ଟାର୍ଗେଟରେ ଆଲୋକ ବର୍ମା!

0

ନୂଆଦିଲ୍ଲୀ: ସିବିଆଇର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଅନ୍ତଦ୍ୱର୍ନ୍ଦ୍ୱ କ୍ରମଶଃ ସମଗ୍ର ଦେଶର ପ୍ରମୁଖ ପ୍ରସଙ୍ଗରେ ପରିଣତ ହୋଇଯାଇଛି। ଏଭଳି ପରିସ୍ଥିତିରେ ମାଂସ ବ୍ୟବସାୟୀଙ୍କଠାରୁ ଲାଞ୍ଚ ଅଭିଯୁକ୍ତ ରାକେଶ ଆସ୍ଥାନା ଓ ଅଭିଯୋଗକାରୀ ଆଲୋକ ବର୍ମାଙ୍କୁ ସରକାର ଛୁଟିରେ ପଠାଇ ଦେଇଛନ୍ତି। ହେଲେ ଏତିକିରେ ମାମଲା ଶାନ୍ତ ହେବା ପରିବର୍ତ୍ତେ ଆଗାମୀ ଦିନରେ କିଛି ବଡ଼ ଘଟଣା ଘଟିବା ପ୍ରତି ସମ୍ଭାବନା ଦେଖା ଦେଉଛି। କାରଣ ଗୋଟିଏ ପଟେ ମାଂସ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗରେ ଛୁଟିରେ ଥିବା ରାକେଶ ଆସ୍ଥାନା ମୌନ ରହିଥିବାବେଳେ ଆଲୋକ ବର୍ମା ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର ବେଆଇନ ଭାବେ ସିବିଆଇରେ ହସ୍ତକ୍ଷେପ କରୁଛନ୍ତି ବୋଲି ଶ୍ରୀ ବର୍ମା ସୁପ୍ରିମ କୋର୍ଟରେ ଅଭିଯୋଗ କରି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ସିଭିସି ପକ୍ଷରୁ ବୈଠକରେ ଶ୍ରୀ ବର୍ମା ଓ ଶ୍ରୀ ଆସ୍ଥାନାଙ୍କୁ ଛୁଟିରେ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ସକାଳେ ଏ ସମ୍ପର୍କରେ ଶ୍ରୀ ବର୍ମା ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଗୁରୁବାର ସକାଳେ ଶ୍ରୀ ବର୍ମାଙ୍କ ଘର ସମ୍ମୁଖରୁ ସନ୍ଦେହଜନକ ଅବସ୍ଥାରେ ୪ଜଣ ଗୁଇନ୍ଦା ବିଭାଗର ଅଧିକାରୀ ଧରା ପଡ଼ିବା ପରେ ସିବିଆଇର ଅନ୍ତଦ୍ୱର୍ନ୍ଦ୍ୱ କ୍ରମଶଃ ଅଧିକ ରହସ୍ୟାବୃତ୍ତ ହୋଇପଡ଼ିଛି।
କ’ଣ କେନ୍ଦ୍ର ସରକାର ଶ୍ରୀ ବର୍ମାଙ୍କ ଉପରେ ବାସ୍ତବରେ କୌଣସି ଚାପ ସୃଷ୍ଟି କରିବାକୁ ଚାହୁଁଛନ୍ତି? ତାଙ୍କ ଝିଅ ବିବାହର ଖର୍ଚ୍ଚକୁ ନେଇ ଇତିମଧ୍ୟରେ ତଦନ୍ତ ଆରମ୍ଭ ହୋଇଯାଇଛି। ହେଲେ ମାଂସ ବ୍ୟବସାୟୀଙ୍କଠାରୁ ଲାଞ୍ଚ ଅଭିଯୁକ୍ତ ଶ୍ରୀ ଆସ୍ଥାନାଙ୍କୁ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅଥଚ ଶ୍ରୀ ଆସ୍ଥାନାଙ୍କ ନାମରେ ଆଇନଗତ ଭାବେ ଏଫଆଇଆର ରୁଜୁ ହୋଇଛି। ଏହି ମାମଲାର ତଦନ୍ତ ଦାୟିତ୍ୱରେ ଥିବା ପ୍ରମୁଖ ୧୩ଜଣ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରି ଦେଇ ସିବିଆଇ ଏହି ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁ ନାହାନ୍ତି ତ!
