ଲୋକେ ଗଢ଼ିଲେ ବାଉଁଶ ପୋଲ

0

କଟକ : ପ୍ରଚାର ଅଣଚାଷ; ମାତ୍ର ବିକାଶ ବିଡ଼ମ୍ବିତ ! ସରକାର ଦେଖିଲେ, ବୁଝିଲେ ଆଉ ପ୍ରତିଶ୍ରୁତି ବି ଦେଲେ। ହେଲେ କିଛି କଲେନି। ପ୍ରଶାସନ ବଧିର, ଆଉ ଶାସନ ପାଲଟିଲା ନିଦାବିଷ୍ଣୁ। ଗୁରୁପ୍ରିୟା ସେତୁ କରି ମାଲକାନଗିରି ଜିଲାର ଅପହଞ୍ଚ ଇଲାକାକୁ ଯୋଡ଼ି ପାରିଲେ। ବିକାଶର ସିନ୍ଦୁରା ଫିଟାଇବାକୁ ସ୍ବାଭିମାନ ଅଞ୍ଚଳ ଘୋଷଣା କରି ଶହ ଶହ କୋଟିର ପ୍ୟାକେଜ୍‌ ଦେଲେ। ଅଥଚ ଦୀପ ତଳ ଅନ୍ଧାର ଭଳି ପ୍ରଚାର ସର୍ବସ୍ବ ବିକଶିତ ଜିଲା କେନ୍ଦ୍ରାପଡ଼ାର ଆଳି ବ୍ଲକ୍ ଅନ୍ତର୍ଗତ ପଦନୀପାଳ ପଞ୍ଚାୟତବାସୀଙ୍କ ପାଇଁ ୮ ଦଶନ୍ଧି ପରେ ବି ପୋଲଟିଏ ଗଢିପାରିଲେନି। ପଦନୀପାଳ ପଞ୍ଚାୟତର ଜନତା ଏଠି ଜଳବନ୍ଦୀ। ଶାସନର ସର୍ବୋଚ୍ଚ ସ୍ତରରୁ ତୃଣମୂଳ ପ୍ରଶାସନିକ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁଠି ଗୁହାରି ଜଣାଇଲେ ଅଞ୍ଚଳବାସୀ। ଶେଷରେ ନିରାଶ ହୋଇ ନିଜ ଉଦ୍ୟମରେ ସ୍ଥଳଭାଗ ସହ ଯୋଡିହେବା ଲାଗି ଆରମ୍ଭ କରିଛନ୍ତି ଅସ୍ଥାୟୀ ପୋଲ ନିର୍ମାଣ କାମ। ବଣବୁଦାରୁ କାଠ ବାଉଁଶ କାଟି ତିଆରୁଛନ୍ତି ବାଉଁଶ ଢିରାପୋଲ। ବାନ୍ଧୁଛନ୍ତି ଏହି ସେତୁବନ୍ଧ। ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ଲାଭ କରିଥିବା ଆମ ରାଜ୍ୟର ଗ୍ରାମ୍ୟ ଉନ୍ନୟନ ବିଭାଗ କେତେ ପାରଙ୍ଗମ, ପଦନୀପାଳର ଏ ଦୃଶ୍ୟ ତାକୁ କାଠଗଡାରେ ଠିଆ କରାଇବାକୁ ଯଥେଷ୍ଟ।
ସୂଚନାଯୋଗ୍ୟ ଯେ, ଖରସ୍ରୋତା ଓ କାଣୀ ନଦୀରେ ରହିଯାଇଛି ଆଳି ବ୍ଲକର ପଦନୀପାଳ, ଦଇତାରୀପୁର ଓ କଳାମଡ଼ା ଶାସନ, ଏପରି ୩ଟି ଗାଁ। ଚାରିପଟେ ଏ ଦୁଇଟି ନଦୀ ଥିବା କାରଣରୁ ୩ଟି ଗାଁ ବର୍ଷ ତମାମ ଜଳବନ୍ଦୀ। ଫଳରେ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ମଧ୍ୟ ହୁଲିଡଙ୍ଗାରେ ପାର ହେଉଛନ୍ତି। ପୋଲଟିଏ ପାଇଁ କାହି କେଉଁ କାଳୁ ଗ୍ରାମବାସୀ ଦାବି କରିଆସୁଛନ୍ତି। ମାତ୍ର ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁ ଏହା ସମ୍ଭବପର ହୋଇନାହିଁ। ଗ୍ରାମବାସୀ ୨୦୦୬ରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବାପରେ ତୁରନ୍ତ ଏଠାରେ ସେତୁ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ ଆୟୋଗ। ନିର୍ଦେଶ ମୁତାବକ ୨୦୦୯ରେ ତତ୍କାଳୀନ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଜିତ ତ୍ରିପାଠୀ କମିଶନଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ, ୩ଟି ଗ୍ରାମକୁ ବାହ୍ୟ ଜଗତ ସହ ଯୋଡିବାକୁ କାଣୀ ନଦୀର କଳାମଡାଠାରେ ଏକ ସେତୁ ନିର୍ମାଣ କରାଯିବ, ଯାହାର କାର୍ଯ୍ୟ ତତ୍କାଳ ଭିତିରେ ସମ୍ପନ୍ନ କରାଯିବ।
ଇତିମଧ୍ୟରେ ସମୟ ୧୦ ବର୍ଷ ଗଡ଼ିଗଲାଣି; ମାତ୍ର ସେତୁ କଥା ଛାଡ଼; ସାମାନ୍ୟ ଶିଳାନ୍ୟାସ ପଥର ଖଣ୍ଡେ ବି ପୋତାଯାଇନି। ଅପରପକ୍ଷେ ଆଇନକୁ ଆଖି, ଜନତାଙ୍କୁ ଭୁଆଁ ବୁଲାଇବା ଲାଗି ସେତୁ ନିର୍ମାଣ ପାଇଁ ୧୦ ଥର ଟେଣ୍ଡର ହୋଇ ୧୦ ଥର ବାତିଲ କରାଯାଇଛି। ଫଳରେ ରାଜ୍ୟ ରାଜକୋଷରୁ ଏ ବାବଦରେ ଯାହା ଲକ୍ଷ ଲକ୍ଷ ଟଙ୍କା ସ୍ବାହା ହୋଇଛି। ଶେଷଥର ପାଇଁ ଏହି ସେତୁ ନିର୍ମାଣ କାର୍ଯ୍ୟ ୨୦୧୫ରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବ୍ରିଜ୍‍ ଆଣ୍ଡ ରୁଫ କର୍ପୋରେସନକୁ ଦିଆଯାଇଥିଲା। ଏହି ସଂସ୍ଥା ପ୍ରାରମ୍ଭିକ କାର୍ଯ୍ୟ ସମ୍ପାଦନ କରି ସେତୁର ମୂଲ୍ୟ ୨୪ କୋଟି ଟଙ୍କା ଆକଳନ କରି ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଥିଲା। ବ୍ରିଜ୍‍ ଆଣ୍ଡ ରୁଫ ପକ୍ଷରୁ ସେତୁ ନିର୍ମାଣ କାର୍ଯ୍ୟାଦେଶ କୋଲକାତାର ନରିନ ଦାସ ଆଣ୍ଡ କୋ ନାମକ ଏକ ନିର୍ମାଣକାରୀ ସଂସ୍ଥାକୁ ପ୍ରଦାନ କରାଯାଇଥିଲା। ଉପରୋକ୍ତ ସଂସ୍ଥା କାର୍ଯ୍ୟାରମ୍ଭ କରିବା କ୍ଷଣି ଦେଖାଦେଲା ନୂଆ ପ୍ରତିବନ୍ଧକ। ଉପରୋକ୍ତ ନଦୀ ଜାତୀୟ ଜଳପଥ ୫ର ଅନ୍ତର୍ଭୁକ୍ତ ହୋଇଥିବାରୁ ଏଠାରେ କୌଣସି ନିର୍ମାଣ କାର୍ଯ୍ୟ ଆଇଡବ୍ଲ୍ୟୁଏଆଇର ବିନା ଅନୁମତିରେ କରାଯାଇପାରିବ ନାହିଁ ବୋଲି ଆଦେଶ ମିଳିଲା। ଫଳରେ ଆରମ୍ଭ ନ ହେଉଣୁ ସେତୁ ନିର୍ମାଣ ପ୍ରକ୍ରିୟା ବନ୍ଦ ହୋଇଗଲା। ସେବେଠାରୁ ଆରମ୍ଭ ହୋଇଛି ରାଜନେତାଙ୍କ ମିଛ ବୟାନବାଜି ଆଉ ପ୍ରଶାସନର ଗାଲୁଆମି। ଏଠାକାର ଲୋକଙ୍କ ଦୁର୍ବିସହ ଜୀବନ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କ ସେହି ସମାନ ଉତ୍ତର, ଜାତୀୟ ଜଳପଥ କର୍ତୃପକ୍ଷଙ୍କ ବାରଣ ଯୋଗୁ ପୋଲ ହୋଇପାରୁନି।
ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ଜଳପଥ କର୍ତୃପକ୍ଷଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ସେତୁର ନକ୍ସା ପରିବର୍ତ୍ତନ କରି ବ୍ୟୟ ଅଟକଳ କରିଥିଲା। ତତ୍ପରେ ଏହାର ପ୍ରଶାସନିକ ଅନୁମୋଦନ(ଆଡମିନିଷ୍ଟ୍ରେଟିଭ୍‍ ଆପ୍ରୁଭାଲ) ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଠାଇଥିଲେ ମଧ୍ୟ ତାହା ଏଯାଏ ମଞ୍ଜୁର ହୋଇନାହିଁ ବା କେବେ ହେବ ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ମେ ୩୦ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗର ତତ୍କାଳୀନ ସର୍ବୋଚ୍ଚ ଯନ୍ତ୍ରୀ ଜଗନ୍ନାଥ ପଟେଲ ଉକ୍ତ ଦ୍ୱୀପାଂଚଳକୁ ଅଚାନକ ଗସ୍ତକରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ପୂର୍ବ ସେତୁ ନିର୍ମାଣ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ନଦୀର ଅନ୍ୟ ଏକ ପାର୍ଶ୍ବରେ ବିକଳ୍ପ ପୋଲଟିଏ ନିର୍ମାଣ କରିବାକୁ ଗ୍ରାମବାସୀ ଶ୍ରୀ ପଟେଲ୍‍ଙ୍କୁ ଦାବି ଜଣାଇଥିଲେ। ଖୁବ୍‍ଶୀଘ୍ର ବିକଳ୍ପ ବ୍ୟବସ୍ଥା କରାଯାଇ ଗ୍ରାମବାସୀଙ୍କୁ ବାହ୍ୟଜଗତ ସହ ଯୋଡାଯିବ ବୋଲି ଶ୍ରୀ ପଟେଲ ଗାଁ ଲୋକଙ୍କୁ ସାନ୍ତ୍ୱନା ଦେଇ ରାଜଧାନୀ ଫେରିଥିଲେ। ଇତିମଧ୍ୟରେ ଶ୍ରୀ ପଟେଲ ଅବସର ନେଇସାରିଛନ୍ତି; ମାତ୍ର ପଦନୀପାଳ ଗ୍ରାମବାସୀଙ୍କ ଦାବି ଯେଉଁଠି ସେଇଠି ରହିଛି। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ସୁରେଶ ମଲ୍ଲିକ କ୍ଷୋଭର ସହ କହନ୍ତି, ‘ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାରପ୍ରାପ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଆମ ଗାଁକୁ ଆସି ପରିସ୍ଥିତି ସ୍ୱଚକ୍ଷରୁ ଦେଖିବା ପରେ ବି ଯଦି ଫଳକଟିଏ ପୋତା ହେଇପାରିଲାନି, ତାହେଲେ ଆଉ କାହା ଉପରେ ଭରସା କରିବୁ। କେବଳ କର୍ମକୁ ଆଦରି ପଡିରହିବୁ।’
ପ୍ରଶାସନର ଏପରି ବେପରୁଆ ମନୋଭାବ ବେଳେ କଟା ଘା’ରେ ଚୂନ ଲଗାଉଛି ସ୍ଥାନୀୟ ରାଜନେତାଙ୍କ ବିଭ୍ରାନ୍ତିକର ବୟାନବାଜି। ଗତ କିଛିଦିନ ତଳେ ସ୍ଥାନୀୟ ଅଂଚଳର ପୂର୍ବତନ ବିଜେଡି ବିଧାୟକ ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ ଜନସମ୍ପର୍କ ଯାତ୍ରାରେ ପଦନୀପାଳ ଦ୍ୱୀପାଞ୍ଚଳକୁ ଯାଇଥିବାବେଳେ ଉପସ୍ଥିତ ଲୋକଙ୍କୁ କହିଥିଲେ ଯେ, ଆସନ୍ତା ୧୯ ନିର୍ବାଚନ ପରେ ଯାଇ ଏଠାରେ ପୋଲ ନିର୍ମାଣ ହେବ ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିବେ। ୧୯ ନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇବାକୁ ଅାହୁରି ୪ ମାସରୁ ଅଧିକ ସମୟ ବାକି। ତେବେ ଲୋକ ସେତୁର ଶିଳାନ୍ୟାସ ପାଇଁ କାହିଁକି ନିର୍ବାଚନ ପର ପର୍ଯ୍ୟନ୍ତ ଅପେକ୍ଷା କରିବେ? ଶ୍ରୀ ଦେବଙ୍କ ଏପରି ବୟାନବାଜି ରାଜ୍ୟନୈତିକ ଅଭିସନ୍ଧିକୁ ଦର୍ଶାଉନି କି?
ଅନ୍ୟପକ୍ଷରେ ଏ ସମ୍ପର୍କରେ ସ୍ଥାନୀୟ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ କହିବା କଥା ହେଲା ଏଠାକାର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ତାଙ୍କୁ କିଛି କରାଇ ଦେଉନାହାନ୍ତି। ଯଦି ପ୍ରକୃତରେ ଶ୍ରୀ ଶର୍ମାଙ୍କ ଏ ଅଭିଯୋଗରେ ସତ୍ୟତା ଥାଏ, ତାହେଲେ ଏହା ସାଙ୍ଘାତିକ। ତେବେ ଏପରି କଥାକୁ ବିଧାୟକ ଶ୍ରୀ ଶର୍ମା କାହିଁକି ସାର୍ବଜନୀନ କରୁନାହାନ୍ତି, ସେଥିରୁ ସନ୍ଦେହର ଗନ୍ଧ ବାହାରୁଛି। ଅନ୍ୟପକ୍ଷରେ ବିଜେଡି ଛାଡ଼ିଥିବା ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ସାଂସଦ ଥିବାବେଳେ ଥରେ ଏଠାରେ ହେଲିକପ୍‍ଟରରେ ଓହ୍ଲାଇ ସେତୁ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ଶ୍ରୀ ପଣ୍ଡା ସାଂସଦ ପଦରୁ ଇସ୍ତଫା ଦେଇସାରିଥିଲେ ମଧ୍ୟ ଏଠାକାର ଜନସାଧରଣଙ୍କ ପାଇଁ ପଦୁଟେ ବି ମୁହଁ ଖୋଲି ନ ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ମନୋରଂଜନ ନନ୍ଦ।
