ଭୋପାଳ ଗ୍ୟାସ ଦୁର୍ଘଟଣା: ଏପ୍ରିଲରେ ଅତିରିକ୍ତ କ୍ଷତିପୂରଣ ମାମଲାର ଶୁଣାଣି

0

ନୂଆଦିଲ୍ଲୀ : ଭୋପାଳ ଗ୍ୟାସ ଦୁର୍ଘଟଣା ବାବଦ କ୍ଷତିପୂରଣ ରାଶି ବୃଦ୍ଧି ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଆସନ୍ତା ଏପ୍ରିଲ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ପୀଠ ଏହାର ଶୁଣାଣି କରିବେ ବୋଲି ସୋମବାର ଜଷ୍ଟିସ ଗୋଗଇ ସ୍ପଷ୍ଟ କରିଛନ୍ତି। କୀଟନାଶକ ପ୍ରସ୍ତୁତକାରୀ କମ୍ପାନୀ ୟୁନିୟନ କାର୍ବାଇଡରୁ ୧୯୮୪ ଡିସେମ୍ବର ୨-୩ ରାତିରେ ବିଷାକ୍ତ ମିଥାଇଲ ଆଇସୋସିଆନେଟ୍‌ (ଏମଆଇସି)ଗ୍ୟାସ ନିର୍ଗତ ହେବା ଫଳରେ ଭୋପାଳରେ ୩ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା ଓ ଲକ୍ଷାଧିକ ଅସୁସ୍ଥ ହୋଇପଡ଼ିଥିଲେ। ଏହାର ପ୍ରଭାବ ଅଦ୍ୟାବଧି ଦୂର ହୋଇ ନାହିଁ। ଏହି ମାମଲାରେ କ୍ଷତିପୂରଣ ସ୍ବରୂପ କମ୍ପାନୀ ୪୭୦ନିୟୁତ ଡଲାର ପ୍ରଦାନ କରିଥିଲା। ଏହା ଯଥେଷ୍ଟ ହେଉ ନ ଥିବା ଦର୍ଶାଇ କେନ୍ଦ୍ର ସରକାର ୟୁନିୟନ କର୍ବାଇଡ ଓ ଏହାର ସହଯୋଗୀ କମ୍ପାନୀଙ୍କଠାରୁ ଅତିରିକ୍ତ ୭୮୪୪କୋଟି ଟଙ୍କାର କ୍ଷତିପୂରଣ ରାଶି ଦାବି କରିଛନ୍ତି। ଏହି ଦାବି ନେଇ ସରକାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ବା ସୁଧାର ଯାଚିକା ଦାୟର କରିଛନ୍ତି।

Leave A Reply