କେନ୍ଦ୍ର ଓ ସୁପ୍ରିମକୋର୍ଟ ଟଣାଓଟରାରୁ ନ୍ୟାୟପାଳିକା ପ୍ରଭାବିତ!

0

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ଦେଶର ସର୍ବୋଚ୍ଚ ଅଦାଲତଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି । ଜଷ୍ଟିସ ଯୋଶେଫଙ୍କ ନାମକୁ ସରକାର ସୁପ୍ରିମକୋର୍ଟଙ୍କ କଲେଜିୟମଙ୍କ ନିକଟକୁ ଫେରାଇ ଦେବା ପରେ ଏହି ବିବାଦ ଆରମ୍ଭ ହୋଇଛି। ଏ କ୍ରମରେ ଶୁକ୍ରବାର ସୁପ୍ରିମକୋର୍ଟ ଏବଂ ସରକାରଙ୍କ ମଧ୍ୟରେ ଥିବା ମତଭେଦ ସ୍ପଷ୍ଟ ଦେଖିବାକୁ ମିଳିଥିଲା । କଲେଜିୟମ ଆବଶ୍ୟକତାଠାରୁ କମ୍‌ ବିଚାରପତିଙ୍କ ନାମ ସୁପାରିଶ କରୁଥିବା କେନ୍ଦ୍ର ଅଭିଯୋଗ କରିଥିଲା ବେଳେ କଲେଜିୟମର ସୁପାରିଶ ନାମକୁ ଅନୁମୋଦନ ଦେବାରେ କେନ୍ଦ୍ର ସରକାର ଅହେତୁକ ବିଳମ୍ବ କରୁଥିବା ଓ ପକାଇ ରଖୁଥିବା ସୁପ୍ରିମକୋର୍ଟ ଅଭିଯୋଗ କରିଥିଲେ । ପରସ୍ପରକୁ ଦୋଷାରୋପ ସହ କେନ୍ଦ୍ର ଓ ସୁପ୍ରିମକୋର୍ଟ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି । ଏପଟେ ଏହି ଟଣାଓଟରାରୁ ନ୍ୟାୟପାଳିକା ବ୍ୟବସ୍ଥା ବିଶେଷ ଭାବେ ପ୍ରଭାବିତ ହେବାକୁ ଯାଉଛି । ନିମ୍ନ ଅଦାଲତରୁ ଦେଶର ସର୍ବୋଚ୍ଚ ଅଦାଲତ ପର୍ଯ୍ୟନ୍ତ ୩ କୋଟିରୁ ଅଧିକ ମାମଲା ବିଚାର ନହୋଇ ପଡିରହିଛି । ହାଇକୋର୍ଟଗୁଡ଼ିକରେ ୩୮% ବିଚାରପତି ପଦ ଖାଲି ପଡିଛି। ସେହିପରି ସୁପ୍ରିମକୋର୍ଟରେ ୭ଟି ବିଚାରପତି ପଦ ଖାଲି ପଡିଛି । ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପକ୍ରିୟା ଅନୁସାରେ ସୁପ୍ରିମକୋର୍ଟର କଲେଜିୟମ ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ଓକିଲଙ୍କ ନାମ ଉପରେ ବିଚାର କରିଥାଏ ଓ ନାମ ଚୂଡାନ୍ତ ହେବା ପରେ ସରକାରଙ୍କ ନିକଟକୁ ପଠାଇଥାଏ । ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ହାଇକୋର୍ଟ କଲେଜିୟମ ନିମ୍ନ ଅଦାଲତ ଏବଂ ଓକିଲଙ୍କ ନାମ ଚୂଡାନ୍ତ କରି ସୁପ୍ରିମକୋର୍ଟ କଲେଜିୟମଙ୍କ ନିକଟକୁ ପଠାଇଥାଏ । ସୁପ୍ରିମକୋର୍ଟଙ୍କ ସୁପାରିଶକ୍ରମେ ସରକାର ଏହି ନାମକୁ ଅନୁମୋଦନ ପ୍ରଦାନ କରିଥାନ୍ତି । ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ପରେ ସରକାର ଯଦି ନାମକୁ ଅନୁମୋଦନ ପ୍ରଦାନ ନକରନ୍ତି ତବେ ପୁନଃ ବିଚାର ପାଇଁ ନାମଗୁଡ଼ିକୁ ସୁପ୍ରିମକୋର୍ଟ କଲେଜିୟମ ନିକଟକୁ ଫେରାଇ ଦେଇଥାନ୍ତି । ସୁପ୍ରିମକୋର୍ଟ କଲେଜିୟମ ପୁନଃ ସେହି ନାମକୁ ସରକାରଙ୍କ ନିକଟକୁ ପଠାଇଲେ ସରକାର ତାକୁ ଆଉ ଫେରାଇ ପାରିବେ ନାହିଁ । ଏହି ପ୍ରକ୍ରିୟାରେ ଟଣାଓଟରାରୁ ବିଚାରପତି ନିଯୁକ୍ତି ବିଳମ୍ବିତ ହେବାରେ ଲାଗିଛି । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମେଘାଳୟ, ତ୍ରିପୁରା, ମଣିପୁର ହାଇକୋର୍ଟରେ ୨ ଜଣ ଲେଖାଏଁ ବିଚାରପତି ନିଯୁକ୍ତିକୁ ସ୍ବୀକୃତି ମିଳିଥିବାବେଳେ ସେଠାରେ ମାତ୍ର ଜଣେ ଲେଖାଏଁ ବିଚାରପତି ଅଛନ୍ତି । ଏଭଳି କ୍ଷେତ୍ରରେ ଜଣିକିଆ ଖଣ୍ଡପୀଠର ରାୟ ବିରୋଧରେ ଅନ୍ୟ ଖଣ୍ଡପୀଠରେ ଆବେଦନ କରିବାକୁ କୌଣସି ମଞ୍ଚ ନାହିଁ । ଫଳରେ ମୋକଦ୍ଦମାକାରୀ ତାଙ୍କ ଆବେଦନକୁ ଗୁଆହାଟୀ ହାଇକୋର୍ଟଙ୍କୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ନିକଟରେ ଗୁହାରୀ କରୁଛନ୍ତି । ୨୦୧୮ ମଇ ୧ ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁସାରେ ସୁପ୍ରିମକୋର୍ଟରେ ୭ ବିଚାରପତି ପଦ ଖାଲି ପଡିଛି। ଉଲ୍ଲେଖ ଯେ ସୁପ୍ରିମକୋର୍ଟରେ ମୋଟ ୩୧ ବିଚାରପତି ନିଯୁକ୍ତିକୁ ସ୍ୱୀକୃତି ମିଳିଛି । ଏବେ ସୁପ୍ରିମକୋର୍ଟରେ ମୋଟ ୨୪ ଜଣ ବିଚାରପତି ଅଛନ୍ତି । ଚଳିତ ବର୍ଷ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‌ ଚେଲମେଶ୍ୱରଙ୍କ ସହ ଆଉ କେତେକ ଜଷ୍ଟିସ୍‌ ଅବସର ଗ୍ରହଣ କରିବେ । ଦେଶରେ ୨୪ଟି ହାଇକୋର୍ଟରେ ମୋଟ ୧୦୭୯ ବିଚାରପତି ନିଯୁକ୍ତିକୁ ସ୍ୱୀକୃତି ମିଳିଛି । ହେଲେ ୪୧୩ ବିଚାରପତି ପଦ ଖାଲି ପଡିଛି । ଆହ୍ଲାବାଦ ହାଇକୋର୍ଟରେ ସର୍ବାଧିକ ବିଚାରପତି ପଦ ଖାଲି ପଡିଛି । ଆହ୍ଲାବାଦ ହାଇକୋର୍ଟରେ ୧୬୦ ବିଚାରପତିଙ୍କ ଆବଶ୍ୟକତା ଥିବାବେଳେ ୬୩ ପଦ ଖାଲି ପଡିଛି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ୮୫ ପଦରୁ ୩୫, ଦିଲ୍ଲୀ ହାଇକୋର୍ଟରେ ୬୦ରୁ ୨୩, କର୍ଣ୍ଣାଟକ ହାଇକୋର୍ଟରେ ୬୨ରୁ ୩୧, କଲକାତା ହାଇକୋର୍ଟରେ ୭୨ରୁ ୩୫ ବିଚାରପତି ପଦ ଖାଲି ପଡିଛି । ସୁପ୍ରିମକୋର୍ଟରେ ଏବେ ୫୪,୦୧୩ ମୋକଦ୍ଦମା ବିଚାରଧୀନ ରହିଛି ।

Leave A Reply