ପୃଥ୍ୱୀ ସ’ ଓ ହନୁମା ବିହାରୀ ସାମିଲ

0

ମୁମ୍ବଇ : ଘରୋଇ ଇଂଲଣ୍ଡ ବିପକ୍ଷ ଶେଷ ୨ଟି ଟେଷ୍ଟମ୍ୟାଚ୍‍ ପାଇଁ ଭାରତୀୟ ଦଳରେ ୨ଟି ପରିବର୍ତ୍ତନ କରାଯାଇଛି। ଦଳରୁ ଓପ୍‍ନିଂ ବ୍ୟାଟ୍‍ସମ୍ୟାନ୍‍ ମୁରଲୀ ବିଜୟ ଓ ବାମହାତି ଚାଇନାମ୍ୟାନ୍‍ ସ୍ପିନର କୁଲଦୀପ ଯାଦବଙ୍କୁ ବାଦ୍‍ ଦିଆଯାଇଛି। ସେମାନଙ୍କ ସ୍ଥାନରେ ମୁମ୍ବଇର ୧୯ ବର୍ଷ ବୟସ୍କ ଓପ୍‍ନର ପୃଥ୍ୱୀ ସ’ ଓ ହାଇଦରାବାଦର ବ୍ୟାଟ୍‍ସମ୍ୟାନ୍‍ ହନୁମା ବିହାରୀଙ୍କୁ ସାମିଲ କରାଯାଇଛି।
ବିଜୟଙ୍କ ଖରାପ ଫର୍ମ ଯୋଗୁଁ ତାଙ୍କୁ ଦଳରୁ ବାଦ୍‍ ଦିଆଯାଇଛି। ଗତ ୧୧ଟି ଟେଷ୍ଟ ଇନିଂସରେ ବିଜୟ ଦୁଇଅଙ୍କ ସ୍କୋର୍‍ କରି ପାରିନାହାନ୍ତି। ଫଳରେ ୩୪ ବର୍ଷ ବୟସ୍କ ବିଜୟଙ୍କ ଟେଷ୍ଟ ଜୀବନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏଣେ ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟ୍‍ରେ ମୁମ୍ବଇର ପୃଥ୍ୱୀ ସ’ ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୧୯ ବର୍ଷରୁ କମ୍‍ ବିଶ୍ୱକପ୍‍ ଜିତିଥିବା ବେଳେ ୧୪ଟି ପ୍ରଥମଶ୍ରେଣୀ ମ୍ୟାଚ୍‍ରୁ ୭ଟି ଶତକ ଓ ୫ଟି ଅର୍ଦ୍ଧଶତକ ସହ ୧୪୧୮ ରନ୍‍ କରିଛନ୍ତି। ଚଳିତବର୍ଷ ଭାରତ ‘ଏ’ ପାଇଁ ପୃଥ୍ୱୀ ସ’ ୪ଟି ଶତକ ମାରିଛନ୍ତି। ଜୁନ୍‍ରେ ଇଂଲଣ୍ଡରେ ଲିସ୍‍ଷ୍ଟରସାୟାର ବିପକ୍ଷରେ ପୃଥ୍ୱୀ ୧୩୪ ରନ୍‍ କରିଥିଲେ। ତାଙ୍କୁ ଭବିଷ୍ୟତର ତାରକା ଭାବେ ଗଣନା କରାଯାଉଛି। ଏଣେ ଇଂଲଣ୍ଡର ବାତାବରଣ ସ୍ପିନ୍‍ ବୋଲିଂକୁ ସୁହାଉ ନଥିବାରୁ ଏବଂ ଦଳରେ ୨ ଅଭିଜ୍ଞ ସ୍ପିନର ଥିବାରୁ କୁଲଦୀପଙ୍କୁ ସ୍ୱଦେଶ ପଠାଇ ବିଶାଖାପାଟଣାରେ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଭାରତ ‘ଏ’ ପାଇଁ ଖେଳିବାକୁ କୁହାଯାଇଛି। ୨୪ ବର୍ଷ ବୟସ୍କ ହାଇଦରାବାଦର ହନୁମା ବିହାରୀ ଘରୋଇ କ୍ରିକେଟରେ ନିୟମିତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ଅଦ୍ୟାବଧି ୬୩ଟି ପ୍ରଥମଶ୍ରେଣୀ ମ୍ୟାଚ୍‍ରୁ ହନୁମା ୫୯.୭୯ ଆଭ୍‍ରେଜ୍‍ରେ ସ୍କୋର୍‍ କରିଛନ୍ତି। ଏବେ ଘରୋଇ କ୍ରିକେଟ୍‍ ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ଏହା ସର୍ବାଧିକ ଆଭ୍‍ରେଜ୍‍। ହନୁମା ୬୩ଟି ପ୍ରଥମଶ୍ରେଣୀ ମ୍ୟାଚ୍‍ରୁ ୧୫ଟି ଶତକ ଓ ୨୪ଟି ଅର୍ଦ୍ଧଶତକ ସହ ୫୧୪୨ ରନ୍‍ କରିଛନ୍ତି। ଚଳିତମାସ ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ହନୁମା ଶତକ ମାରିଥିଲେ। ସେ ମଧ ଉପଯୋଗୀ ଅଫ୍‍ସ୍ପିନ୍‍ ବୋଲିଂ କରିପାରନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଭୁବନେଶ୍ୱର କୁମାରଙ୍କୁ ଦଳରେ ସାମିଲ କରା ଯାଇନାହିଁ। ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ ଅଗଷ୍ଟ ୩୦ରୁ ଏବଂ ୫ମ ଟେଷ୍ଟ ସେପ୍ଟେମ୍ବର ୭ରୁ ଖେଳାଯିବ।
ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, କେ.ଏଲ୍‍. ରାହୁଲ, ପୃଥ୍ୱୀ ସ’, ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ଋଷଭ ପନ୍ତ୍‍ (ୱିକେଟ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଆର୍‍. ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ ବୁମ୍‍ରା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ସାର୍ଦ୍ଦୁଳ ଠାକୁର, କରୁଣ ନାୟାର, ଦିନେଶ କାର୍ତ୍ତିକ ଓ ହନୁମା ବିହାରୀ।

Leave A Reply