ଆଜି କଂଗ୍ରେସର ନୂତନ କର୍ମକର୍ତ୍ତାଙ୍କ ବୈଠକ

0

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ତାକୁ ନେଇ କଂଗ୍ରେସ ନିଜ ଘର ସଜାଡିବାରେ ସେତିକି ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ କିଷାନ କଂଗ୍ରେସ ସେଲ, ସଂଖ୍ୟା ଲଘୁ ସେଲ, ଅନୁସୂଚିତ ଜାତି ଓ ଜନଜାତି ସେଲ ଗଠନ କରିଥିବା ବେଳେ ଜିଲାପରିଷଦ ଜୋନ୍‍ ସଭାପତି ପଦ ମଧ୍ୟ ଘୋଷଣା କରିଛି। ଆଗାମୀ ଦିନରେ ଦଳକୁ କିଭଳି ଅଧିକ ସୁଦୃଢ଼ କରାଯାଇ ପାରିବ ସେଥିନେଇ ସ୍ୱାଧୀନତା ଦିବସରେ ପ୍ରଦେଶ କଂଗ୍ରେସ କମିଟିର ନୂତନ କମିଟି ଘୋଷଣା ହୋଇଛି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଅନୁମୋଦନକ୍ରମେ ସମ୍ପାଦକ, ଉପସଭାପତି, କାର୍ଯ୍ୟକାରୀ ସଭାପତି, ଶୃଙ୍ଖଳା କମିଟି , ନିର୍ବାଚନ କମିଟି, ନିମନ୍ତ୍ରିତ ସଦସ୍ୟ ଭଳି ବିଭିନ୍ନ କମିଟି ଘୋଷଣା କରିଛି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ତିନିଦିନିଆ ଗସ୍ତରେ ଆସିଥିବାରୁ ଏହି ସମୟ ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ଜଣାଯାଇଛି।
ଏଆଇସିସି ପକ୍ଷରୁ ଦିଲ୍ଲୀରେ ଆହୁତ ବୈଠକରେ ଯୋଗ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବିଧାୟକଦଳ ଫେରି ଆସିଛନ୍ତି। ଆସନ୍ତାକାଲି କଂଗ୍ରେସ ଭବନରେ ନିର୍ବାଚନୀ ବୈଠକ ଅନୁଷ୍ଠିତ ହେବ। ଏଥିରେ ଆଶାୟୀ ପ୍ରାର୍ଥୀଙ୍କ ବିଷୟରେ ବିସ୍ତୃତ ଆଲୋଚନା ହେବ ବୋଲି ସ୍ଥିର ହୋଇଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ବିରୋଧରେ ରାଫେଲ ବିମାନ ପ୍ରସଙ୍ଗ ମୁଖ୍ୟ ମୁଦା କରିବାକୁ ଏଆଇସିସି କହିଥିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ କେଉଁ ପ୍ରସଙ୍ଗ ସ୍ଥାନ ପାଇବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ନୂତନ କମିଟିର କର୍ମକର୍ତ୍ତା କିଏ କେଉଁ ଦାୟିତ୍ୱରେ ରହିବେ ତାହା ମଧ୍ୟ ବେଠକରେ ନିଷ୍ପତ୍ତି ନିଆଯିବ। ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ କାହା ଉପରେ ନ୍ୟସ୍ତ କରାଯିବ ସେ ନେଇ ବିଧିବଦ୍ଧ ଖସଡା ପ୍ରସ୍ତୁତ କରାଯିବ। ପ୍ରତି ବ୍ଲକର ଜୋନ୍‍ସ୍ତରୀୟ ସଭାପତିଙ୍କୁ ବୁଥ୍‍ ଦାୟିତ୍ୱରେ ରଖାଯିବ। ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ କରାଯିବ ଓ ଭୋଟରଙ୍କୁ ଦଳ ପ୍ରତି କିଭଳି ଆକୃଷ୍ଟ କରାଯିବ ସେଥି ନେଇ ମଧ୍ୟ ଏହି ଦୁଇଦିନିଆ ବୈଠକରେ ରଣନୀତି ସ୍ଥିର ହେବ ବୋଲି ଦଳର ଜଣେ ତୁଙ୍ଗ ନେତା କହିଛନ୍ତି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ନେଇ ନିର୍ବାଚନ କମିଟି ପ୍ରଥମ ବୈଠକ ହେବାକୁ ଯାଉଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଛି।

Leave A Reply