ସ୍ୱଚ୍ଛ ପରିବହନ: ଶୀର୍ଷରେ ଭୋପାଳ ଏବଂ କଲକତା

0

ନୂଆଦିଲ୍ଲୀ : ଦେଶରେ ସ୍ୱଚ୍ଛ ପରିବହନ କ୍ଷେତ୍ରରେ ଭୋପାଳ ଏବଂ କଲକତା ସହର ଶୀର୍ଷରେ ରହିଛନ୍ତି। ଏଠାରେ ସାଧାରଣ ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣ ପରିମାଣ କମ୍ ରହିଛି । ଶୁକ୍ରବାର ବିଜ୍ଞାନ ଏବଂ ପରିବେଶ କେନ୍ଦ୍ର (ସିଏସ୍‍ଇ) ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି। ୧୪ଟି ବଡ଼ ସହରରେ ଗାଡ଼ିମୋଟର ସଂଖ୍ୟା ତୁଳନାରେ ନିର୍ଗତ ଅଙ୍ଗାରକାମ୍ଳ (କାର୍ବନ) ପରିମାଣକୁ ନେଇ ସର୍ଭେ କରାଯାଇଥିଲା। ସର୍ବେକ୍ଷଣ ରିପୋର୍ଟ ପ୍ରକାଶ କରିବା ପରେ ସିଏସ୍‍ଇ କାର୍ଯ୍ୟକାରୀ ନିର୍ଦେଶକ ଅନୁମିତା ରାୟଚୌଧୁରୀ କହିଛନ୍ତି ଯେ ଅଙ୍ଗାରକାମ୍ଳ ନିର୍ଗମ ହ୍ରାସ କରିବା ସହ ସ୍ୱଚ୍ଛ ପରିବହନ ପାଇଁ ପ୍ରତି ସହରରେ ନୂଆ ନୀତିର ଆବଶ୍ୟକତା ରହିଛି। ପରିବେଶକୁ ସଫା ରଖିବା ପାଇଁ ସାଧାରଣ ପରିବହନ ସହ ସାଇକେଲ ଏବଂ ପାଦରେ ଚାଲିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଉଚିତ। ଲୋକଙ୍କୁ ଗାଡ଼ିମୋଟରରୁ ନିର୍ଗତ ଧୂଅାଁରୁ ହେଉଥିବା ପରିବେଶ ପ୍ରଦୂଷଣ ସମ୍ପର୍କରେ ସଚେତନ କରିବା ଉଚିତ୍‍। ସର୍ଭେ ଅନୁସାରେ ୧୯୫୨ରୁ ୨୦୦୮ ପର୍ଯ୍ୟନ୍ତ ୬୦ ବର୍ଷ ମଧ୍ୟରେ ଦେଶରେ ୧୦୫ ନିୟୁତ (୧୦.୫ କୋଟି) ଗାଡ଼ି ପଞ୍ଜିକରଣ ହୋଇଥିଲା। ଏହାପରେ ମାତ୍ର ୬ ବର୍ଷ ମଧ୍ୟରେ ୨୦୦୯ରୁ ୨୦୧୫ ମଧ୍ୟରେ ସମାନ ପରିମାଣର ଗାଡ଼ି ପଞ୍ଜିକରଣ ହୋଇଛି। ଅର୍ଥାତ ଦେଶରେ ଯାନବାହନ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ୬୦ ବର୍ଷରେ ଯେଉଁ ପରିମାଣ ଗାଡ଼ି ଥିଲା, ତାହା ମାତ୍ର ୬ ବର୍ଷରେ ଦ୍ୱିଗୁଣିତ ହୋଇଯାଇଛି। ଏହାସହ ସାଧାରଣ ପରିବହନ ମାଧ୍ୟମରେ ଲୋକଙ୍କ ଯାତାୟତ ୨୦୦୦ରୁ ୨୦୦୧ରେ ୭୫.୫%ରୁ ହ୍ରାସ ପାଇ ୨୦୩୦-୩୧ ବେଳକୁ ୪୪.୭%ରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି।
ସିଏସ୍‍ଇର ସର୍ବେକ୍ଷଣର ସ୍ୱଚ୍ଛ ପରିବହନ ତାଲିକାରେ ଭୋପାଳ ପ୍ରଥମ ଏବଂ ବିଜୟୱାଡ଼ା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପଛକୁ ଚଣ୍ଡିଗଡ଼ ତୃତୀୟ, ଲକ୍ଷ୍ନୌ ଚତୁର୍ଥ, କୋଚି ପଞ୍ଚମ, ଜୟପୁର ଷଷ୍ଠ, କଲକାତା ସପ୍ତମ, ଅହମଦାବାଦ ଅଷ୍ଟମ, ପୁଣେ ନବମ, ମୁମ୍ବଇ ଦଶମ, ହାଇଦରାବାଦ ଏକାଦଶ, ବେଙ୍ଗାଲୁର ଦ୍ୱାଦଶ, ଚେନ୍ନଇ ତ୍ରୟୋଦଶ ଏବଂ ଦିଲ୍ଲୀ ଚର୍ତୁଦଶ ସ୍ଥାନରେ ଅଛନ୍ତି। ସେହିପରି ଯାତ୍ରା ଅନୁସାରେ ଶକ୍ତି ଆହରଣ (ବ୍ୟବହାର) ତାଲିକାରେ କଲକତା ଶୀର୍ଷରେ ରହିଛି। ଏହାପଛକୁ ମୁମ୍ବଇ, ଭୋପାଳ, ଦିଲ୍ଲୀ, ଅହମଦାବାଦ, ପୁଣେ, ଜୟପୁର, ଚେନ୍ନଇ, ବେଙ୍ଗାଲୁର, ଚଣ୍ଡିଗଡ଼ ଏବଂ ହାଇଦରାବାଦ ଅଛନ୍ତି।

Leave A Reply