ଛତିଶଗଡ଼ ବିଧାନସଭା ନିର୍ବାଚନ: ଟିକେଟ୍‍ ବଣ୍ଟାକୁ ନେଇ କଂଗ୍ରେସ ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା

0

ରାୟପୁର : ଛତିଶଗଡ଼ ବିଧାନସଭା ନିର୍ବାଚନରେ ଟିକେଟ୍‍ ବଣ୍ଟାକୁ ନେଇ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଛି। ଏହାକୁ ନେଇ ଛତିଶଗଡ଼ କଂଗ୍ରେସର ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି। ସୂଚନା ଅନୁସାରେ ଦକ୍ଷିଣ ରାୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମକୁ ନେଇ କଂଗ୍ରେସ କାର୍ଯ୍ୟକର୍ତ୍ତା ଦଳୀୟ କାର୍ଯ୍ୟାଳୟରେ ହଙ୍ଗାମା କରିଛନ୍ତି। ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତା ଦଳୀୟ କାର୍ଯ୍ୟାଳୟରେ ଚୌକି ଓ ଅନ୍ୟାନ୍ୟ ଆସବାବାପତ୍ର ଭାଙ୍ଗିଛନ୍ତି। ଏହାକୁ ନେଇ କଂଗ୍ରେସ ନେତା ଆର. ତିୱାରୀ କହିଛନ୍ତି ଯେ ଏହା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଭାବାବେଗ ସହ ଜଡ଼ିତ। ସେମାନଙ୍କୁ କହିବା ଅଧିକାର ରହିଛି। କଂଗ୍ରେସର ବରିଷ୍ଠ ନେତା ପିଏଲ୍‍ ପୁନିଆ ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ସେମାନେ ଶାନ୍ତ ପଡ଼ିଥିଲେ ଓ ଫେରି ଯାଇଥିଲେ।
ସେହିପରି ବିଳାସପୁରରେ ଟିକେଟ୍‍ ବଣ୍ଟାକୁ ନେଇ କଂଗ୍ରେସ କାର୍ଯ୍ୟକର୍ତ୍ତା ବିଳାସପୁର କଂଗ୍ରେସ କାର୍ଯ୍ୟାଳୟ ଭିତରେ ପଶି ହଙ୍ଗାମା କରିଛନ୍ତି। ଦଳ ପାଇଁ କାର୍ଯ୍ୟକରିଥିବା ନେତାଙ୍କୁ ଟିକେଟ୍‍ ଦିଆ ନଯାଇ ଅନ୍ୟଙ୍କୁ ଟିକେଟ୍‍ ଦିଆଯାଇଥିବାରୁ କାର୍ଯ୍ୟକର୍ତ୍ତା ଏହାର କଡ଼ା ବିରୋଧ କରିଛନ୍ତି ବୋଲି ସେଠାକାର କଂଗ୍ରେସ ନେତା ନରେନ୍ଦ୍ର ବୋଲାର କହିଛନ୍ତି। ରାୟପୁର ସହର ଆସନ ବିଜେପିର ଗଡ଼ ଭାବେ ଜଣାଶୁଣା। ରାଜ୍ୟର ଶକ୍ତିଶାଳୀ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ ଏହି ବିଧାନସଭା ଆସନରୁ ବିଧାୟକ ଅଛନ୍ତି। କଂଗ୍ରେସରେ ଟିକେଟ୍‍ ବଣ୍ଟାକୁ ନେଇ ଅସନ୍ତୋଷ ଓ ବିରୋଧର ଫାଇଦା ବିଜେପିକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି।

Leave A Reply