ବଂଶଧାରା ଜଳ ବିବାଦ: ଟ୍ରାଇବୁନାଲ ଦଳର ଆନ୍ଧ୍ର ଗସ୍ତ ଆଜି

0

ଗୁଣପୁର/ନୂଆଦିଲ୍ଲୀ : ବଂଶଧାରା ଜଳ ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ନେଇ ଗଠିତ ଟ୍ରାଇବୁନାଲ ଆସନ୍ତା ସୋମବାର ଆନ୍ଧ୍ର ଗସ୍ତ କରୁଛନ୍ତି। ଏପରିସ୍ଥଳେ, ଜଳ ବିବାଦ ନେଇ ଓଡିଶା ସରକାରଙ୍କ ଯୁକ୍ତିକୁ ସୁପ୍ରିମକୋର୍ଟର ଏକ ତିନି ଜଣିଆ ବିଚାରପତି ଟିମ୍‍ ବିଚାର କରିବେ ବୋଲି ସୂଚନା ମିଳିଛି। ଓଡିଶାର ପ୍ରମୁଖ ନଦୀଗୁଡିକ ମଧ୍ୟରେ ବଂଶଧାରା ରହିଛି। ଏହାର ଜଳ ବ୍ୟବହାରକୁ ନେଇ ଆନ୍ତଃରାଜ୍ୟ ବିବାଦ ଅନେକ ଦଶନ୍ଧି ହେଲା ଲାଗି ରହିଥିଲେ ହେଁ ଏହାର ସମାଧାନ ହୋଇପାରି ନାହିଁ। ଓଡିଶାର ବିରୋଧ ସତ୍ତ୍ବେ ଆନ୍ଧ୍ର ସରକାର ଏହାର ଜଳକୁ ବ୍ୟବହାର ପାଇଁ ଲଗାତାର ଭାବେ ତାର ଉଦ୍ୟମ ଜାରି ରଖିଛି। ଦୀର୍ଘ ୨୬୫ କିମି. ବିଶିଷ୍ଟ ଏହି ନଦୀର ୧୫୪ କିମି. ଓଡିଶାରେ ପ୍ରବାହିତ ହେଉଛି। ସୀମାନ୍ତ ଅଞ୍ଚଳ ଦେଇ ଆନ୍ଧ୍ରକୁ ପ୍ରବେଶ କରି କଳିଙ୍ଗପାଟନମଠାରେ ବଙ୍ଗୋପ ସାଗରରେ ମିଶିଛି। ଓଡିଶା ଅଧୀନରେ ଥିବା ଏହି ନଦୀ ଜଳକୁ ଓଡିଶା ସରକାର କୃଷି କିମ୍ବା ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ମୋଟେ ବ୍ୟବହାର କରିବା ଦିଗରେ ଆଗ୍ରହ ପ୍ରକାଶ କରୁ ନଥିବା ବେଳେ ଆନ୍ଧ୍ର ସରକାର ସୀମାନ୍ତ କେବଳ ୨୯ କିମି.ର ଜଳକୁ ତାଙ୍କ ରାଜ୍ୟର କୃଷି କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଚେଷ୍ଟିତ ଥିବାବେଳେ ଏହାକୁ ନେଇ ବିବାଦ ଦେଖା ଦେଇଛି। ଏହାର ଅନୁଧ୍ୟାନ ପାଇଁ ସୁପ୍ରିମ କୋର୍ଟ ଦ୍ୱାରା ଗଠିତ ଟ୍ରାଇବୁନାଲ ଦଳ ଗତ ଏକ ବର୍ଷ ତଳେ ଆନ୍ଧ୍ର ଓ ଓଡିଶା ଆସିଥିଲେ। ପରିସ୍ଥିତି ଅନୁଧ୍ୟାନ ପରେ ରାୟ ଶୁଣାଇ ଥିଲେ। ତେବେ ଏଥିରେ ୩ଟି ବିଷୟର ପରିବର୍ତ୍ତନ କରିବାକୁ ଓଡିଶା ସରକାର ପୁଣି ଥର ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ। ଏହାକୁ କୋର୍ଟ ଗ୍ରହଣ କରିଥିବା ବେଳେ ଆସନ୍ତା ସୋମବାର ଆନ୍ଧ୍ରର ବଂଶଧାରା ଅବବାହିକା ପରିଦର୍ଶନ କରାଯିବା ସୂଚନା ମିଳିଛି। ପରେ ଆସନ୍ତା ମଙ୍ଗଳବାର ଓଡିଶା ବଂଶଧାରା ନଦୀ ଅବବାହିକ ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ଜଣାପଡିଛି। ଏଥି ନେଇ ଉଭୟ ଆନ୍ଧ୍ର ଓ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ବେଶ୍‍ ତତ୍ପରତା ପ୍ରକାଶ ପାଇଛି।
