ବୁରାଡ଼ି କାଣ୍ଡ:ମୃତ୍ୟୁର ସ୍କ୍ରିପ୍ଟ ପୂର୍ବରୁ ହୋଇଥିଲା ଲେଖା

0

ନୂଆଦିଲ୍ଲୀ: ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିବା ଦିଲ୍ଲୀ ବୁରାଡ଼ି କାଣ୍ଡ ରହସ୍ୟ ଉନ୍ମୋଚନ କରିବାକୁ ଉଦ୍ୟମ କରୁଥିବା ଦିଲ୍ଲୀ ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି। ମୃତକଙ୍କ ଘରୁ ଉଦ୍ଧାର ହୋଇଥିବା ଏକ ଖାତା। ଏହି ଖାତାରେ ଲେଖା ଯାଇଥିବା ପ୍ରତିଟି ଶବ୍ଦ ଓ ଧାଡ଼ିକୁ ପାଳନ କରିଛନ୍ତି ମୃତକଙ୍କ ପରିବାରବର୍ଗ। ଏପରିକି ଖାତାରେ ଉଲ୍ଲେଖୀତ ନିର୍ଦେଶ ଅନୁଯାୟୀ ପରିବାରର ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। କେଉଁ ବ୍ୟକ୍ତି କେଉଁଠି ଆତ୍ମହତ୍ୟା କରିବେ ସେ ସମ୍ପର୍କରେ ମଧ୍ୟ ଖାତାରେ ନିର୍ଦେଶ ଦିଆଯାଇଛି। ତେବେ ଏହି ଖାତାଟି କାହାର? କିଏ ଲେଖିଛି ଏଭଳି ନିର୍ଦେଶ? ଖାତାରେ ଲେଖାଯାଇଥିବା ନିର୍ଦେଶ କ’ଣ ପରିବାରବର୍ଗଙ୍କ ମଧ୍ୟରୁ କେହି ଲେଖିଛି ନା’ ଅନ୍ୟ କେହି ପରିବାରବର୍ଗଙ୍କ ପାଇଁ ପୂର୍ବରୁ ପ୍ରସ୍ତୁତ କରିଛି ମୃତ୍ୟୁର ସ୍କ୍ରିପ୍ଟ? ଏଭଳି ଏକାଧିକ ପ୍ରଶ୍ନର ଖିଅ ଖୋଜି ଚାଲିଛି ଦିଲ୍ଲୀ ପୁଲିିିିସ।
ଇତିମଧ୍ୟରେ ୧୧ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟ ଦିଲ୍ଲୀ ପୁଲିସର ହସ୍ତଗତ ହୋଇଛି। ସମସ୍ତଙ୍କ ମୃତ୍ୟୁର କାରଣ ଫାସି ବୋଲି ଦର୍ଶାଯାଇଛି। ବୁରାଡ଼ିର ସନ୍ଥନଗରଠାରେ ଗୋଟିଏ ପରିବାରର ୧୧ଜଣ ରବିବାର ମୃତ ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା। ପରିବାରର ୧୦ଜଣଙ୍କୁ ଗଳାରେ ଫାସି ଲଗାଇ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଥିବାବେଳେ ପରିବାରର ସବୁଠାରୁ ବୟସ୍କା ୭୫ବର୍ଷିୟା ନାରାୟଣୀଙ୍କ ମୃତଦେହ ଘର ମଝିରେ ମାଟିରେ ପଡ଼ିଥିଲା।
ତଦନ୍ତରେ ପୁଲିସକୁ ଘର ଭିତରୁ ମିଳିଛି ଏକ ଖାତା। ଏହି ଖାତାରେ ମୃତ୍ୟୁର ଦିନ, ସମୟ ଓ ମୃତ୍ୟୁର ଶୈଳୀ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି। ଏହି ଖାତା ଘର ଭିତରେ ଥିବା ଏକ ଛୋଟ ମନ୍ଦିରରେ ରଖାଯାଇ ଥିଲା। ଅଶ୍ଚର୍ଯ୍ୟର ବିଷୟ ଘରର ୧୧ଜଣ ସଦସ୍ୟଙ୍କ ମୃତ୍ୟୁ ଠିକ ସେହିପରି ହୋଇଛି ଯେପରି ଭାବରେ ଖାତାରେ ଉଲ୍ଲେଖୀତ ହୋଇଛି।
ମୃତ୍ୟୁର ଖାତା
୧) ପରିବାରର ସମସ୍ତ ସଦସ୍ୟ ନିଜ ଆଖିରେ କନା ସଠିକ୍‍ ଭାବରେ ବାନ୍ଧିବେ। ଅଖିରେ ଏଭଳି ଭାବରେ କନା ବନ୍ଧା ହେବ ଯେ, ବ୍ୟକ୍ତିଙ୍କୁ କିଛି ଦୃଶ୍ୟମାନ ହେଉ ନଥିବ। ଏହା ବ୍ୟତୀତ ମୃତ୍ୟୁ ପାଇଁ ଦୌଡ଼ି ସମେତ ସୂତାର ଓଢଣୀ ଓ ଶାଢୀର ବ୍ୟବହାର କରିପାରିବେ।
୨) ୭ଦିନ ଧରି ଅନବରତ ପୂଜା ପାଠ କରାଯିବ। ଏହି ସମୟରେ ଯଦି କୌଣସି ବାହାର ବ୍ୟକ୍ତି ଘରକୁ ଆସନ୍ତି ତେବେ ପୂଜା ତହି ପରଦିନ କରିବାକୁ ଖାତାରେ ନିର୍ଦେଶ ଦିଆଯାଇ ଥିଲା।
୩) ଖାତାରେ ମୃତ୍ୟୁ ପାଇଁ ରବିବାର ଅଥବା ଗୁରୁବାର ଦିନକୁ ଉଚିତ ଦର୍ଶାଯାଇଥିଲା।
୪) ପରିବାରର ବୟସ୍କା ମହିଳା ଛିଡ଼ା ହୋଇ ପାରୁ ନଥିବାରୁ ତାଙ୍କୁ ଅନ୍ୟ କୋଠରୀରେ ଶୋଇ ମୃତ୍ୟୁକୁ ଆପଣେଇବାକୁ ପଡ଼ିବ।
୫) ପରିବାରର ସମସ୍ତ ସଦସ୍ୟଙ୍କ ଚିନ୍ତା ଏକପ୍ରକାର ହେବା ସହ ସମସ୍ତ କାର୍ଯ୍ୟକୁ ଦୃଢତା ଓ ଶ୍ରଦ୍ଧାର ସହ ସମ୍ପାଦିତ କରିବାକୁ ପଡ଼ିବ।
୬) ଘରକୁ ସ୍ୱଳ୍ପ ଆଲୋକରେ ଆଲୋକିତ ରଖିବାକୁ ପଡ଼ିବ।
୭) ହାତରେ ବାନ୍ଧି ଥିବା ଲୁଗା ବଳିଗଲେ, ତାହାକୁ ଆଖିରେ ବ୍ୟବହାର କରିବାକୁ ପଡ଼ିବ।
୮) ମୁହଁରେ ମଧ୍ୟ ରୁମାଲ ଦ୍ୱାରା ବନ୍ଧନକୁ ଅଧିକ ମଜବୁତ୍‍ କରିବାକୁ ପଡ଼ିବ।
୯) ଯେତେ ଦୃଢତା ଓ ଶ୍ରଦ୍ଧାର ସହ କାର୍ଯ୍ୟ ସମ୍ପାଦିତ କରିବ ସେତେ ଭଲ ପରିଣାମ ମିଳିବ।
୧୦) ରାତି ୧୨ରୁ ୧ଟା ମଧ୍ୟରେ ମୃତ୍ୟୁକୁ ଆପଣେଇବାକୁ ପଡ଼ିବ। ଏହା ପୂର୍ବରୁ ଯଜ୍ଞ ଅନୁଷ୍ଠିତ ହେବ।

