କଂଗ୍ରେସ-ବିଏସ୍‍ପି ମେଣ୍ଟ ଚୂଡ଼ାନ୍ତ: କମଳ ନାଥ

0

ଭୋପାଳ : ମଧ୍ୟପ୍ରଦେଶରେ କଂଗ୍ରେସ ଓ ବହୁଜନ ସମାଜ ପାର୍ଟି(ବିଏସ୍‍ପି) ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ପୁରୁଣା କଥା। ଏହି ଚର୍ଚ୍ଚିତ ମେଣ୍ଟ ଏକରକମ ଚୂଡ଼ାନ୍ତ ହୋଇସାରିଛି ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ସଭାପତି କମଳ ନାଥ। କେବଳସେତିକି ନୁହେଁ; ପୂର୍ବ ମଧ୍ୟପ୍ରଦେଶରେ ପ୍ରଭାବଶାଳୀ ଗଣ୍ଡୱାନା ଗଣତନ୍ତ୍ର ପାର୍ଟି ସହିତ ମଧ୍ୟ ଉଭୟ ଦଳ ମେଣ୍ଟ ଗଠନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତିରେ ଉପନୀତ ହୋଇଥିବା ସେ କହିଛନ୍ତି। ରାଜସ୍ଥାନ ଓ ଛତିଶଗଡ଼ରେ ମଧ୍ୟ କଂଗ୍ରେସ ସେଭଳି ମେଣ୍ଟ ଗଠନ ଉଦ୍ୟମରେ ରହିଛି ବୋଲି କମଳ ନାଥ ସୂଚନା ଦେଇଛନ୍ତି।
କମଳ ନାଥଙ୍କ ସୂଚନାନୁଯାୟୀ, ରାଜ୍ୟରେ ମାୟାବତୀଙ୍କ ଦଳର ଭୋଟ ଅଂଶ ଗତ ଦୁଇ ଦଶନ୍ଧି ଧରି କ୍ରମାଗତ ଭାବେ ୭ପ୍ରତିଶତ ରହିଆସିଛି। ଗତ ନିର୍ବାଚନରେ କଂଗ୍ରେସର ଭୋଟ ଅଂଶ ଥିଲା ୩୭ପ୍ରତିଶତ। ଉଭୟ ଦଳ ମଧ୍ୟରେ ମେଣ୍ଟ ହେଲେ ଏହା ୪୫ପ୍ରତିଶତରେ ପହଞ୍ଚିବ। ଗତ ନିର୍ବାଚନରେ ବିଜେପି ୪୫ପ୍ରତିଶତ ଭୋଟ୍‍ ପାଇଥିଲାବେଳେ ଏଥର ପରିବର୍ତ୍ତନର ହାୱା ବହୁଛି। ମଧ୍ୟପ୍ରଦେଶ ସହ ରାଜସ୍ଥାନରେ ପ୍ରବଳ ମାତ୍ରାରେ ସରକାର ପରିବର୍ତ୍ତନ ହାୱା ବହୁଥିବା ଲୋକନୀତି-ସିଏସ୍‍ଡିଏସ୍‍ ସର୍ଭେରୁ ସ୍ପଷ୍ଟ ହୋଇଛି। ଅପରପକ୍ଷରେ ଆଗାମୀ ନିର୍ବାଚନରେ ମାୟାବତୀଙ୍କ ଭୂମିକାକୁ ଆଦୌ ଗୌଣ ମନେକରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷରେ କାହା ସହିତ ମେଣ୍ଟ କରିବା ପାଇଁ ପୂର୍ବରୁ କୁଣ୍ଠାପ୍ରକାଶ କରିଆସୁଥିବା ମାୟାବତୀଙ୍କ ମତିଗତିରେ ଏବେ ପରିବର୍ତ୍ତନ ଘଟିଛି। ଆବଶ୍ୟକତା ଅନୁସାରେ ସେ ମୁଖ୍ୟ କିମ୍ବା ଦ୍ୱିତୀୟ ଭୂମିକା ତୁଳାଇବାରେ ସହମତି ପ୍ରକାଶ କରୁଛନ୍ତି। ତାଙ୍କ ଦଳର ନିଜସ୍ୱ ଭୋଟ ଭାଗ ଯେମିତି ଅନ୍ୟ ଦଳକୁ ଚାଲି ନ ଯାଏ; ସେଥିପ୍ରତି ମାୟାବତୀ ସଚେତନ ଥିବା କମଳ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମାୟାବତୀଙ୍କ ସହିତ ମେଣ୍ଟ ପ୍ରସଙ୍ଗ ନେଇ କମଳ ନାଥଙ୍କୁ ସ୍ୱାଧୀନତା ଦେଇଛନ୍ତି।

Leave A Reply