ଦକ୍ଷିଣ ଓଡିଶାରୁ ବାହାରି ଥିବା ସିଲେରୁ, ସାବେରୀ, ସପ୍ତଧାରା, କୋଲାବ, ବାହୁଦା, ନାଗାବଳି, ଝଞ୍ଜାବତୀ, ମହେନ୍ଦ୍ରତନୟା ହେଉ ଅବା ବଂଶଧାରା ଭଳି ଅନେକ ଜଳ ସମ୍ପଦ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ପଡି ଏସବୁ ଜଳ ସମ୍ପଦକୁ ବ୍ୟବହାର ଦିଗରେ ଆନ୍ଧ୍ର ସରକାର ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ବହୁ ପୁରୁଣା। ବଂଶଧାରା ବିବାଦ ଅନେକ ଥର ଉଠିବା ପରେ ୧୯୬୧ରେ ଦୁଇ ରାଜ୍ୟ ମଧ୍ୟରେ ୫୦-୫୦ ଭାଗ ଜଳ ବ୍ୟବହାର କରିବା ନେଇ ରାଜିନାମା ହୋଇଥିଲା। ପରେ ଆନ୍ଧ୍ରର ଗୋଟାଠାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ୧୯୭୯ ରେ ଏକ ବ୍ୟାରେଜ ସ୍ଥାପନ ହୋଇଥିଲା। ଏହା ପରେ ବଂଶଧାରାର ଉପର ମୁଣ୍ଡରେ ନଦୀ ଶଯ୍ୟା ବୃଦ୍ଧି ପାଇବାରୁ ପ୍ରତି ବର୍ଷ ଓଡିଶା ଅଞ୍ଚଳବାସୀ ବନ୍ୟାର ଶିକାର ହୋଇ ଆସୁଛନ୍ତି। ୧୯୮୦ ରେ ଗୋଟା ବ୍ୟାରେଜରେ ବନ୍ୟା ଜଳ ନିଷ୍କାସନ ବେଳେ ଫାଟକ ପରିଚାଳନା କ୍ଷେତ୍ରରେ ଆନ୍ଧ୍ର ଅଧିକାରୀଙ୍କ ତ୍ରୁଟି ହେତୁ ଓଡିଶାର ଗୁଡାରୀ, ଗୁମୁଡା, ଚାଲକମ୍ବାଠାରୁ ଆରମ୍ଭ କରି ଗୁଣପୁର, ବିକ୍ରମପୁର, ଗାଦିଆଖଳା, ତୁକ୍ରାନିଗୁଡା, ପ୍ରଧାନୀଗୁଡା, ପଗଡବିଲି, ମାଛଖୁଣ୍ଟି, ପାଲସିଂ, ବାଡିଗାଁ, ସାରା, ଖାଣ୍ଡବା, ଓନା, ଗୌରୀ, ବଥବା, ପୁରୁଟିଗୁଡା, କାଶୀନଗର ଯାଏଁ ଅନେକ ଛୋଟ ବଡ ଗ୍ରାମ ଜଳ ପ୍ଲାବିତ ହୋଇ ବ୍ୟାପକ ଧନଜୀବନ କ୍ଷତି ଘଟିଥିଲା। ଏହ ପରେ ନଦୀ ଉପରେ ଆନ୍ଧ୍ରର କୌଣସି ପ୍ରକଳ୍ପ ଉଦ୍ୟମକୁ ଓଡିଶାବାସୀ ବିରୋଧ କରି ଆସୁଛନ୍ତି। ଏହାସତ୍ତ୍ବେ ଆନ୍ଧ୍ର ସରକାର ତାର ଉଦ୍ୟମରୁ ପଛକୁ ହଟୁନାହିଁ। ୧୯୮୦ ପରେ ଆନ୍ଧ୍ର ସରକାର ନେରେଡି ବ୍ୟାରେଜ କରିବାକୁ ବଂଶଧାରା ନଦୀ କୂଳରେ ଆନ୍ଧ୍ର ପାର୍ଶ୍ବରେ ଭିତ୍ତିପ୍ରସ୍ତର ସ୍ଥାପନ କରି କାର୍ଯ୍ୟ ଆରମ୍ଭ କରିବାରୁ ଓଡିଶା ବାସୀ ଓ ଆମ ସରକାରଙ୍କ ପକ୍ଷରୁ ପ୍ରବଳ ବିରୋଧର ସମ୍ମୁଖୀନ ପରେ ଆନ୍ଧ୍ର ସରକାର ଏହି ପ୍ରକଳ୍ପରୁ ଓହରି ଆସିଥିଲା।
