୧୨,୭୬୮କୋଟିର ଅତିରିକ୍ତ ବଜେଟକୁ ମନ୍ତ୍ରିପରିଷଦର ମୋହର

0

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ବସୁଛି ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପିତ ହେବ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ। ଗୁରୁବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨, ୭୬୮ କୋଟି ଟଙ୍କାର ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବ ଅନୁମୋଦନ ଲାଭ କରିଛି।
ବୈଠକ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା, କେନ୍ଦ୍ରୀୟ ଯୋଜନା, ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ଘୋଷିତ ବିଭିନ୍ନ ଯୋଜନା ବାବଦ ବ୍ୟୟବରାଦ ଅତିରିକ୍ତ ବଜେଟରେ ସ୍ଥାନ ପାଇଛି। ଅତିରିକ୍ତ ବଜେଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସ୍ୱାଭିମାନ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଯୋଜନା, ଆକସ୍ମିକ ପାଣ୍ଠି ଏବଂ ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା ବାବଦରେ ଅର୍ଥ ବରାଦ କରାଯାଇଛି।
ଗତ ବର୍ଷ ଅତିରିକ୍ତ ବଜେଟରେ ୧୦ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଚଳିତବର୍ଷ ପ୍ରଚଳିତ ଯୋଜନା ଓ ଘୋଷଣା ହୋଇଥିବା କିଛି ନୂଆ ଯୋଜନାକୁ ଦୃଷ୍ଟିରେ ରଖି ଅଧିକ ଅର୍ଥ ବରାଦ କରାଯାଇଥିବା ଜଣାପଡ଼ିଛି।
ଶ୍ରୀ ବେହେରା କହିଥିଲେ ଯେ ରାଜ୍ୟ ସରକାର ଏଥର ବଜେଟରେ ସାମାଜିକ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପଗୁଡ଼ିକ ଯେପରି ତ୍ୱରାନ୍ୱିତ ହୋଇପାରିବ ସେଥିପାଇଁ ଅର୍ଥର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ଦେଉଥିବା
ଅନୁଦାନ ଧାର୍ଯ୍ୟ ସମୟରେ ଖର୍ଚ୍ଚ କରିବା ସହିତ ଠିକଣା ସମୟରେ ବିନିଯୋଗ ପ୍ରମାଣପତ୍ର ଦାଖଲ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଅତିରିକ୍ତ ବଜେଟ ପାଇଁ କେତେ ଅର୍ଥ ବରାଦ କରାଯାଇଛି ସେ ବିଷୟରେ ତଥ୍ୟ ରଖି ନଥିଲେ ମଧ୍ୟ ଚଳିତ ଆର୍ଥିକ ବର୍ଷ ସାଧାରଣ ବଜେଟରେ ବ୍ୟୟବରାଦ ବୃଦ୍ଧି ପାଇଥିବାରୁ ତଦନୁସାରେ ବିଭିନ୍ନ ବିଭାଗ ପାଇଁ ଅତିରିକ୍ତ ବ୍ୟୟବରାଦ ରାଶି ମଧ୍ୟ ବୃଦ୍ଧି ପାଇଛି ବୋଲି ସୂଚନା ଦେଇଛନ୍ତି।।
ଅର୍ଥ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ଗତ ଜୁଲାଇ ସୁଦ୍ଧା ବିଭିନ୍ନ ଯୋଜନା ବାବଦରେ ବଜେଟ ଖର୍ଚ୍ଚ ୧୭୯୮୩କୋଟି ଟଙ୍କାରେ ପହଞ୍ଚିବା ସହିତ ଗତ ଆର୍ଥିକ ବର୍ଷଠାରୁ ଖର୍ଚ୍ଚ ଅଭିବୃଦ୍ଧି ହାର ୧୦ ପ୍ରତିଶତ ଅଧିକ ରହିଛି। ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ହାର ଗତବର୍ଷ ତୁଳନାରେ ୨୩ପ୍ରତିଶତ(୯୫୪୪କୋଟି ଟଙ୍କା) ବଢ଼ିଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ ୩୯୯୩କୋଟିରେ ପହଞ୍ଚିଥିବାବେଳେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ୩୨୪୫ କୋଟି ଟଙ୍କା ଛୁଇଁଛି।
ଖର୍ଚ୍ଚ ସହିତ ତାଳ ଦେଇ ମୋଟ ରାଜସ୍ୱ ସଂଗ୍ରହ ଜୁଲାଇ ସୁଦ୍ଧା ୩୩ପ୍ରତିଶତ ବଢ଼ିଛି। ୨୦୧୭-୧୮ଆର୍ଥିକ ବର୍ଷର ଜୁଲାଇ ସୁଦ୍ଧା ମୋଟ ରାଜସ୍ୱ ସଂଗ୍ରହ ୯୮୦୭କୋଟି ଟଙ୍କା ଥିବାବେଳେ ଚଳିତବର୍ଷ ଏହା ୧୩୦୧୬କୋଟି ଟଙ୍କାରେ ପହଞ୍ଚିଛି। ନିଜସ୍ୱ ଟିକସ ସଂଗ୍ରହ ୨୭ପ୍ରତିଶତ ବଢ଼ି ୯୫୩୬କୋଟି ଟଙ୍କାରେ ପହଞ୍ଚିଥିବାବେଳେ ଅଣ ଟିକସ ରାଜସ୍ୱ ୫୧ପ୍ରତିଶତ ବଢ଼ି ୩୪୩୯କୋଟିରେ ପହଞ୍ଚିଛି।

Leave A Reply