ଦୁର୍ବଳ ଉତ୍ତରର କ୍ଷୟକ୍ଷତି ଭରଣ କରିବ ଦକ୍ଷିଣ

0

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପାଇଁ ୨୦୧୪ ସଦୃଶ୍ୟ ପରିଣାମ ପାଇବାର ଆଶା କ୍ଷୀଣ। ମୁଖ୍ୟତଃ ଦେଶର ଉତ୍ତରାଞ୍ଚଳର ଯେଉଁ ରାଜ୍ୟରେ ବିଜେପି ୨୦୧୪ ନିର୍ବାଚନରେ ବିପକ୍ଷକୁ ଧୂଳିସାତ କରି ଦେଇଥିଲା, ବର୍ତ୍ତମାନ ଦଳର ସମୀକରଣକୁ ତର୍ଜମା କଲେ ତାହା ପୁଣି ଥରେ ପୁନରାବୃତ୍ତି ହେବାର ସମ୍ଭାବନା କ୍ଷୀଣ। ଏଭଳି କ୍ଷେତ୍ରରେ ନିଜ ସ୍ଥିତିକୁ ବଳବତ୍ତର ରଖିବାକୁ ବିଜେପି ଏବେ ଦକ୍ଷିଣାମୁଖୀ।
ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ ପ୍ରମୁଖ ୫ଟି ରାଜ୍ୟରେ ମୋଟ୍‍ ୧୩୦ଟି ଲୋକସଭା ଆସନ ରହିଛି। ୨୦୧୪ରେ ବିଜେପି ଏହି ରାଜ୍ୟରୁ କେବଳ ୨୦ଟି ଆସନ ଜିତିବାରେ ସଫଳ ହୋଇଥିଲା। ତେଣୁ ୨୦୧୯ ଲୋକସଭା ନିର୍ବାଚନରେ ଦକ୍ଷିଣର ୧୩୦ଟି ଆସନ ମଧ୍ୟରେ ଅଧିକ ସଂଖ୍ୟାରେ ଆସନ ଦଖଲ କରିବାକୁ ଚାହୁଁଛି।
ବିଜେପି ଅଧ୍ୟକ୍ଷ ଅମୀତ ଶାହ ତାମିଲନାଡ଼ୁରେ ମେଣ୍ଟ କରିବାକୁ ରଣନୀତି ଆରମ୍ଭ କରିଛନ୍ତି। ଆନ୍ଧ୍ରରେ ଟିଡିପି ସହ କଂଗ୍ରେସର ମେଣ୍ଟ ହେବାର ସମ୍ଭାବନା ରହିଛି। ଫଳରେ ନିର୍ବାଚନ ପୂର୍ବରୁ ଆନ୍ଧ୍ରର ଅନ୍ୟାନ୍ୟ ଛୋଟ ଦଳଗୁଡ଼ିକ ସହ ବିଜେପି ହାତ ମିଳାଇବାକୁ ଚେଷ୍ଟା ଜାରି ରଖିଛି।
ଏହି ୫ଟି ରାଜ୍ୟରେ କଂଗ୍ରେସର ଦୁର୍ବଳତା ବିଜେପି ପାଇଁ ସମ୍ଭାବନା ହେବ। ମେଣ୍ଟ ରାଜନୀତିରେ କଂଗ୍ରେସ ଅପେକ୍ଷା ବିଜେପି ଅଧିକ ବିଶ୍ୱାସଭାଜନ। ଏପରିକି ମେଣ୍ଟ ରାଜନୀତିରେ ଅନ୍ୟାନ୍ୟ ଦଳକୁ ଗୁରୁତ୍ୱ ଦେବା କ୍ଷେତ୍ରରେ ମଧ୍ୟ କଂଗ୍ରେସ ଅପେକ୍ଷା ବିଜେପି ଆଗରେ ରହିଛି। ତେଲେଙ୍ଗାନାରେ ବିଜେପି ଟିଆରଏସକୁ ସହଯୋଗୀ ଦଳଭାବେ ନେଇ ଆଗେଇ ଚାଲିଛି। ତେଲେଙ୍ଗାନାରେ କଂଗ୍ରେସ ଓ ଟିଆରଏସ ମୁହାଁମୁହିଁ ପ୍ରତିସ୍ଥିତିରେ ରହିଛନ୍ତି। ଫଳରେ ଟିଆରଏସକୁ ନେଇ ବିଜେପି ବେଶ୍‍ ଆଶାବାଦୀ ରହିଛି। କେରଳ ବନ୍ୟା ପରିସ୍ଥିତି ବିଜେପିର ସମ୍ଭାବନାକୁ କମାଇ ଦେଇଛି।