ଅନ୍ୟପକ୍ଷରେ ଜାତୀୟ ଜଳପଥର ଦ୍ୱାହି ଦେଇ ରାଜ୍ୟ ପ୍ରଶାସନ ତଥା ଲୋକପ୍ରତିନିଧି ଖସି ଯାଉଥିବାରୁ ଗ୍ରାମବାସୀ ଏ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଅବଗତ କରାଇଥିଲେ। ଜାତୀୟ ଜଳପଥ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ହୋଇଥିବାରୁ ଶ୍ରୀ ପ୍ରଧାନ ଏଥିରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବାକୁ ଗ୍ରାମବାସୀ ଶ୍ରୀ ପ୍ରଧାନଙ୍କୁ ଅବଗତ କରାଇଥିଲେ। ହେଲେ ଶ୍ରୀ ପ୍ରଧାନଙ୍କ ତରଫରୁ ଚିଠିଟିଏ ମିଳିନାହିଁ ବୋଲି କ୍ଷୋଭର ସହ କହନ୍ତି ଗ୍ରାମବାସୀ ଜାପାନୀ ମଲ୍ଲିକ।
ସୂଚନାଯୋଗ୍ୟ ଯେ, ସେତୁଟିଏ ନିର୍ମାଣ ଲାଗି ପଦନୀପାଳ ଦ୍ୱୀପାଂଚଳ ବାସିନ୍ଦା ରାଷ୍ଟ୍ରପତିଙ୍କଠୁ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଗ୍ରାମ୍ୟ ଉନ୍ନୟନ ସଚିବ, କେନ୍ଦ୍ରାଂଚଳ ଆରଡିସି, କେନ୍ଦ୍ରାପଡା ଜିଲାପାଳ ସମସ୍ତଙ୍କୁ ପତ୍ର ଲେଖି ସାରିଛନ୍ତି। ହେଲେ କେଉଁଠୁ ବି ଆଶ୍ୱସ୍ତିଭରା ଚିଠିଖଣ୍ଡେ ମିଳିଲାନି। ଶେଷରେ ଲୋକେ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ବାଉଁଶ ପୋଲ। ଗ୍ରାମର କିଛି ବଦାନ୍ୟ ବ୍ୟକ୍ତିମାନଙ୍କ ସହାୟତାରେ କାଠ ବାଉଁଶ ଅଣାଯାଇ ତିଆରି ଚାଲିଚି ବାଉଁଶ ସେତୁ। ‘ସରକାର କିଏ, ସେ କଣ କରନ୍ତି, କେଉଁଠି ଅଛନ୍ତି, ସ୍ୱାଧୀନତାର ୭୦ ବର୍ଷ ପରେ ବି ଆମେ ଜାଣିନୁ। ତେଣୁ ଆମ ସ୍ୱଳ୍ପ ବୁଦ୍ଧି ଓ ସୀମିତ ସମ୍ବଳରେ ଆମ ପାଇଁ ଆମେ ଗମନାଗମନର ବ୍ୟବସ୍ଥା କରୁଛୁ। ଏଥିରେ ଦୁଃଖ କରିବାର କିଛି ନାହିଁ।’ ଏକଥା କହନ୍ତି ସ୍ଥାନୀୟ ବାସିନ୍ଦା ବିଶ୍ୱଜିତ ପାତ୍ର ଓ ଉମାକାନ୍ତ ରାଉତ। ‘ମାନବାଧିକାର କମିଶନଙ୍କ ନିର୍ଦେଶର ୧୦ ବର୍ଷ ପରେ ବି ଯଦି ଆମ ଗାଁକୁ ପୋଲ ଖଣ୍ଡେ ନ ହୋଇପାରିଲା, ତାହେଲେ ଏଠାକର ମଣିଷ କାହିଁକି ନିଜକୁ ସ୍ୱାଧୀନ ଭାରତର ନାଗରିକ ବୋଲି କହିବେ?’ ଏକଥା ପ୍ରଶ୍ନ କରନ୍ତି ରବୀନ୍ଦ୍ର କୁମାର ଦାଶ। ‘ ମୁଖ୍ୟମନ୍ତ୍ରୀ ମୋ ଗାଁ ମୋ ବିକାଶ କରୁଛନ୍ତି। ଆମ ଗାଁ ସରକାରଙ୍କ ବିକାଶ ତାଲିକାରୁ ପ୍ରତ୍ୟାଖ୍ୟାତ ହେବା ପରେ ଆମେ ଏଠାକାର ଲୋକେ ନିଜ ଗାଁର ବିକାଶ ନିଜେ କରିବାକୁ ଅଣ୍ଟା ଭିଡିଛୁ’ ବୋଲି କହନ୍ତି ସ୍ଥାନୀୟ ଯୁବକ ବିଶ୍ୱ ରଂଜନ ମହାନ୍ତି।

Comments
Loading...