ଆସୁଛି ଆଇନ: ଲାଞ୍ଚଦାତା ମଧ୍ୟ ଭୋଗିବେ ଦଣ୍ଡ

0

ନୂଆଦିଲ୍ଲୀ: କେବଳ ଲାଞ୍ଚ ନେଉଥିବା ବ୍ୟକ୍ତି ଦୋଷୀ ନୁହନ୍ତି। ଲାଞ୍ଚଦାତା ମଧ୍ୟ ସମାନ ପରିମାଣରେ ଦୋଷୀ। ଲାଞ୍ଚ ନେଉଥିବା ବ୍ୟକ୍ତି ଯେତିକି ଦଣ୍ଡ ଭୋଗିବେ ଲାଞ୍ଚ ଦେଉଥିବା ବ୍ୟକ୍ତି ମଧ୍ୟ ସମପରିମାଣର ଦଣ୍ଡ ଭୋଗିବେ। ଏ ସମ୍ପର୍କିତ ଆଇନର ଚିଠା ପ୍ରସ୍ତାବ ମଙ୍ଗଳବାର ଲୋକସଭାରେ ପାରିତ ହୋଇଛି। ପୂର୍ବରୁ ଏହି ବିଲ୍‍ ରାଜ୍ୟସଭାରେ ପାରିତ ହୋଇସାରିଥିବାରୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ।
ପ୍ରିଭେନ୍‍ସନ୍‍ ଅଫ୍‍ କରପ୍‍ସନ୍‍(ଆମେଣ୍ଡମେଣ୍ଟ ବିଲ୍‍) ୨୦୧୮ ଅନୁଯାୟୀ ଉଭୟ ଲାଞ୍ଚ ନେବା ଓ ଦେବାକୁ ଅପରାଧ ଭାବେ ବିବେଚନା କରାଯାଇଛି। ଆଇନ୍‍ରେ ଦୋଷୀଙ୍କ କ୍ଷେତ୍ରରେ ଥିବା ସର୍ବନିମ୍ନ ଜେଲ୍‍ ଦଣ୍ଡ ଅବଧିକୁ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସ୍ଥଳ ବିଶେଷରେ ଦଣ୍ଡାଦେଶକୁ ୭ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ଓ ଜୋରିମାନା ଆଦାୟ କରାଯିବ। ଅପରାଧ ଦୋହରାଇଲେ ସର୍ବନିମ୍ନ ୫ ବର୍ଷରୁ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‍ ଦଣ୍ଡାଦେଶ ହେବ। ଦୋଷୀ ସାବ୍ୟସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପତ୍ତି ତତ୍କାଳ ବାଜ୍ୟାପ୍ତ କରାଯିବ। ତଦନ୍ତ ଓ ବିଚାର ପ୍ରକ୍ର୍ରିୟା ୨ବର୍ଷ ମଧ୍ୟରେ ସରିବ। ସ୍ଥଳ ବିଶେଷରେ ଏହାକୁ ସର୍ବାଧିକ ୪ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ସେହିପରି ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନର କର୍ମଚାରୀ ବା ପ୍ରତିନିଧି କୌଣସି ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଉଥିବା ପ୍ରମାଣିତ ହୁଏ ତେବେ ଉକ୍ତ ପ୍ରତିଷ୍ଠାନ ବା ସଂସ୍ଥାର ଉପରିସ୍ଥ ଅଧିକାରୀ ବା କର୍ତ୍ତୃପକ୍ଷ ଦୋଷୀ ସାବ୍ୟସ୍ତ ହେବା ସହିତ ଦଣ୍ଡ ଭୋଗିବେ। ଦେଶରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ସଚ୍ଚୋଟ କର୍ମଚାରୀଙ୍କ ସୁରକ୍ଷା ପାଇଁ ମଧ୍ୟ ଆଇନରେ ବ୍ୟବସ୍ଥା ରହିଛି।

Leave A Reply