ଆମେ ପିଚ୍‍କୁ ନେଇ ଅଭିଯୋଗ କରିନାହୁଁ: ଶାସ୍ତ୍ରୀ

0

ଚେମ୍‍ସଫୋର୍ଡ : କାଉଣ୍ଟି ଦଳ ଏସେକ୍ସ ବିପକ୍ଷରେ ଭାରତୀୟ ଦଳର ଅଭ୍ୟାସ ମ୍ୟାଚ୍‍କୁ ୪ ଦିନିଆ ବଦଳରେ ୩ ଦିନିଆ କରାଯାଇଛି। ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରଥମେ ଆସିଥିଲା ଯେ ନିମ୍ନମାନର ପିଚ୍‍ ଓ ପଡ଼ିଆ ଦେଖି ଭାରତ ମ୍ୟାଚ୍‍ର ପ୍ରଥମଦିନ ଖେଳିବାକୁ ରାଜି ହୋଇନଥିଲା। ପରେ ଭାରତୀୟ ଦଳ ପକ୍ଷରୁ କୁହା ଯାଇଥିଲା ଯେ ଗ୍ରୀଷ୍ମପ୍ରବାହ ଯୋଗୁଁ ଭାରତ ୩ ଦିନ ମ୍ୟାଚ୍‍ ଖେଳିବାକୁ ଚାହିଁଥିଲା।
ସେ ଯାହାହେଉ; ବୁଧବାର ସାମ୍ବାଦିକ ସମ୍ମିଳନୀରେ ରବି ଶାସ୍ତ୍ରୀ ତାଙ୍କ ପକ୍ଷ ରଖିଛନ୍ତି। ମୋର ନୀତି ପୂରା ସ୍ପଷ୍ଟ। ତୁମଦେଶରେ ମୁଁ ପ୍ରଶ୍ନ କରେନାହିଁ ଏବଂ ଆମଦେଶରେ ତୁମେ ପ୍ରଶ୍ନ କରନାହିଁ। ଗ୍ରାଉଣ୍ଡସମ୍ୟାନ୍‍ଙ୍କୁ କହିଥିଲି ଯେ ପଡ଼ିଆ ଯାହା ଅଛି; ସେପରି ରହିଥାଉ। କିଛି ପରିବର୍ତ୍ତନ ଆବଶ୍ୟକ ନାହିଁ। ଏହି ଗସ୍ତରେ ଦେଖିବାକୁ ପାଇବେ ଯେ ଭାରତୀୟ ଦଳ ପିଚ୍‍ ଓ ବାତାବରଣକୁ ନେଇ କେବେ ପ୍ରଶ୍ନବାଚୀ ଉଠାଇବ ନାହିଁ। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଇଂଲଣ୍ଡକୁ ପରାସ୍ତ କରିବା। ଯେଉଁଠାରେ ଖେଳିଲେ ବି ଆମେ ଭଲ ପ୍ରଦର୍ଶନ କରିବାର ପ୍ରୟାସ କରିଥାଉ। ତେଣୁ ଆମ ଦଳ ବିଶ୍ୱର ସର୍ବଶ୍ରେଷ୍ଠ ଭ୍ରମଣକାରୀ ଦଳ ହେଉ ବୋଲି ଆମେ ଚାହୁଁଛୁ। ମୋ ଦଳର କୌଣସି ଖେଳାଳି କୌଣସି ବିଷୟକୁ ନେଇ ଅଭିଯୋଗ କରିବେନାହିଁ। ମଙ୍ଗଳବାର ଆମେ ଦେଖିଥିଲୁ ଯେ ପିଚ୍‍ରେ ବହଳ ଘାସ ଥିଲା। ଘାସ କାଟିବା ପାଇଁ ଆମ ଅନୁମତି ଲୋଡ଼ିଥିଲେ ଗ୍ରାଉଣ୍ଡସମ୍ୟାନ୍‍। ମୁଁ ତାଙ୍କୁ କହିଥିଲି; ପିଚ୍‍ ପ୍ରସ୍ତୁତି ତୁମର କର୍ତ୍ତବ୍ୟ। ତୁମେ ଯେପରି ପିଚ୍‍ ଦେବ; ସେଥିରେ ଆମେ ଖେଳିବୁ। ପୁଣି ଅଭ୍ୟାସ ମ୍ୟାଚ୍‍ ୨, ୩ କିମ୍ବା ୪ ଦିନିଆ ହେବ; ତାହା ସମ୍ପୂର୍ଣ୍ଣ ଭାବେ ଭ୍ରମଣକାରୀ ଦଳର ନିଷ୍ପତ୍ତି। ମଙ୍ଗଳବାର ଏହି ଗ୍ରାଉଣ୍ଡରେ ଅଭ୍ୟାସ କରିବା ବେଳେ ନିଷ୍ପତ୍ତି ନେଇଥିଲୁ ଯେ ଆମେ ୩ ଦିନିଆ ମ୍ୟାଚ୍‍ ଖେଳିବୁ। ଆମେ ଅଭ୍ୟାସକୁ ଗୁରୁତ୍ୱ ଦେଉଛୁ। ଚଳିତ ୩ ଦିନିଆ ଅଭ୍ୟାସ ମ୍ୟାଚ୍‍ ପରେ ଆମେ ବର୍ମିଂହାମ୍‍ ଯାଇ ୩ ଦିନ ଅଭ୍ୟାସ କରିବୁ।

Leave A Reply