ଅପରାଧୀ, ଅମାନତ ହରାଇଥିବା ବ୍ୟକ୍ତିଙ୍କୁ ମିଳିବନି ଟିକଟ

0

ସବୁ ବିଧାୟକ ଲଢ଼ିବେ, ନୂଆ ମୁହଁକୁ ଅଗ୍ରାଧିକାର

ଭୁବନେଶ୍ୱର : ଗତ ନିର୍ବାଚନରେ ଯେଉଁ ଦଳୀୟ ପ୍ରାର୍ଥୀମାନେ ଅମାନତ ହରାଇଥିବେ ଓ ଯାହା ନାମରେ ସଙ୍ଗୀନ ଅପରାଧ ରହିଥିବ ସେମାନଙ୍କୁ କଂଗ୍ରେସ ଦଳରୁ ଟିକଟ ମିଳିବ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ପ୍ରଦେଶ କଂଗ୍ରେସ ଭବନଠାରେ ଅନୁଷ୍ଠିତ ପିସିସି ନିର୍ବାଚନ କମିଟିରେ ଏଭଳି ମାପଦଣ୍ଡ ସ୍ଥିର ହୋଇଛି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଦଳକୁ କିଭଳି ସଫଳତା ମିଳିବ ଓ କାହାକୁ ଟିକଟ ଦିଆଯିବ ସେଥିନେଇ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରଥମ ଅଧିବେଶନରେ କେଉଁ ଆଧାରରେ ଟିକଟ ବଣ୍ଟନ କରାଯିବ ସେ ନେଇ ବିଚାରବିମର୍ଶ ହୋଇଥିଲା। ରାଜ୍ୟ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ନିର୍ବାଚନ କମିଟିର ସମସ୍ତ ସଦସ୍ୟ ଉପସ୍ଥିତିରେ କେଉଁ ଲୋକସଭା ଓ ବିଧାନସଭା ନିମନ୍ତେ କେଉଁମାନେ ଆଶାୟୀ ସେମାନଙ୍କ ସାମର୍ଥ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି। ଗତ ନିର୍ବାଚନରେ କେଉଁମାନେ କେତେ ବ୍ୟବଧାନରେ ହାରିଥିଲେ ସେ ସମ୍ପକରେ କମିଟି ଅନୁଧ୍ୟାନ କରିଛି। ୨୦୧୯ ପାଇଁ ଯୁବ ବର୍ଗ ଓ ନୂଆ ମୁହଁଙ୍କୁ ଟିକଟ ଦେବା ପାଇଁ ଗୁରୁତ୍ୱ ଦିଆଯାଇଛି। ଗତ ନିର୍ବାଚନରେ ଯେଉଁମାନେ ସ୍ୱଳ୍ପ ବ୍ୟବଧାନରେ ହାରିଛନ୍ତି ସେମାନଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ଦଳର ୧୫ଜଣ ବିଧାୟକଙ୍କୁ ପୁନର୍ବାର ନିର୍ବାଚନ ଲଢିବା ପାଇଁ ସୁଯୋଗ ଦିଆଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିଷ୍ପତ୍ତି ହୋଇଥିବା କହିଛନ୍ତି। ପ୍ରଥମ ଦଫାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ରହିଥିବା ବିଧାନସଭା ସମ୍ପର୍କରେ ଆଲୋଚନା ହୋଇଥିଲା। ଆଦିବାସୀ ଅଧୁଷିତ ଅଞ୍ଚଳରେ ଯେଉଁ ନେତାମାନଙ୍କ ସପକ୍ଷରେ ଜନଆଧାର ରହିଛି ସେମାନଙ୍କର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ସେହିଭଳି ରାଜ୍ୟର ୨୧ଟି ଲୋକସଭା ପ୍ରାର୍ଥୀ ନେଇ ବିଶଦ ଆଲୋଚନା ହୋଇଥିବା ଜଣାପଡ଼ିଛି। ନେତାମାନଙ୍କ ମଧ୍ୟରେ ଥିବା ବାଦ ବିବାଦକୁ ଭୁଲି ଯାଇ ଦଳ କିଭଳି ଲୋକଙ୍କର ବିଶ୍ୱାସଭାଜନ ହେବ ସେ ଦିଗରେ ବରିଷ୍ଠ ନେତାମାନେ ଦୃଷ୍ଟି ଦେବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି। ୧୪୭ ବିଧାନସଭା ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୫୦ଟି ବିଧାନସଭାରେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ କମିଟିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ବିରୋଧୀଦଳ ନେତା ନରସିଂହ ମିଶ୍ର, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଚିରଞ୍ଜୀବ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ, ପ୍ରଦୀପ ମାଝି, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ସୁଶିଳା ତିରିଆ, ରଞ୍ଜୀବ ବିଶ୍ୱାଳ, ଶରତ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, କିଶୋର ଚନ୍ଦ୍ର ପଟେଲ, ତାରାପ୍ରସାଦ ବାହିନୀପତି, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ଭାଗବତ ପ୍ରସାଦ ମହାନ୍ତି, ମହମ୍ମଦ ଶାହାନୱାଜ, ଅମୀୟ କୁମାର ପଟ୍ଟନାୟକ ଓ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏଥର ଟିକଟ ବିକ୍ରି ହେବ ନାହିଁ : ତାରା
କଂଗ୍ରେସ ଭବନରେ ପିସିସି ନିର୍ବାଚନ କମିଟି ବୈଠକ ରେ କାହାକୁ ପ୍ରାର୍ଥୀ କରାଯିବ ସେଥିପାଇଁ ଦିନସାରା ନେତାମାନେ ମାନସମନ୍ଥନ କରିଥିଲେ। ୨୦୧୪ରେ କଂଗ୍ରେସ ପ୍ରାର୍ଥୀମାନଙ୍କୁ ଯେଭଳି ଟିକଟ ବିକ୍ରି କରାଯାଇଥିଲା ଏଥର ସେଭଳି ହେବ ନାହିିଁ ବୋଲି ତାରାପ୍ରସାଦ ବାହିନୀପତି କହିଛନ୍ତି। ତେବେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଆଗାମୀ ନିର୍ବାଚନରେ ଟିକଟ ମିଳିବ ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ଶ୍ରୀ ବାହିନୀପତି କହିଛନ୍ତି। ବାହିନୀପତିଙ୍କ ଏଭଳି ମନ୍ତବ୍ୟ ଦଳରେ ଗୁଞ୍ଜରଣ ସୃଷ୍ଟି କରିଛି।
ଅନଶନ କଲେ, ସାନ୍ତ୍ୱନା ପାଇ ଉଠିଲେ
ନୂତନ ପ୍ରଦେଶ କଂଗ୍ରେସ କମିଟିରେ ଦଳର ଯୁବ ନେତାମାନଙ୍କୁ ଉପଯୁକ୍ତ ମାନ୍ୟତା ମିଳିନଥିବାରୁ ପିସିସି ସମ୍ପାଦକ ଚିନ୍ମୟ ଦାସ କଂଗ୍ରେସ ଭବନ ଆଗରେ ଅନଶନ କରିଥିଲେ। ଶ୍ରୀ ଦାସଙ୍କ ସହ ଦଳର ଶ୍ରୀନିବାସ ରାଉତରା, ମାନସ ଅଚାର୍ଯ୍ୟ ପ୍ରମୁଖ ୪ଜଣ ମଧ୍ୟ ଏହି ଅନଶନରେ ଭାଗ ନେଇଥିଲେ। ତେବେ ଦଳର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ କଂଗ୍ରେସ ଭବନରେ ଚାଲିଥିବାରୁ ଅନଶନରେ ବସିଥିବା ଯୁବନେତାମାନଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ବୁଝାସୁଝା କରିବା ପରେ ସେମାନେ ଅନଶନ ଭାଙ୍ଗିଥିଲେ।

Leave A Reply