ଆଦିବାସୀ ଓ ଦଳିତଙ୍କ ବିକାଶ ଚାହେଁ କଂଗ୍ରେସ

0

ଭୁବନେଶ୍ୱର : କେନ୍ଦ୍ରର ଏନଡିଏ ହେଉ କିମ୍ବା ରାଜ୍ୟର ବିଜେଡି ସରକାର କେହି ଦଳିତ ପାଇଁ ଚିନ୍ତା କରୁନାହାନ୍ତି। କେବଳ ଭୋଟ ପାଇଁ ଭୂତାଉଛନ୍ତି। ଦଳିତମାନେ ଅଧିକାର ହାସଲ କରିବାକୁ ହେଲେ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ ବୋଲି ଗୁଜରାଟର ବିଧାୟକ ତଥା ଜାତୀୟ ଦଳିତ ନେତା ଜିଗ୍‍ନେଶ ମେୱାନି କହିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ପଡି଼ଆଠାରେ ମଙ୍ଗଳବାର ସମ୍ମାନ, ସ୍ୱାଭିମାନ ଓ ସମ୍ବିଧାନ ସମାବେଶରେ ଯୋଗଦେଇ ଶ୍ରୀ ମେୱାନି କହିଥିଲେ ଯେ, କୁନ୍ଦୁଲି ପୀଡ଼ିତା ସରକାରଙ୍କୁ ନ୍ୟାୟ ମାଗିଥିଲା। ସେ ଦଳିତ ଝିଅ ବୋଲି ତାକୁ ନ୍ୟାୟ ଦେଲେନାହିଁ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟହେଲା ବୋଲି କହିଛନ୍ତି। ଗୁଜରାଟରେ ୨୫ ବର୍ଷ ଧରି ଭୂମିହୀନ ଦଳିତଙ୍କୁ ପଟ୍ଟା ମିଳିଥିଲେ ମଧ୍ୟ ଜମି ମିଳୁନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ପ୍ରତିବାଦ ସ୍ୱରୂପ ରାସ୍ତାରେ ଶୋଇବାରୁ ୩୦୫ ଏକର ଜମି ଦଳିତ ପାଇଥିଲେ। ସମୟ ଆସିଛି ଅଧିକାର ପାଇଁ ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ରାସ୍ତାକୁ ଆସିବା ଦରକାର। ଏହି ସମାବେଶରେ କଂଗ୍ରେସ ଦଳିତ ସେଲ୍‍ ଅଧ୍ୟକ୍ଷ ବିଭୁ ତରାଇ ଦଳିତଙ୍କ ଉପରେ କିଭଳି ଅତ୍ୟାଚାର ବଢ଼ିଛି, ତାହା ଉଲ୍ଲେଖ କରିଥିଲେ। ସିପିଆଇ, ସିପିଏମ୍‍, ବହୁଜନ ସମାଜ ପାର୍ଟି, ଆରଜେଡି ଓ କଂଗ୍ରେସ ଏକାଠି ହୋଇଛନ୍ତି। ଦଳିତଙ୍କୁ ଅଧିକାର ଦେବା ପାଇଁ ଏକଜୁଟ ହୋଇ ନ୍ୟାୟ ଦେଇପାରିଲେ ଏକାଠି ହେବାର ସାର୍ଥକତା ହେବ ବୋଲି ସେ କହିଛନ୍ତି। ମୁଖ୍ୟଅତିଥି ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ।
ସାମାଜିକ, ଆର୍ଥକ କ୍ଷେତ୍ରରେ ରହିଥିବା ପଛୁଆ ବର୍ଗର ଉନ୍ନତି ପାଇଁ କଂଗ୍ରେସ ସଦାସର୍ବଦା ତା’ର ସଂଗ୍ରାମ ଜାରି ରଖିଛି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଯେ ପର୍ଯ୍ୟନ୍ତ ଜାତିପ୍ରଥା ରହିବ ସେ ପର୍ଯ୍ୟନ୍ତ ଦଳିତଙ୍କୁ ଉପଯୁକ୍ତ ସମ୍ମାନ ମିଳିବ ନାହିଁ। ଏ ବାର୍ତ୍ତା ଆମ୍ବେଦକର ଓ ଗାନ୍ଧୀ ଦେଶବାସୀଙ୍କୁ ଦେଇଛନ୍ତି। ସ୍ୱାଧୀନତା ପରେ କଂଗ୍ରେସ ଦଳ ଆମ୍ବେଦକରଙ୍କୁ ସମ୍ବିଧାନ ସଭାର ମୁଖ୍ୟ କରିଥିଲା। ସେ ସମୟରେ ଦଳିତତଙ୍କ ସମାସ୍ୟାର ଉପଯୁକ୍ତ ସମାଧାନ ପାଇଁ କଂଗ୍ରେସର ଚେଷ୍ଟା କରୁଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କଂଗ୍ରେସ ବିନା ଦଳିତର ଅଧିକାର ବିଜେପି ହାତରେ ଦୁର୍ବଳ ହୋଇଛି। ଓଡ଼ିଶାରେ ଦଳିତମାନେ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନେକ ପଛରେ ଅଛନ୍ତି ବୋଲି ବକ୍ତାମାନେ କହିଥିଲେ। ଏହି ସମାବେଶରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ପଟ୍ଟନାୟକ, ବିରୋଧୀଦଳ ନେତା ନରସିଂହ ମିଶ୍ର, ଦଳର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ଅନନ୍ତ ସେଠୀ, ସିପିଆଇର ବରିଷ୍ଠ ନେତା ରାମକୃଷ୍ଣ ପଣ୍ଡା, ପ୍ରଫେସର ବିଜୟ ବହିଦାର, ରତନ ଲାଲ, ସିପିଏମ୍‍ର ଜନାର୍ଦନ ପତି, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ଗଣେଶ୍ୱର ବେହେରା, ହରିଶ ମହାପାତ୍ର, ପ୍ରମୁଖ ଦଳିତ ଓ ପଛୁଆ ବର୍ଗକୁ ନ୍ୟାୟ ଦେବା ପାଇଁ ସଂଗ୍ରାମ ଜାରି ରହିବ ବୋଲି ଆହ୍ୱାନ ଦେଇଥିଲେ।

Leave A Reply