ବିହାରରେ ବିଜେପି ଏକାକୀ ଲଢିଲେ ଆପତ୍ତି ନାହିଁ: ଜେଡିୟୁ

0

ପାଟନା : ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପି-ଜେଡିୟୁ ମଧ୍ୟରେ ତିକ୍ତତା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ମେଣ୍ଟ କରି ସରକାର ଗଠନ ସତ୍ତ୍ବେ କେହି କାହା ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁ ନାହାନ୍ତି। ବିଶେଷ କରି ଜେଡିୟୁ ଏବେ ଠାରୁ ବିଜେପିକୁ କରଛଡା କରିବା ଆରମ୍ଭ କରିଦେଇଛି। ସୋମବାର ଜେଡିୟୁ ଘୋଷଣା କରିଛି ଯେ ୨୦୧୯ ଲୋକସଭା ନିର୍ବାଚନରେ ଏନଡିଏର ଅଂଶୀଦାର ଭାବେ ଏହା ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏଥିପାଇଁ ବିଜେପି ଯଦି ଜେଡିୟୁ ସହିତ ମେଣ୍ଟ କରିବାକୁ ଅନିଚ୍ଛା ପ୍ରକାଶ ତେବେ ଦଳର କୌଣସି ଆପତ୍ତି ନାହିଁ ବୋଲି ଜେଡିୟୁ ସାଧାରଣ ସଚିବ ସଞ୍ଜୟ ସିଂହ କହିଛନ୍ତି। ସେ କହିଛନ୍ତି ବିଜେପି ଭଲ ଭାବେ ଜାଣିଛି ନୀତୀଶଙ୍କ ବିନା ଏହା ବିହାରରେ ନିର୍ବାଚନ ଜିତି ପାରିବ ନାହିଁ। ଏହାସତ୍ତ୍ବେ ବିଜେପି ଯଦି ମେଣ୍ଟ କରିବାକୁ ଅନିଚ୍ଛା ପ୍ରକାଶ କରେ ତେବେ ଜେଡିୟୁ କୌଣସି ପ୍ରକାର କୋହଳ ମନୋଭାବ ଦେଖାଇବ ନାହିଁ ବୋଲି ସିଂହ କହିଛନ୍ତି। ନିକଟରେ ବିଜେପି ସାଧାରଣ ସଂପାଦକ ରାଜେନ୍ଦ୍ର ସିଂହ କହିଥିଲେ ଯେ ବିହାରର ୪୦ ଲୋକସଭା ଆସନରୁ ତାଙ୍କ ଦଳ ଅତିକମ୍‍ରେ ୨୨ଟି ଆସନରେ ଲଢିବ। ୨୦୧୪ରେ ବିଜେପି ଓ ଜେଡିୟୁ ଅଲଗା ହୋଇ ନିର୍ବାଚନ ଲଢିଥିଲେ। ଜେଡିୟୁ ମାତ୍ର ୨ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ୨୨ଟିରେ ବିଜୟୀ ହୋଇଥିଲା।

Leave A Reply