ଏପରିକି ଖାତାରେ ପରିବାରର କେଉଁ ସଦସ୍ୟ କେଉଁଠି ମରିବେ ତାହା ମଧ୍ୟ ଉଲ୍ଲେଖ କରାଯାଇ ଥିଲା। ପରିବାରବର୍ଗଙ୍କ ମୃତଦେହ ମଧ୍ୟ ଅବିକଳ ସେହି ସ୍ଥାନରୁ ପୁଲିସ ଉଦ୍ଧାର କରିଥିଲା। ନାରାୟଣୀ ଦେବୀ ଭିନ୍ନ ଏକ କୋଠରୀରେ ଶୋଇ ଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ପୁଅ ଭୁବନେଶ ଓ ଲଲୀତ ଓ ସେମାନଙ୍କ ପତ୍ନୀ ଓ ପିଲାମାନେ ଛାତରେ ଲାଗିଥିବା ଲୁହା ଜାଲିରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ନାରାୟଣୀ ଦେବୀଙ୍କ ଝିଅ ଓ ନାତୁଣୀ ଝରକାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଭୁବନେଶ ଓ ଲଲୀତଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ହାତ ବନ୍ଧା ହୋଇଥିଲା।

ଖାତାରେ ପ୍ରଥମ ଲେଖା ନଭେମ୍ବର ୨୦୧୭ରେ ଆରମ୍ଭ ହୋଇଥିବାବେଳେ ୨୫ଜୁନରେ ଶେଷ ଲେଖା ରହିଛି। ଲେଖା ଅନୁଯାୟୀ କାର୍ଯ୍ୟ ସମ୍ପାଦନ କଲେ ପରିବାରର ସମସ୍ତଙ୍କୁ ମିଳିବ ମୋକ୍ଷ ପ୍ରାପ୍ତି ବୋଲି ଖାତାରେ ଉଲ୍ଲେଖ କରାଯାଇଛି।

ଏହି ଖାତାର ପ୍ରତିଟି ଶବ୍ଦକୁ ମୃତ୍ୟୁ ସହ ମେଳାଇ ଦେଖୁଛି ପୁଲିସ। କ’ଣ ବାସ୍ତବରେ ଏହି ପରିବାର ମୋକ୍ଷ ପ୍ରାପ୍ତି ପାଇଁ ଏଭଳି ମୃତ୍ୟୁକୁ ଆପଣେଇଛନ୍ତି ନା’ ତନ୍ତ୍ର ମନ୍ତ୍ରର କୌଣସି ଚକ୍ରାନ୍ତର ଶିକାର ହୋଇଛି ଏହି ପରିବାର ଏହାକୁ ନେଇ ମଧ୍ୟ ଖୋଳତାଳ ଆରମ୍ଭ କରିଛି ପୁଲିସ। ଘର ମଧ୍ୟରେ ଏଭଳି ଖାତା ମିଳିବା ପୁଲିସକୁ ବିଭ୍ରାନ୍ତ କରିବାର ଏକ ପ୍ରୟାସ ନୁହେଁ ତ? ଏହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ରହିଛି ପୁଲିସ।

Leave A Reply