ବୁଧବାର ସୁପ୍ରିମ କୋର୍ଟରେ ଆଇନଜୀବୀ ଗୋପାଳ ଶଙ୍କର ନାରାୟଣ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପିଠରେ ସିବିଆଇ ନିର୍ଦେଶକ ଶ୍ରୀ ବର୍ମାଙ୍କୁ ଦାୟିତ୍ୱରୁ ଅପସାରଣ କରିବା ଓ ତାଙ୍କୁ ଛୁଟିରେ ପଠାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନ କରିଥିଲେ। ଏହା ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାନର ବରିଷ୍ଠ ଅଧିକାରୀଙ୍କ ସମ୍ପର୍କିତ ହୋଇଥିବାରୁ ମାମଲାର ଶୁଣାଣି ଶୀଘ୍ର କରିବାକୁ ଆଇନଜୀବୀ କୋର୍ଟରେ ଗୁହାରି କରିଥିଲେ। କୋର୍ଟ ମଧ୍ୟ ମାମଲାର ସମ୍ବେଦନଶୀଳନାକୁ ଅନୁଭବ କରି ଶୁଣାଣି ଶୁକ୍ରବାର କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଦିଲ୍ଲୀ ସ୍ପେସାଲ ପୁଲିସ ଆଇନର ଧାରା ୪-ବି ଅନୁଯାୟୀ ସିବିଆଇ ନିର୍ଦେଶକଙ୍କ କାର୍ଯ୍ୟକାଳ ୨ବର୍ଷ ପାଇଁ ହୋଇଥାଏ। କାର୍ଯ୍ୟକାଳର ସମୟସୀମା ପୂର୍ବରୁ ଶ୍ରୀ ବର୍ମାଙ୍କଠାରୁ ତାଙ୍କ ଅଧିକାର ଛଡ଼ାଇବା ବେଆଇନ। ଆଇନର ଧାରା ୪-ଏ ଅନୁଯାୟୀ, ପ୍ରଧାନମନ୍ତ୍ରୀ, ବିପକ୍ଷ ନେତା ଓ ପ୍ରଧାନ ବିଚାରପତିଙ୍କ ଦ୍ୱାରା ଗଠିତ ଉଚ୍ଚ କମିଟି ସିବିଆଇ ନିର୍ଦେଶକଙ୍କ ଚୟନ କରିଥାନ୍ତି। ଧାରା ୪-ବି୨ ଅନୁଯାୟୀ ସିବିଆଇ ନିର୍ଦେଶକଙ୍କୁ ସମୟସୀମା ପୂର୍ବରୁ ତାଙ୍କ କାର୍ଯ୍ୟରୁ ଅପସାରଣ କରିବାକୁ ହେଲେ ଏହି କମିଟିର ଅନୁମୋଦନର ଆବଶ୍ୟକତା ରହିଛି। ଶ୍ରୀ ବର୍ମାଙ୍କ କ୍ଷେତ୍ରରେ ଏହି ସବୁ ପ୍ରକ୍ରିୟାର ପାଳନ କରାଯାଇ ନଥିବା ଅଭିଯୋଗ ହୋଇଛି। ତେଣୁ ତାଙ୍କୁ ଦାୟିତ୍ୱରୁ ଅପସାରଣ କରିବା ବେଆଇନ ବୋଲି ଶ୍ରୀ ବର୍ମା ସୁପ୍ରିମ କୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି।
ଶ୍ରୀ ବର୍ମା ତାଙ୍କ ଆବେଦନରେ ଦୀର୍ଘ ୩୫ବର୍ଷର କାର୍ଯ୍ୟକାଳର ଉଦାହରଣ ଦେଇଛନ୍ତି। ଏହି ସମୟସୀମା ମଧ୍ୟରେ ଶ୍ରୀ ବର୍ମାଙ୍କ ନାମରେ କୌଣସି ଅଭିଯୋଗ ହୋଇ ନଥିଲା। ପରବର୍ତ୍ତୀ ସମୟରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ମୁଖିଆ ଦାୟିତ୍ୱ ତୁଲାଇବା ବାସ୍ତବରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। କେତେବେଳେ କେମିତି ତଦନ୍ତ ରିପୋର୍ଟ ସରକାରଙ୍କୁ ସୁହାଉ ନଥିଲେ ମଧ୍ୟ ଜାଞ୍ଚ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ସମେତ ସମଗ୍ର ସିବିଆଇ ଟିମ ରିପୋର୍ଟକୁ ସମର୍ଥନ କରିଥାନ୍ତି। କେବଳ ବିଶେଷ ନିର୍ଦେଶକ ରାକେଶ ଆସ୍ଥାନା