ସିବିଏସ୍‍ଇ ଦ୍ୱାଦଶ ପରୀକ୍ଷା: ପୁନଃମୂଲ୍ୟାଙ୍କନ ପରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କର ବଢିଲା ନମ୍ବର

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ପକ୍ଷରୁ ପ୍ରକାଶ ପାଇଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳର ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ମାନଙ୍କର ଫଳ ପ୍ରକାଶ ପାଇଛି। ଆବେଦନକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ନମ୍ବର ବଦଳିଛି। ଉଲ୍ଲେଖନୀୟ ହେଉଛି ପୁନଃମୂଲ୍ୟାଙ୍କନ ପରେ ମହାରାଷ୍ଟ୍ରର ନାଗପୁର ଟପ୍ପର୍‍ ମଧ୍ୟ ପରିବର୍ତ୍ତନ ହୋଇଛନ୍ତି।
ସଂଶୋଧିତ ନମ୍ବର ଅନୁସାରେ ବର୍ତ୍ତମାନ ଇଶିତା ଗୁପ୍ତା ନାଗପୁରର ଟପ୍ପର୍‍ ହୋଇ ଯାଇଛନ୍ତି। ଶିକ୍ଷା ପରିଷଦ ପକ୍ଷରୁ ପୂର୍ବରୁ ପ୍ରକାଶ କରାଯାଇଥିବା ଫଳରେ ଇଶିତା ଅସନ୍ତୁଷ୍ଟ ଥିଲେ। ତାଙ୍କୁ ଲାଗିଥିଲା ରାଜନୀତିବିଜ୍ଞାନ ବଷୟରେ ତାଙ୍କର କମ୍‍ ନମ୍ବର ଆସିଛି, କାରଣ ଅନ୍ୟ ସମସ୍ତ ବିଷୟରେ ସେ ୯୫ ରୁ ଅଧିକ ନମ୍ବର ହାସଲ କରିଥିଲେ। ତେଣୁ ସେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିଥିଲେ। ପୁନଃ ମୂଲ୍ୟାଙ୍କନ ଫଳ ପ୍ରକାଶ ପାଇବା ପରେ ତାଙ୍କର ୨୨ ନମ୍ବର ବଢିଥିବା ସେ କହିଛନ୍ତି।
ପୁନଃ ମୂଲ୍ୟାଙ୍କନ ପାଇଁ ସମୁଦାୟ ୯,୧୧୧ ଛାତ୍ରଛାତ୍ରୀ ଆବେଦନ କରିଥିଲେ ଓ ୪୬୩୨ ଛାତ୍ରଛାତ୍ରୀଙ୍କ ନମ୍ବରରେ ପରିବର୍ତ୍ତନ ଆସିଥିବା ଜଣାପଡ଼ିଛି। କୁହାଯାଉଛି ସମସ୍ତ ବିଷୟରେ ଗୋଟିଏ ବ୍ୟତିକ୍ରମ ନଜରକୁ ଆସିଛି ଯେ, ଛାତ୍ରଛାତ୍ରୀଙ୍କୁ ସଠିକ୍‍ ଉତ୍ତରରେ ମଧ୍ୟ ୦ ନମ୍ବର ଦିଆଯାଇଛି। ଏ ନେଇ ଶିକ୍ଷା ପରିଷଦ ପକ୍ଷରୁ ୨୧୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
୨୯ ମେ’ ରେ ସିବିଏସ୍‍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥର ପାସ୍‍ହାର ୮୩.୦୧ ପ୍ରତିଶତ ରହିଛି। ଗାଜିଆବାଦର ମେଘନା ଶ୍ରୀବାସ୍ତବ ୫୦୦ ରୁ ୪୯୯ନମ୍ବର ରଖି ଟପ୍ପର୍‍ ହୋଇଥିଲେ।

Leave A Reply