ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ

0

କଟକ : କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସୂତାହାଟ ନିୟୁ କଲୋନୀ ଓ ହରିଜନ ସାହିର ୨ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରବିବାର ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି। କାଚବୋତଲ ଓ ଢେଲା ମାଡରେ ଉକ୍ତ ଅଞ୍ଚଳ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା।ସଂଘର୍ଷରେ ଉଭୟ ପକ୍ଷରୁ ୪ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ରବିବାର ରାତିରେ ନିୟୁ କଲୋନୀ ଓ ହରିଜନ ସାହିର କେତେକ ଯୁବକଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବଚସା ହୋଇଥିଲା। ଏହାକୁ ନେଇ ଦୁଇଗୋଷ୍ଠୀର ଯୁବକ ହାତାହାତି ହୋଇଥିଲେ।ଦୁଇଗୋଷ୍ଠୀର ଯୁବକମାନେ ସେମାନଙ୍କ ସାହିର ଅନ୍ୟ ଯୁବକଙ୍କୁ କହିଥିଲେ। ଉଭୟ ଗୋଷ୍ଠୀ ସଂଗଠିତ ହୋଇ ପରସ୍ପରକୁ ଆକ୍ରମଣ କରିବା ସହ ପରସ୍ପର ଉପରକୁ ଢେଲାପଥର ଓ କାଚ ବୋତଲ ମାଡ କରିଥିଲେ। ଏହାକୁ ନେଇ ନିୟୁ କଲୋନୀ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। କ୍ୟାଣ୍ଟନମେଣ୍ଟ ପୁଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ସୁଧାରିଥିଲେ ସୁଦ୍ଧା ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଉଭୟ ସାହିର ଛକରେ ପୁଲିସ ମୁତୟନ ହୋଇଛନ୍ତି। ଘଟଣା ଉପରେ ନଜର ରଖାଯାଇଥିବା ଆଇଆଇସି ରାମେଶ ମାହାନା କହିଛନ୍ତି। ପ୍ରକାଶ ଥାଉକି, ଦୁଇ ଦିନ ତଳେ ପିଠାପୁର ନୂଆସାହି ଓ ଝୋଲାସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୮ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ।

Leave A Reply