ରିପୋର୍ଟକୁ ବିରୋଧ କରିଥାଆନ୍ତି। ତେଣୁ ରିପୋର୍ଟକୁ ପ୍ରଭାବିତ କରିବାକୁ ଶ୍ରୀ ଆସ୍ଥାନା ସିବିଆଇ ଉପରେ ଚାପ ପ୍ରୟୋଗ କରନ୍ତି। କେବଳ ସେତିକି ନୁହେଁ ଶ୍ରୀ ଆସ୍ଥାନା ମିଥ୍ୟା ଅଭିଯୋଗ ଆଣି ଶ୍ରୀ ବର୍ମାଙ୍କ ଚରିତ୍ରରେ ଦାଗ ଲଗାଇବାକୁ ଉଦ୍ୟମ କରିଛନ୍ତି। ତେଣୁ ସିବିଆଇ ପକ୍ଷରୁ ଶ୍ରୀ ଆସ୍ଥାନାଙ୍କ ନାମରେ ଏଫଆଇଆର ରୁଜୁ କରାଯାଇଛି। ଶ୍ରୀ ଆସ୍ଥାନା ମଧ୍ୟ ଏହି ଅଭିଯୋଗକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଛନ୍ତି। ଏଭଳି ସମୟରେ ସିବିଆଇ ନିକଟରେ ଏକାଧିକ ଏଭଳି ମାମଲା ରହିଛି ଯାହା ବ୍ୟାପକ ମାତ୍ରାରେ ସମ୍ବେଦନଶୀଳ। ତେଣୁ ସେସବୁକୁ ଆବେଦନରେ ଉଲ୍ଲେଖ କରି ନାହାନ୍ତି ବୋଲି ଶ୍ରୀ ବର୍ମା ପ୍ରକାଶ କରିବା ସହ ଯଦି କୋର୍ଟ ନିର୍ଦେଶ ମିଳେ ତେବେ ସେସବୁ ଆଗାମୀ ଦିନରେ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିବେ ବୋଲି ଶ୍ରୀ ବର୍ମା ସ୍ପଷ୍ଟ କରିଛନ୍ତି। ଏଭଳି ପରିସ୍ଥିତିରେ ବେଆଇନ ଭାବେ ସରକାର ତାଙ୍କୁ ପଦରୁ ଅପସାରଣ କରିବା ସିବିଆଇର ଅନ୍ୟାନ୍ୟ ଅଧିକାରୀଙ୍କ ମାନସିକତାକୁ ପ୍ରଭାବିତ କରିବାର ସମ୍ଭାବନା ଦେଖା ଦେଇଛି। ତେଣୁ ସିବିଆଇର ସ୍ୱତନ୍ତ୍ରତାକୁ ରକ୍ଷା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପଦକ୍ଷେପ ନେବାକୁ ଶ୍ରୀ ବର୍ମା ଆବେଦନ କରିଛନ୍ତି।
ଅପରପକ୍ଷରେ ଗୁରୁବାର ପୂର୍ବାହ୍ନରେ ଶ୍ରୀ ବର୍ମାଙ୍କ ସରକାରୀ ବାସଭବନ ସମ୍ମୁଖରୁ ସନ୍ଦେହଜନକ ଅବସ୍ଥାରେ ଧରା ପଡ଼ିଥିବା ୪ଜଣ ଗୁଇନ୍ଦା ବିଭାଗୀୟ ଅଧିକାରୀ କେଉଁ ଉଦ୍ଦେଶ୍ୟରେ ଯାଇଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ଗୁଇନ୍ଦା ବିଭାଗ ସିଧାସଳଖ ଗୃହ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବାବେଳେ ସିବିଆଇ ସମ୍ପୂର୍ଣ୍ଣ ଭାବେ ସ୍ୱତନ୍ତ୍ର ସଂସ୍ଥା। ପୁଲିସ ଅଭିଯୋଗ ଅନୁଯାୟୀ ଉକ୍ତ ୪ଗୁଇନ୍ଦା ଅଧିକାରୀ ବିଳମ୍ବିତ ରାତିରୁ ଶ୍ରୀ ବର୍ମାଙ୍କ ଘର ସମ୍ମୁଖରେ ବୁଲୁଥିଲେ। କେନ୍ଦ୍ର ଗୃହ ବିଭାଗ ଗୁଇନ୍ଦା ବିଭାଗୀୟ ଅଧିକାରୀ ନିୟମିତ ଭାବେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଯାଇଥିଲେ ବୋଲି ପ୍ରକାଶ କରିଛି। ହେଲେ ପ୍ରଶ୍ନ ଉଠୁଛି ସୁରକ୍ଷାର ଯାଞ୍ଚ ପାଇଁ ଗୁଇନ୍ଦା ବିଭାଗର ୪ଅଧିକାରୀ ବିଳମ୍ବିତ ରାତିରୁ ଦିନ ତମାମ କେଉଁ ଉଦ୍ଦେଶ୍ୟରେ ଶ୍ରୀ ବର୍ମାଙ୍କ ବାସଭବନ ଆଗରେ ବୁଲୁଥିଲେ?

Leave A Reply