଙ୍ଗାବାଦ୍‌ ଠାରୁ ୩୫ କିଲୋମିଟର ଓ ମୁମ୍ବାଇ ଠାରୁ ୪୨୨ କି.ମି, ପୁନେ ଠାରୁ ୨୫୦ କି.ମି ଦୂରରେ ଅବସ୍ଥିତ। ଔରଙ୍ଗାବାଦ୍‌ ଠାରୁ ଏହି ମନ୍ଦିରରେ ପହଞ୍ଚିବା ନିମନ୍ତେ ୪୫ମିନିଟ ସମୟ ଲାଗିଥାଏ। ରାସ୍ତାରେ ଯିବା ସମୟରେ ପ୍ରକୃତିର ବହୁ ସୁନ୍ଦର ରୂପ ଦେଖିବାକୁ ମିଳିଥାଏ। ଉଚ୍ଚଉଚ୍ଚ ପାହାଡ଼ ,ଗଛଲତା ଆଦି ଦେଖାଯାଏ। ଟ୍ରେନର ଗଲେ ଔରଙ୍ଗାବାଦ୍‌ ଷ୍ଟେସନରେ ଓହ୍ଲାଇ ସେଠାରୁ ବସ ଅଥବା ଟ୍ୟାକ୍ସି, ଅନ୍ୟାନ୍ୟ ଘରୋଇ ଯାନରେ ମଧ୍ୟ ଯାଇପାରିବେ।

Leave A Reply