୩୦ଟି ଜିଲାରେ ହେବ ଲୋକକଳା ଗ୍ରାମ

0

ଭୁବନେଶ୍ୱର : ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ପ୍ରସିଦ୍ଧ ଭୂମି। ଭାଷା ଓ ସଂସ୍କୃତି ହେଉଛି ଆମ ଜାତିର ଶ୍ରେଷ୍ଠ ପରିଚୟ ଏବଂ ଏହା ହେଉଛି ଆମର ସ୍ୱାଭିମାନର ପ୍ରତୀକ। କଳା ହେଉଛି ଏ ଜାତିର ଆତ୍ମା। ସେଥିପାଇଁ କଳାର ଦେଶ ଉତ୍କଳ ଆଜି ପ୍ରସିଦ୍ଧ। ନୃତ୍ୟ, ସଙ୍ଗୀତ, ନାଟକ ରାଜ୍ୟକୁ ବିଶ୍ୱରେ ଦେଇଛି ସ୍ୱତନ୍ତ୍ର ପରିଚୟ। ଲୋକକଳା, ଲୋକନୃତ୍ୟ ଓ ଲୋକ ସଙ୍ଗୀତ ଆମର ସମୃଦ୍ଧ ଇତିହାସ, ପରମ୍ପରା ଓ ଜୀବନଧାରାକୁ ସଫଳ ଭାବେ ପ୍ରଦର୍ଶିତ କରିଥାଏ। ଏହା ଆମର ସାମାଜିକ ଜୀବନକୁ ସରସ ଓ ସୁନ୍ଦର କରିଥାଏ। ଜନସାଧାରଣଙ୍କ ପାଖରେ ପହଞ୍ଚିବା ପାଇଁ ଲୋକକଳା ହେଉଛି ବଳିଷ୍ଠ ମାଧ୍ୟମ। ଲୋକକଳା ମାଧ୍ୟମରେ ଆମେ ସଫଳତାର ସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିପାରୁଛୁ। ଗାଁ ଗାଁରେ ଗଠିତ ହୋଇଥିବା ଆମର କଳାକାର ସଂଘ ଏ ଦିଗରେ ବହୁତ ଭଲ କାମ କରୁଛନ୍ତି। ରାଜ୍ୟର ୩୦ଟି ଜିଲାରେ ହେବ ଲୋକକଳା ଗ୍ରାମ। ଏକାଧିକ ଲୋକନୃତ୍ୟ ଓ ଲୋକସଙ୍ଗୀତ ପରିବେଷଣ କରୁଥିବା କଳାକାର ରହୁଥିବା ଗ୍ରାମଗୁଡ଼ିକୁ ପ୍ରାଥମିକତା ଦିଆଯିବ। ଲୋକକଳା ଗ୍ରାମଗୁଡ଼ିକର ଭିତ୍ତିଭୂମି ବିକାଶ ସାଙ୍ଗକୁ ଗମନାଗମନ ସୁବିଧା କରାଯିବ ବୋଲି ଓଡ଼ିଆ, ସାହିତ୍ୟ ଓ ସଂସ୍କୃତି ବିଭାଗ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି।
ଉତ୍କଳ ମଣ୍ଡପଠାରେ ରାଜ୍ୟସ୍ତରୀୟ ନବମ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ୨୦୧୯ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଲୋକକଳାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନେକ କଷ୍ଟ ଓ ସାଧନା ଦ୍ୱାରା ଆମର କଳାକାରମାନେ ଲୋକକଳାକୁ ବଞ୍ଚାଇ ରଖିଛନ୍ତି ଓ ସେମାନଙ୍କ ପାଇଁ ଓଡ଼ିଆ ଜାତି ଗର୍ବିତ। ସରକାରଙ୍କ ପକ୍ଷରୁ ଜିଲା କଳାକାର ସଂଘକୁ ୫ଲକ୍ଷ ଟଙ୍କା, ନଗର କଳା ସଂସ୍କୃତି ସଂଘକୁ ୩ଲକ୍ଷ ଟଙ୍କା ଏବଂ ବ୍ଲକ କଳା ସଂସ୍କୃତି ସଂଘକୁ ୨ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଜାନୁଆରୀ ମାସରୁ ‘ଆମ ଲୋକକଳା, ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରତି ମାସରେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ, ସାହିତ୍ୟ ଓ ସଂସ୍କୃତି ବିଭାଗ ବିଜୟ କୁମାର ନାୟକ, ଲିପ୍‌ସା ଦାସ, ବାସୁଦେବ ମାଲ୍‌ବିଶୋଈ, ସଂଘମିତ୍ରା ଶତପଥୀ, ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ଉଦ୍‌ଘାଟନ ଉତ୍ସବରେ ପ୍ରଥମେ ମଞ୍ଚ ପ୍ରବେଶ କରିଥିଲେ ସୁବର୍ଣ୍ଣପୂର ଜିଲାର କଳାକାର। ସେମାନେ ଦୁଲ୍‌ଦୁଲି ବାଜା ପରିବେଷଣ କରିଥିଲେ। ଏହାପରେ ମୟୂରଭଞ୍ଜର ଛଉ ନୃତ୍ୟ, ନୟାଗଡ଼ର ସିଂହବାଦ୍ୟ, ମାଲକାନଗିରିର କୋୟାନୃତ୍ୟ, ଅନୁଗୋଳର ଘଣ୍ଟବାଦ୍ୟ, ବରଗଡ଼ର କରମାସାନୀ, କନ୍ଧମାଳର କୁଇନୃତ୍ୟ, ରାୟଗଡ଼ା ଲାଞ୍ଜିଆ ସୌରାନ୍, ଝାରସୁଗୁଡ଼ା ବୁଟ୍‌କୁଚୁଟା ଓ ଗଜପତିର ବୀରବାଦ୍ୟ ପରିବେଷିତ ହୋଇଥିଲା।
ଫେୃଆରୀ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ରାଜ୍ୟର ୩୦ଟି ଜିଲାର ପ୍ରାୟ ୩୦୦୦ ଲୋକକଳା କଳାକାର ଏବଂ ୩୦ଟି ବଛା ବଛା ଲୋକକଳା ଦଳ ଅଂଶଗ୍ରହଣ କରିଛନ୍ତି। ଉଦ୍‌ଯାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଓ ଓଡ଼ିଆ, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାଜ୍ୟରେ ଲୋକକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩ଟି ଜିଲାର ଜିଲାପାଳ, ୨ଟି ନଗର କଳା ସଂସ୍କୃତି ସଂଘ ଓ ୨ଟି ସରକାରୀ ବିଭାଗକୁ ସମ୍ବର୍ଦ୍ଧିତ କରାଯିବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସାର ଓ ପ୍ରଚାର ପାଇଁ ଲୋକକଳା ଦିବସ ଘୋଷଣା କରାଯିବ ବୋଲି ଓଡ଼ିଆ, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply