ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ରକ୍ତଦାନ ଶିବିର

0

କଟକ :ଆସନ୍ତା ୧୩ତାରିଖ ନେତ୍ରୋତ୍ସବରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦେ୍ଧାତ୍ସବ ପାଳନର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ଗୋପବନ୍ଧୁ ଭବନରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ବିଭିନ୍ନ ବର୍ଗର ଲୋକ, ସ୍ୱେଚ୍ଛାସେବୀ, ସାମାଜିକ କର୍ମୀ ଓ ସଂଗଠକ ରକ୍ତଦାନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ମୋଟ ୯୧ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଜଣେ ରକ୍ତଦାନ କରି ଅପରିଚିତ, ଅସହାୟ ଓ ମୁମୂର୍ଷୁର ଜୀବନ ବଞ୍ଚାଇବାରେ ସହାୟକ ହେଉଛି। ରକ୍ତଦାନଠାରୁ ମହତ କାର୍ଯ୍ୟ କିଛି ନାହିଁ। ଜଣେ ରକ୍ତଦାନ କରିବା ସହିତ ଅନ୍ୟମାନଙ୍କୁ ଏ ଦିଗରେ ଉତ୍ସାହିତ କରିବା ଉଚିତ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତ ଦେଇଛନ୍ତି।
କେନ୍ଦ୍ରୀୟ ରକ୍ତ ଭଣ୍ଡାର ସହାୟତାରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଡା. ଦୀପକ ପୃଷ୍ଟି ଓ ସଂଯୋଜକ ଅବିନାଶ ଦାସଙ୍କ ନେତୃତ୍ୱରେ ୯ଜଣିଆ ଟିମ୍‌ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଲୋକସେବକ ମଣ୍ଡଳ କଟକ ଶାଖା ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ସାମାଜିକ ସଂଗଠନ ଜାତୀୟ ଯୁବ ପ୍ରକଳ୍ପ, ସୋଚ୍‌, ହୋପ୍‌, ସ୍ମାଇଲ, ପ୍ରୋଜେକ୍ଟ ସ୍ୱରାଜ୍ୟ, ଓଡିଶା ୟୁଥ୍‌ ଡେଭଲପ୍‌ମେଣ୍ଟ, ଉତ୍କଳ ସେବକ ସଂଘ, ଆଞ୍ଚଳିକ ସାମାଜିକ ଓ ସାଂସ୍କୃତିକ ଉନ୍ନୟନ ଟ୍ରଷ୍ଟର ସଦସ୍ୟଙ୍କ ସହିତ ବହୁ ସ୍ୱେଚ୍ଛାସେବୀ, ସାମାଜିକ କର୍ମୀ ଓ ସଂଗଠକ, ‘ସମାଜ’ର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତଥା ପାଠକ ପାଠିକାମାନେ ଏହି ରକ୍ତଦାନ ଶିବିରରେ ସାମିଲ ହୋଇ ସ୍ୱେଚ୍ଛାକୃତଭାବେ ରକ୍ତଦାନ କରିଥିଲେ। ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି, ପଶ୍ଚିମ ଓଡ଼ିଶା ସମାଜ ରିଲିଫ କମିଟିର ସଂଯୋଜକ ସୌରଭ ସାହୁ, ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ମନ୍ଦାକିନୀ ଜେମା, ଲୋକ ଅଦାଲତର ସ୍ଥାୟୀ ସଦସ୍ୟ ପ୍ରଦୀପ ପଟ୍ଟନାୟକ, ୟୁଥ୍‌ ରେଡ୍‌କ୍ରସ କାଉନସିଲ୍‌ ସଦସ୍ୟ ଡ. ସେକ୍‌ କଲିମ୍‌ ଉଲ୍ଲା, ଉତ୍କଳ ସେବକ ସମାଜ ସଭାପତି ଅମିୟ ବିଶ୍ୱାଳ, ଲଳିତା ମିଶ୍ର, ବିଜୟ ପଢିହାରୀ, ସାମାଜିକ କର୍ମୀ ଡି.ପ୍ରକାଶ ରାଓ, ବିଶ୍ୱରଞ୍ଜନ ସାହୁ, ମହମ୍ମଦ ଇମ୍ରାନ୍‌ ଅଲ୍ଲୀ, ସମ୍ବିତ୍‌ ନନ୍ଦ, ହରପ୍ରସାଦ ମହାପାତ୍ର ଓ ଅଭିନେତ୍ରୀ ପ୍ରୀତି ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Leave A Reply