ପିସି କାରବାର ଅଭିଯୋଗରେ ବିଜେପିର ବ୍ଲକ ଘେରାଉ

0

ପିପିଲି : ପିସି କାରବାର, ରାସନକାର୍ଡ ବଣ୍ଟନରେ ଅନିୟମିତତା, ସ୍ୱଚ୍ଛଭାରତ ଅଭିଯାନ ଯୋଜନାରେ ଦୁର୍ନିତି ଚାଲିଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଶୁକ୍ରବାର ପିପିଲି ବ୍ଲକ ଘେରାଉ କରାଯିବା ସହ ସେଠାରେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।
ପିପିଲିର ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷ ବିଜେପି କର୍ମୀ ଓ ସମର୍ଥକ ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ସହ ବ୍ଲକକୁ ଘେରାଉ କରିଥିଲେ। ସେଠାରେ ବିଜେପିର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଜେପିର ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା, ଯୁବନେତା ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲା ଉପସଭାପତି ଜନ୍ମେଜୟ ଜେନା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ପିପିଲି ବ୍ଲକରେ ପିସି କାରବାର ଚାଲୁଥିବା, ରାସନକାର୍ଡ ବଣ୍ଟନରେ ଅନିୟମିତତା, ସ୍ୱଚ୍ଛଭାରତ ଅଭିଯାନ ଯୋଜନାରେ ଦୁର୍ନିତି ଚାଲିଥିବା ସଂପର୍କରେ ସେମାନେ ଅଭିଯୋଗ କରିଥିଲେ। ଅନେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଥିବା ବେଳେ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ରହିଥିବା ସଂପର୍କରେ ମଧ୍ୟ ଅଭିଯୋଗ କରିଥିଲେ। ପିପିଲି ବିଡିଓ ଶ୍ୟାମସୁନ୍ଦର ଟୁଡୁ ସେଠାକୁ ଆସି ଓ ଦୁର୍ନିତି ସଂପର୍କରେ ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ। ପରେ ସେଠାରେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତରାଜ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

Leave A Reply