ବିଜେପିର ‘ସାବରିମାଳା ବଞ୍ଚାଅ’ ଶୋଭାଯାତ୍ରା; ସମାଧାନ ପାଇଁ କେରଳ ସରକାରଙ୍କୁ ୨୪ ଘଣ୍ଟା ସମୟସୀମା

0

ତିରୁଅନନ୍ତପୁରମ : ସାବରିମାଳା ମନ୍ଦିରରରେ ସବୁ ବୟସର ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ପାଇଁ କେରଳ ସରକାରଙ୍କ ଉଦ୍ୟମକୁ ବିରୋଧ କରି ବିଜେପି ପକ୍ଷରୁ ସୋମବାର ରାଜ୍ୟବ୍ୟାପୀ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ୨୪ ଘଣ୍ଟା ମଧ୍ୟରେ ଏହି ମାମଲାର ସମାଧାନ ବାହାର କରିବାକୁ ଦଳ ପକ୍ଷରୁ ବାମପନ୍ଥୀ ରାଜ୍ୟ ସରକାରକୁ ସମୟସୀମା ପ୍ରଦାନ କରାଯାଇଛି। ବହୁ ସଂଖ୍ୟକ ବିଜେପି ସମର୍ଥକ ମହିଳା ଓ ଶିଶୁ ଭଗବାନ ଆୟପ୍ପାଙ୍କ ଫୋଟୋଚିତ୍ର ଧରି ସ୍ଲୋଗାନ ଦେଇ ପ୍ରଶାସନିକ କାର୍ଯ୍ୟାଳୟ ଆଡକୁ ପଦଯାତ୍ରା କରିଥିଲେ। ରାଜ୍ୟ ସରକାର ଆୟପ୍ପା ଭକ୍ତଙ୍କ ଭାବନାକୁ ଅଣଦେଖା କରି ସାବରିମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କୁ ପ୍ରବେଶ ସୁଯୋଗ ଦେବାକୁ ଉଦ୍ୟମ କରିବା ଘଟଣାର ବିରୋଧ କରି ଗତ ସପ୍ତାହରେ ପାଣ୍ଡାଲମଠାରୁ ଏହି ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବା ପଛରେ ଏହି ଧାର୍ମିକ ପୀଠର ପବିତ୍ରତା ନଷ୍ଟ କରିବାର ଷଡ଼ଯନ୍ତ୍ର ନିହିତ ବୋଲି ମଧ୍ୟ ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ସଭାପତି ପି.ଏସ୍‍. ଶ୍ରୀଧରନ ପିଲାଇଙ୍କ ନେତୃତ୍ୱରେ ଏନଡିଏର ବରିଷ୍ଠ ନେତୃବୃନ୍ଦ ତଥା ଅଭିନେତାରୁ ରାଜନେତା ପାଲଟିଥିବା ସୁରେଶ ଗୋପୀ ଏବଂ ଧର୍ମ ଜନ ସେନା ମୁଖ୍ୟ ତୁଷାର ବେଲାପ୍ପାଲି ପ୍ରମୁଖ ଏହି ପଦଯାତ୍ରାରେ ଯୋଗ ଦେଇଥିଲେ। ପିଲାଇ କହିଛନ୍ତି ଯଦି ରାଜ୍ୟ ସରକାର ତ୍ୱରିତ ଏହି ପ୍ରସଙ୍ଗର ସମାଧାନ କରିବାରେ ବିଫଳ ହୁଅନ୍ତି ବିଜେପି-ଏନଡିଏର ବିକ୍ଷୋଭ ଭିନ୍ନ ମୋଡ଼ ନେବ। କେରଳର ପ୍ରତ୍ୟେକ ଗ୍ରାମକୁ ଯାଇ ସାବରିମାଳା, ଏହାର ଶତାବ୍ଦୀ ପୁରୁଣା ପରମ୍ପରା ଏବଂ ଭଗବାନ ଆୟପ୍ପାଙ୍କ ଭକ୍ତଙ୍କ ଭାବନାର ସୁରକ୍ଷା ନିମନ୍ତେ ବିକ୍ଷୋଭର ମଞ୍ଜି ବୁଣାଯିବ। ଏହି ବିକ୍ଷୋଭ ପ୍ରଥମ ପର୍ଯ୍ୟାୟରେ ବିପୁଳ ସଫଳତା ଲାଭ କରିଥିବା ସେ ଦର୍ଶାଇଛନ୍ତି।
ଅନ୍ୟପଟେ ଟ୍ରାଭାଙ୍କୋର ଦେବସ୍ୱମ ବୋର୍ଡ ପକ୍ଷରୁ ମନ୍ଦିରର ମୁଖ୍ୟ ପୂଜକ ପରିବାର, ପାଣ୍ଡାଲାମ ରାଜପରିବାର ଏବଂ ଆୟପ୍ପା ସେବା ସଙ୍ଗମ ସଦସ୍ୟଙ୍କର ମଙ୍ଗଳବାର ଏକ ବୈଠକ ଡକାଯାଇଛି। ଏଥିରେ ନଭେମ୍ବର ୧୭ରୁ ଆରମ୍ଭ ହେଉଥିବା ତିନି ମାସିଆ ମକରବିଲାକୁ ତୀର୍ଥଯାତ୍ରା ବିଷୟରେ ଆଲୋଚନା ହେବ। ମନ୍ଦିରଟି ବୁଧବାର ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ। ୫ ଦିନ ଧରି ଅନୁଷ୍ଠିତ ହେଉଥିବା ମାସିକିଆ ପୂଜାର୍ଚ୍ଚନା ପରେ ମନ୍ଦିର ଅକ୍ଟୋବର ୨୨ରେ ବନ୍ଦ ହେବ। ଉଲ୍ଲେଖ ଯେ ଏହି ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ୍କ ପ୍ରଜନନକ୍ଷମ ମହିଳାଙ୍କ ପ୍ରବେଶ ନିଷେଧ ହୋଇଥିବା ବେଳେ ପୂଜାର୍ଚ୍ଚନା କରିବା ନେଇ ସମସ୍ତଙ୍କର ସମାନ ଅଧିକାର ରହିଥିବା ଦର୍ଶାଇ ସୁପ୍ରିମକୋର୍ଟ ଗତ ମାସରେ ଏଠାରେ ସବୁ ବୟସର ମହିଳାଙ୍କୁ ପ୍ରବେଶ ଅଧିକାର ପ୍ରଦାନ କରିଥିଲେ।

Leave A Reply