ଦିଲ୍ଲୀ ଗଣ ଆତ୍ମହତ୍ୟା ଘଟଣା : ଲଳିତ ଭୂତ ସିନେମା ଦେଖିବାକୁ ଭଲ ପାଉଥିଲେ

0

ନୂଆଦିଲ୍ଲୀ : ଦିଲ୍ଲୀ ବୁରାରି ଅଞ୍ଚଳରେ ଭାଟିଆ ପରିବାରର ୧୧ ସଦସ୍ୟଙ୍କ ସମୂହ ଆତ୍ମହତ୍ୟା ଘଟଣାର ତଦନ୍ତରେ କୌଣସି ନୂଆ ମୋଡ ଆସି ନାହିଁ। ତଦନ୍ତକାରୀ ଅଧିକାରୀ ଏହାକୁ ଆତ୍ମହତ୍ୟା ବୋଲି ବିବେଚନା କରିବା ସହ ବିଭିନ୍ନ କାରଣ ଉପରେ ଅନୁସନ୍ଧାନ ଚଳାଇଛନ୍ତି। ଭାଟିଆ ପରିବାର ସାନପୁଅ କୁହାଯାଉଥିବା ଲଲିତ ଭାଟିଆ (୪୫)ଙ୍କ ପ୍ରରୋଚନାରେ ସମସ୍ତେ ଆତ୍ମହତ୍ୟା କରିଥିଲେ। ତେଣୁ ଲଳିତ ଓ ତାଙ୍କ ପତ୍ନୀ ଟିନାଙ୍କ କାର୍ଯ୍ୟକଳାପ ଉପରେ ତଦନ୍ତ କେନ୍ଦ୍ରୀଭୂତ ହୋଇଛି ବୋଲି ଡିସିପି (କ୍ରାଇମ) କହିଛନ୍ତି। ଲଲିତ ଓ ପରିବାରର ଅନ୍ୟ ସଦସ୍ୟଙ୍କ ମାନସିକତା ଉପରେ ଜାଣିବା ପୁଲିସ ମନସ୍ତତ୍ତ୍ୱବିଦ୍‍ଙ୍କ ପରାମର୍ଶ ଲୋଡିଛି। ମନସ୍ତତ୍ତ୍ୱବିଦ୍‍ଙ୍କ କହିବା ଅନୁଯାୟୀ ଭାଟିଆ ପରିବାରର ସମସ୍ତ ସଦସ୍ୟ ମାୟା, ମରିଚୀକା ଭଳି ମାନସିକ ବିକାରଗ୍ରସ୍ତ ଥିଲେ। ସେହିପରି ଲଲିତ ଭୂତ, ପ୍ରେତ ସମ୍ପର୍କିତ ବିଭିନ୍ନ ସିନେମା ଦେଖିବାକୁ ପସନ୍ଦ କରୁଥିଲେ। ତାଙ୍କ ମୋବାଇଲ ୟୁଟ୍ୟୁବ୍‍ର ତଥ୍ୟ ଆଧାରରେ ପୁଲିସ ଏହା କହିଛି।
ତଦନ୍ତରୁ ଜଣାଯାଇଛି ଯେ ଆତ୍ମହତ୍ୟା ପାଇଁ ବ୍ୟବହୃତ ସାମଗ୍ରୀକୁ ୧୦ଦିନ ପୂର୍ବରୁ କିଣାଯାଇଥିଲା। ସେହିପରି ସିସିଟିଭି ଫୁଟେଜରୁ ଜଣାଯାଇଛି ଜୁନ୍‍ ୨୩ରୁ ୩୦ ତାରିଖ ମଧ୍ୟରେ ଲଳିତ ଓ ତାଙ୍କ ପତ୍ନୀ ଟିନା ରଶି ଓ ଟୁଲ ସବୁ ବଜାରରୁ କିଣି ଆଣିଥିଲେ। ସାଧାରଣତଃ ଘର ପାଇଁ ଆବଶ୍ୟକ ଜିନିଷ କିଣିବା ଲାଗି ଚାକରକୁ ପଠାଇଥାନ୍ତି; ମାତ୍ର ଏ ସବୁ ଜିନିଷ ଲଳିତ ନିଜେ କିଣିଥିଲେ।
ତଦନ୍ତରୁ ଆହୁରି ଜଣାଯାଇଛି ଯେ ଲଳିତ ପରିବାର ସଦସ୍ୟଙ୍କୁ ସୈନ୍ୟ ବାହିନୀରେ ଅନୁସରଣ କରାଯାଉଥିବା ଶୃଙ୍ଖଳା ପାଳନ ପାଇଁ ନିର୍ଦେଶ ଦେଉଥିଲେ। ଲଳିତଙ୍କ ପିତା ଗୋପାଳ ସିଂହ ସୈନ୍ୟବାହିନୀରେ ଚାକିରି କରି ଅବସର ନେଇଥିଲେ। ଏପରି କି ସକାଳ ପ୍ରାର୍ଥନା ପରେ ଲଳିତ ଘର ଲୋକଙ୍କୁ ସୈନିକ ଭଳି ମୁଦ୍ରାରେ ଠିଆ ହେବାକୁ କହୁଥିଲେ। ତେଣୁ ପରିବାର ଲୋକ ଲଳିତଙ୍କ କୌଣସି ନିର୍ଦେଶକୁ ବିରୋଧ କରୁ ନଥିଲେ। ଶେଷରେ ଜୁଲାଇ ୧ରେ ତାଙ୍କରି କଥାରେ ସମସ୍ତେ ଆତ୍ମହତ୍ୟା କରିଥିଲେ।

Leave A Reply