କଂଗ୍ରେସର ୪୪ ବିଧାୟକ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ

0

ଭୁବନେଶ୍ୱର  : ବହୁ କସରତ ପରେ ପିସିସି ନିର୍ବାଚନ କମିଟି ପ୍ରଥମ ଦଫାରେ ୪୪ଜଣିଆ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିଛି। ପିସିସି ନିର୍ବାଚନ କମିଟିର ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୟନ ନିମନ୍ତେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ବୈଠକ କଂଗ୍ରେସ ଭବନଠାରେ ସୋମବାର ଅନୁଷ୍ଠିତ ହୋଇଛି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ କମିଟିର ସଦସ୍ୟଙ୍କୁ ନେଇ ଆଗାମୀ ନିର୍ବାଚନରେ କାହାକୁ ପ୍ରାର୍ଥୀ କରାଗଲେ ଦଳ ଅଧିକ ଲାଭବାନ ହେବ ଟିକିନିଖି ଭାବେ ଆଲୋଚନା ହୋଇଥିଲା।ସ୍କିନିଂ କମିଟି ଅଧ୍ୟକ୍ଷ ଭି.ଏନ୍‍ ସାଥେସାନ୍‍ଙ୍କ ଅଧ୍ୟକ୍ଷତାରେ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ଭବନଠାରେ ବରିଷ୍ଠ ନେତାମାନଙ୍କ ସହ ବୈଠକରେ ପ୍ରାର୍ଥୀ ଚୁଡାନ୍ତ ହୋଇଛି।
ବିଶେଷ କରି ରାଜ୍ୟରେ ଦଳର ରାଜନୈତିକ ସ୍ଥିତି ସହିତ ଆଗାମୀ ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ହେବେ ସେମାନଙ୍କ ମାପଦଣ୍ଡ ସମ୍ପର୍କରେ ଆଲୋଚନା କରିଥିଲେ। ସ୍କ୍ରିନିଂ କମିଟିର ଅନ୍ୟ ଦୁଇ ସଦସ୍ୟ ଜିତେନ ପ୍ରସାଦ ଓ ନୌସାଦ ସୋଲାଙ୍କି ମଧ୍ୟ ଏହି ବୈଠକରେ ନେତାମାନଙ୍କ ସହ ଆଲୋଚନା କରି ପ୍ରାର୍ଥୀ ଚୁଡାନ୍ତ କରିଛନ୍ତି। ପ୍ରଥମ ଦଫାରେ ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାର ୪୪ଜଣ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କରାଯାଇଛି। ଜିତିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକା ଅନୁମୋଦନ ନିମନ୍ତେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଠାଯିବା ପାଇଁ ସ୍ଥିର ହୋଇଛି। ତାଲିକାକୁ ସ୍କ୍ରିନିଂ କମିଟି ଅନୁଧ୍ୟାନ କରିଛି। ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା, ନବରଙ୍ଗପୁର,ମାଲକାନାଗିରି, ଗଜପତି, ଗଞ୍ଜାମ , ନୂଆପଡ଼ା, କଳାହାଣ୍ଡି ଜିଲାର ପ୍ରାର୍ଥୀମାନଙ୍କ ସମ୍ପର୍କରେ ଆଲୋଚନା କରାଯାଇ ୨୦ ଜଣଙ୍କ ନାମ ଚୂଡାନ୍ତ ହୋଇଛି। ତେବେ ପାରଳାଖେମୁଣ୍ଡିର ବର୍ତ୍ତମାନ ରହିଥିବା କଂଗ୍ରେସ ବିଧାୟକ କେ. ସୁରିଆ ରାଓ ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ରାଜ୍ୟ ସଭାପତିଙ୍କୁ ଜଣାଇଥିବାରୁ ତାଙ୍କ ସ୍ଥାନରେ ହାଇଟେକ୍‍ ମାଲିକ ତିରୁପତି ପାଣିଗ୍ରାହୀ ପ୍ରାର୍ଥୀ ହେବେ ବୋଲି ଦଳରେ ଆଲୋଚନା ହୋଇଛି। ସେହିଭଳି ମାଲକାନାଗିରି ବିଧାନସଭା ନିମନ୍ତେ ମାଲା ମାଢିଙ୍କ ନାମ ପୂର୍ବରୁ ପୂର୍ବତନ ସାଂସଦ ପ୍ରଦୀପ ମାଝି ଘୋଷଣା କରିଥିବାରୁ ତାଙ୍କ ନାମ ଚୂଡାନ୍ତ ହୋଇଥିବା କୁହାଯାଉଛି। ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ୭ଟି ବିଧାନସଭା ଆସନରୁ ୨ଟି ରେ ମହିଳା ପ୍ରାର୍ଥୀ କଂଗ୍ରେସ ଦେଇପାରେ ବୋଲି ଶ୍ରୀ ମାଝି କହିଛନ୍ତି। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଜିଲାର ୧୧ଟି ବିଧାନସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ ହୋଇଛି। ଉପକୂଳ ଓଡ଼ିଶାରୁ ୧୩ଜଣଙ୍କ ନାମ ଦଳୀୟ ପ୍ରାର୍ଥୀ କରିବା ପାଇଁ ପ୍ରଦେଶ ନିର୍ବାଚନ କମିଟି ନିଷ୍ପତ୍ତି ନେଇଛି। ପୂର୍ବରୁ ଦଳ ୫୦ ଜଣଙ୍କ ନାମ ଘୋଷଣା କରିବ ବୋଲି ପ୍ରକାଶ କରିଥିଲା। କେତେକ ବିଧାନସଭାରେ କ୍ରମାଗତ ଦଳର ଯେଉଁ ପ୍ରାର୍ଥୀ ୩ ଥର ପରାଜିତ ହୋଇଥିବେ ଏବଂ ଅମାନତ ହରାଇଥିବେ ସେମାନଙ୍କୁ ଦଳ ଦ୍ୱିତୀୟ ଥର ପ୍ର୍ରାର୍ଥୀ ନ କରିବା ପାଇଁ ମାପଦଣ୍ଡ ସ୍ଥିର ହୋଇଛି। ଯେଉଁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କୁ ନେଇ ସମସ୍ୟା ରହିଛି ତାହା ଠିକଣା ଭାବେ ଅନୁଧ୍ୟାନ କରାଯାଇ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି କମିଟି ସ୍ଥିର କରିଛି। ଯେଉଁମାନଙ୍କ ନାମ ବ୍ଲକ ସଭାପତି, ଜିଲା ସଭାପତିମାନେ ସୁପାରିସ କରିଛନ୍ତି ସେମାନଙ୍କ ତାଲିକା ନିର୍ବାଚନ କମିଟି ଓ ସ୍କ୍ରିନିଂ କମିଟି ଦ୍ୱାରା ଅନୁଧ୍ୟାନ କରାଯାଇ ୪୪ ଜଣ ପ୍ରାର୍ଥୀ ଚୂଡାନ୍ତ କରାଯାଇଛି। ତେବେ ଏହି ୪୪ଜଣଙ୍କ ନାମ କେବେ ଘୋଷଣା କରାଯିବ ତାହା ସ୍ପଷ୍ଟ କରାଯାଇନାହିଁ।
ବର୍ତ୍ତମାନ ଦଳରେ ଥିବା ବିଧାୟକମାନେ ଆଗାମୀ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ହେବେ କି ନାହିଁ ସେ ନେଇ ନିଜ ଆଡୁ ପକ୍ଷ ରଖି ରାଜ୍ୟ ସଭାପତି ଓ ରାଜ୍ୟ ପ୍ରଭାରୀଙ୍କୁ ଜଣାଇବା ପରେ ସେମାନଙ୍କ ନାମ ଚୂଡାନ୍ତ କରାଯିବ ବୋଲି ଜଣାପଡ଼ିଛି। ସେହିଭଳି ଲୋକସଭା ନିମନ୍ତେ କିଏ କେଉଁ ଲୋକସଭାରୁ ଲଢିବେ ଏକ ତାଲିକା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହା ଉପରେ କମିଟି ଆଲୋଚନା କରିନାହିଁ। ପ୍ରଦେଶ ନିର୍ବାଚନ କମିଟିରେ ଅଧକାଂଶ ସଦସ୍ୟ ଉପସ୍ଥିତ ଥିବାବେଳେ ହେମାନନ୍ଦ ବିଶ୍ୱାଳ, ନବ ଦାସ, କାହ୍ନୁଚରଣ ଲେଙ୍କା ଅନୁପସ୍ଥିତ ଥିଲେ। ଆଜିର ଏହି ବୈଠକରେ ବିରୋଧୀ ଦଳର ନେତା ନରସିଂହ ମିଶ୍ର,ରାମଚନ୍ଦ୍ର ଖୁଣ୍ଟିଆ, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝି, ପ୍ରସାଦ ହରିଚନ୍ଦନ, ଜଗନ୍ନାଥ ପଟ୍ଟନାୟକ, ଭକ୍ତ ଚରଣ ଦାସ, ସୁଶିଳା ତିରିଆ, ଶ୍ରୀକାନ୍ତ ଜେନା, ରଞ୍ଜୀବ ବିଶ୍ୱାଳ, ଶରତ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, କିଶୋର ଚନ୍ଦ୍ର ପଟେଲ, ତାରାପ୍ରସାଦ ବାହିନୀପତି, କଂଗ୍ରେସ କୃଷକ ସେଲ ଅଧ୍ୟକ୍ଷ ଅମୀୟକୁମାର ପଟ୍ଟନାୟକ, ଗଣେଶ୍ୱର ବେହେରା, ଭାଗବତ ପ୍ରସାଦ ମହାନ୍ତି, ଦେବାଶିଷ ପଟ୍ଟନାୟକ, ଶରତ ରାଉତ, ମହମ୍ମଦ ସାହାନାୱାଜ, ଜୟଦେବ ଜେନା ଓ ଦଳର ଛାମୁଆ ସଂଗଠନର ମୁଖ୍ୟମାନେ ଉପସ୍ଥିତ ଥିଲେ।

Leave A Reply