ଓଡ଼ିଶା ହେବ ଉଚ୍ଚଶିକ୍ଷାର ପ୍ରମୁଖ କେନ୍ଦ୍ର : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଅଧ୍ୟବସାୟ ଓ ପ୍ରତିବଦ୍ଧତା ବଳରେ ଓଡ଼ିଶାରେ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ବାସ୍ତବ ରୂପ ନେବ ଏବଂ ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରଦାନ କ୍ଷେତ୍ରରେ ଓଡ଼ିଶାକୁ ଦେଶର ପ୍ରମୁଖ କେନ୍ଦ୍ରରେ ପରିଣତ କରିବାକୁ ସକ୍ଷମ ହୋଇପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗୁରୁବାର ଜୟଦେବ ଭବନଠାରେ ଆୟୋଜିତ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଶୀର୍ଷକ କର୍ମଶାଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବନିଯୁକ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ଉପରୋକ୍ତ ଆହ୍ୱାନ ଦେଇଛନ୍ତି। ସରକାରୀ ମହାବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତ ୧୩୫ ଜଣ ଅଧ୍ୟାପକଙ୍କୁ ସେ ଅଭିନନ୍ଦନ ଜଣାଇ ଛାତ୍ରଛାତ୍ରୀଙ୍କ ଆଶାଆକାଂକ୍ଷା ପୂରଣରେ ଉତ୍ସର୍ଗୀକୃତ ଭାବେ କାର୍ୟ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଦକ୍ଷତା ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ମୁଖ୍ୟମନ୍ତ୍ରୀ ୧୦ଟି ବିଶ୍ୱବିଦ୍ୟାଳୟ ଓ ୫୨ଟି ସରକାରୀ ମହାବିଦ୍ୟାଳୟର କ୍ୟାରିୟର କାଉନସେଲିଂ ସେଣ୍ଟର( ବୃତ୍ତି ନିୟୋଜନ ପରାମର୍ଶ କେନ୍ଦ୍ର) ଶୁଭାରମ୍ଭ କରିଛନ୍ତି। ନବନିଯୁକ୍ତ ଅଧ୍ୟାପକଙ୍କୁ ସମ୍ବୋଧିତ କରି ସେ କହିଲେ ଯେ ଗତ ଦୁଇଦଶନ୍ଧି ମଧ୍ୟରେ ଓଡ଼ିଶାକୁ ଉଚ୍ଚଶିକ୍ଷା ଓ ଗବେଷଣା ହବ୍‌ରେ ପରିଣତ କରିବାକୁ ଉଦ୍ୟମ ଚାଲିଛି। ଘରୋଇ, କେନ୍ଦ୍ରୀୟ ତଥା ରାଜ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଜରିଆରେ ରାଜ୍ୟ ଜ୍ଞାନ ବିତରଣ କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବା ସହିତ ଯୁବକମାନଙ୍କ ଭିତରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଦକ୍ଷତା ସୃଷ୍ଟି କରିପାରିଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମେକ ଇନ ଓଡ଼ିଶା କନକ୍ଲେଭରେ ଆୟୋଜିତ ଶିକ୍ଷା ସମ୍ମିଳନୀରେ ଖ୍ୟାତନାମା ଶିକ୍ଷାବିତ୍‍, ପ୍ରଶାସକ ଏବଂ ଶିଳ୍ପପତି ଏକାଠି ହେବା ସହିତ ଉଚ୍ଚଶିକ୍ଷା ପରିଚାଳନା, ଗବେଷଣାରେ ଦକ୍ଷତା ବିକାଶ ଏବଂ ନବୀକରଣ ଓ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ରାଜ୍ୟରେ ଗୁଣାତ୍ମକ ମାନବ ସମ୍ବଳ ସୃଷ୍ଟି ପାଇଁ ପ୍ରସ୍ତାବ ଦେଇଛନ୍ତିି। ଇତିମଧ୍ୟରେ ସରକାର ୫ଟି ନୂତନ ବିଶ୍ୱବିଦ୍ୟାଳୟ, ୮ଟି ନୂତନ ମଡ଼େଲ ଡ଼ିଗ୍ରୀ କଲେଜ ଖୋଲିଥିବାବେଳେ ଖୁବ୍‍ଶୀଘ୍ର ଅଧିକ ୬ଟି ମଡ଼େଲ ଡ଼ିଗ୍ରୀ କଲେଜ ଖୋଲାଯିବ। ଏହାବ୍ୟତୀତ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଏବଂ ଦୁଇଟି ଅତିରିକ୍ତ ଆଞ୍ଚଳିକ ନିର୍ଦେଶାଳୟ ଗଠନ କରାଯାଇଛି।
କଳିଙ୍ଗ ଶିକ୍ଷା ସାଥୀ ଯୋଜନା ସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‍, ଅନାଥ ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା ଜରିଆରେ ଶିକ୍ଷାକ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଉଛି। ବିଶ୍ୱ ବ୍ୟାଙ୍କ ଋଣ ସହାୟତାରେ ଓଡ଼ିଶା ଉଚ୍ଚଶିକ୍ଷା ପ୍ରକଳ୍ପ ପାଇଁ ଉତ୍କର୍ଷ ଓ ଇକ୍ୟୁଇଟି ଏକ ଅଭିନବ ସଂସ୍କାରମୂଳକ ପଦକ୍ଷେପ। ଗବେଷଣା, ବିନିମୟ କାର୍ୟ୍ୟକ୍ରମ ଏବଂ ଶିଳ୍ପସଂସ୍ଥା ସହିତ ନଲେଜ ପାର୍ଟନରସିପ୍‍ ପାଇଁ ବହୁ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଷ୍ଠାନ ଏବଂ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୮୨ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି କାର୍ୟ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତନାରାୟଣ ଜେନା, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକକୁମାର ଦାସ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ।

Leave A Reply