ଦେଖିବାକୁ ଗଲେ ଦକ୍ଷିଣ ଭାରତରେ ବିଜେପିର ଏକମାତ୍ର ସହଯୋଗୀ ଦଳ ଟିଡିପି ମେଣ୍ଟରୁ ବାହାରି ଯାଇଛି। ସେହିପରି ମହାରାଷ୍ଟ୍ରର ଶିବସେନା ଓ ପଞ୍ଜାବର ଅକାଳୀ ଦଳ ସହ ମଧ୍ୟ ବିଜେପିର ମେଣ୍ଟ ଦୁର୍ବଳ ହୋଇ ପଡ଼ିଛି। ବିହାରରେ ଆରଏଲଏସପି ଆଗାମୀ ନିର୍ବାଚନରେ ମଧ୍ୟ ମହାମେଣ୍ଟରେ ସାମିଲ ରହିବ ବୋଲି ଘୋଷଣା କରିସାରିଛି।
ଉତ୍ତରଭାରତର ଏକାଧିକ ରାଜ୍ୟରେ ବିଜେପି ସରକାର ରହିଛି। ଏହି ରାଜ୍ୟଗୁଡ଼ିକରେ ସରକାର ବିରୋଧୀ ପ୍ରବାହର ସିଧା ପରିଣାମ ବିଜେପିକୁ ସାମ୍ନା କରିବାକୁ ପଡ଼ିବ। କେତେକ ରାଜ୍ୟରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ମେଣ୍ଟ ବିଜେପିର ସମୀକରଣକୁ ବିଗାଡ଼ି ଦେଇଛି। ଏଭଳି ପରିସ୍ଥିତିରେ ଦକ୍ଷିଣ ଭାରତ ରାଜନୀତି ବିଜେପି ପାଇଁ ବିକଳ୍ପ ସମ୍ଭାବନା ପାଲଟିଛି।
ଏଭଳି ରଣନୀତିକୁ କାର୍ଯ୍ୟକାରୀ କରିବାକୁ ଯାଇ ବିଜେପି ତାମିଲନାଡ଼ୁରେ ଏକ ସହଯୋଗୀ ଦଳର ସନ୍ଧାନରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଏମକେ ମୁଖ୍ୟ କରୁଣାନିଧୀଙ୍କ ଅନ୍ତିମସଂସ୍କାରରେ ପହଞ୍ôଚ ଥିଲେ। ଡିଏମକେ ମଧ୍ୟ କରୁଣାନିଧୀଙ୍କ ସ୍ମାରକୀ ବୈଠକରେ ବିଜେପି ଅଧ୍ୟକ୍ଷ ଅମୀତ ଶାହଙ୍କୁ ଅମନ୍ତ୍ରିତ କରି ରାଜନୈତିକ ହଟଚମଟ ସୃଷ୍ଟି କରି ଦେଇଥିଲେ। ଏହା ବ୍ୟତୀତ ଡିଏମକେ କାର୍ଯ୍ୟକାରୀ ସଭାପତି ଏମକେ ଷ୍ଟାର୍ଲିନ୍‍ ପ୍ରାକ୍ତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ। ଡିଏମକେର ଏଭଳି ପରିବର୍ତ୍ତିତ ବ୍ୟବହାର ଆଗାମୀ ଦିନରେ ବିଜେପି ମେଣ୍ଟ ସହ ରାଜନୈତିକ ସମୀକ୍ଷକ ତୁଳନା କରୁଛନ୍ତି। ତେବେ ବିଜେପି ବରିଷ୍ଠ ନେତା ଏଭଳି ସମ୍ଭାବନାକୁ ନିଶ୍ଚିତ ବୋଲି କୁହାଯାଇ ନପାରେ। ତାମିଲନାଡ଼ୁରେ ଏଆଇଡିଏମକେ ବୈଚାରିକ ଦୃଷ୍ଟିକୋଣରୁ ବିଜେପି ବିରୋଧୀ ନୁହେଁ। ଅଥଚ ଡିଏମକେ ବିଜେପି ବିରୋଧୀ ମେଣ୍ଟରେ ସାମିଲ ରହିଛି। ତାମିଲନାଡ଼ୁର ୩୯ଟି ଲୋକସଭା ଆସନ ମଧ୍ୟରୁ ବିଜେପି କେବଳ ଗୋଟିଏ ଆସନ ଜିତିଥିଲା। ତାମିଲନାଡ଼ୁର ରାଜ୍ୟ ରାଜନୀତିରେ କ୍ଷେତ୍ରୀୟ ଦଳ ଗୋଟିଏ ପଟେ ଦୁର୍ବଳ ହୋଇ ପଡ଼ିଥିବାବେଳେ ବିକଳ୍ପ ନେତୃତ୍ୱ ଏବେ ସୁଧା ସାମ୍ନାକୁ ଆସି ନାହିଁ। ତାମିଲନାଡ଼ୁ ବିଜେପି ଏଥିପାଇଁ ଆଶାବାଦୀ ଅଛନ୍ତି। ମୋଦୀଙ୍କ ନାମରେ ତାମିଲନାଡ଼ୁରେ ନେତୃତ୍ୱର ଅଭାବ ବିଜେପିକୁ ଶକ୍ତିଶାଳୀ କରିବାର ଆଶା କରୁଛନ୍ତି ଆଞ୍ଚଳିକ ବିଜେପି ନେତା।
ଓଡ଼ିଶାରେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି-ବିଜେଡି ବେଶ୍‍ ଆକ୍ରମଣାତ୍ମକ ମୁଦ୍ରାରେ ଦୃଶ୍ୟମାନ ହେଉଥିଲେ ମଧ୍ୟ ମୈସୁମୀ ଅଧିବେଶନ ପରେ ପରିସ୍ଥିତି ବେଶ୍‍ ଶାନ୍ତ ହୋଇ ପଡ଼ିଛି। ଏପରିକି ରାଜ୍ୟସଭା ଉପ-ସଭାପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀକୁ ସମର୍ଥନ ଦେଇ ବିଜେଡି ଆଗାମୀ ଦିନରେ ବିଜେପି-ବିଜେଡି ସମ୍ପର୍କକୁ ସୁଦୃଢ କରିବାର ଆଶା ସୃଷ୍ଟି କରିଛି।
ମୁଖ୍ୟତଃ କ୍ଷେତ୍ରୀୟ ରାଜନୀତିରେ ସକ୍ରିୟ ଆଞ୍ଚଳିକ ଦଳ ମୁଖ୍ୟତଃ ବିଧାନସଭା ନିର୍ବାଚନକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ସାଂସଦୀୟ କ୍ଷେତ୍ର ପାଇଁ ତୃତୀୟ ମୋର୍ଚ୍ଚା ଗଠନ ଆଶା କ୍ଷୀଣ। ଏଭଳି କ୍ଷେତ୍ରରେ ଆଗାମୀ ନିର୍ବାଚନରେ ଟିଆରଏସ ଓ ବିଜେଡିକୁ ନେଇ ବିଜେପି ଆଶାବାଦୀ ରହିଛି।

Leave A Reply