୨୦୦୫ ରେ ଆନ୍ଧ୍ରର କାଟ୍ରାଗାଡାଠାରେ ଏକ କେନାଲ କରି ଜଳଭଣ୍ଡାର କରିବାର ଉଦ୍ୟମ ଆରମ୍ଭ କରିଛି। ଏହାର ଜଳକୁ ନେଇ ହିରମଣ୍ଡଳମ୍‍ଠାରେ ଏକ ବୃହତ ଜଳଭଣ୍ଡାର କରି ସେଥିରେ ଗଛିତ ରଖିବା ସହ ଏହି ଜଳକୁ ଆନ୍ଧ୍ରର ୮୦ ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚିତ କରିବାର ଲକ୍ଷ୍ୟ ରଖିଛି। ଏଥିପାଇଁ କେନାଲ ଖନନ ବେଳେ ଓଡିଶାର ଗୁଣପୁର, ସାରା, କାଶୀନଗର ଅଞ୍ଚଳ ବାସୀ ବିରୋଧ କରିଥିଲେ। ପରେ ଏହାକୁ ନେଇ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଆନ୍ଧ୍ର ସରକାର ଆନ୍ତଃରାଜ୍ୟ ଚୁକ୍ତିନାମାକୁ ଖିଲାପ କରି ଏତେବଡ଼ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପରେ ବି ଓଡିଶା ସରକାର ହାତବାନ୍ଧି ବସିଥିଲା। ଅସନ୍ତୋଷକୁ ଦୃଷ୍ଟିରେ ରଖି ଓଡିଶା ସରକାର ସୁପ୍ରିମ କୋର୍ଟରେ ଏକ ରିଟ୍‍ ପିଟିସନ ଦାୟର କରିଥିଲେ। ପରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଦ୍ୱାରା ଏକ ଟ୍ରାଇବୁନାଲ ଗଠିତ ହୋଇଥିଲା।
ଏହି ଟ୍ରାଇବୁନାଲ ୨୦୧୪ ଏପ୍ରିଲ ୨୩ ରେ ଆନ୍ଧ୍ରର ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ କରି ଫେରିବା ପରେ ଓଡିଶାର ସାମ୍ଭାବ୍ୟ କ୍ଷତି ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଟ୍ରାଇବୁନାଲ ମୁଖ୍ୟ ଡଃ.ମୁକୁନ୍ଦକମ ଶର୍ମାଙ୍କ ନେତୃତ୍ୱରେ ଏକ ୩ ଜଣିଆ ଅବସରପ୍ରାପ୍ତ ସୁପ୍ରିମ୍‌କୋର୍ଟର ବିଚାରପତି ଏହି ଗ୍ରସ୍ତରେ ଆସି ଉଭୟ ରାଜ୍ୟକୁ ସୁହାଇଲା ଭଳି ଏକ ଅନ୍ତରୀଣ ରାୟ ପ୍ରକାଶ କରିଥିଲେ। ଏହାର ପୁନଃବିଚାର ନେଇ ଟ୍ରାଇବୁନାଲ ଟିମ ଆନ୍ଧ୍ର୍ର ବିଶାଖାପାଟଣାରେ ପହଞ୍ଚିଛନ୍ତି। ଉଭୟ ଆନ୍ଧ୍ର ଓ ଓଡିଶାର ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଏହି ଟିମକୁ ସ୍ୱାଗତ କରିଛନ୍ତି। ଏହି ଟିମ ଆଗମନକୁ ଦୃଷ୍ଟିରେ ରଖି ଗତ ଏକ ମାସ ହେଲା ଉଭୟ ଆନ୍ଧ୍ର ଓ ଓଡିଶା ବଂଶଧାରା ନଦୀର ଅବବାହିକାରେ ରାସ୍ତା ନିର୍ମାଣ ଓ ବାସ୍ତବ ସ୍ଥିତି ଅବଗତ କରିବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି। ଆସନ୍ତା ସୋମବାର ଆନ୍ଧ୍ର ଓ ମଙ୍ଗଳବାର ଓଡିଶା ବଂଶଧାରା ନଦୀ ଅବବାହିକା ପରିଦର୍ଶନ କରି ଓଡିଶା ସରକାରଙ୍କ ଆବେଦନକୁ ବିଚାର କରି ଆଗାମୀ ଦିନରେ ଚୂଡ଼ାନ୍ତ ରାୟ ପ୍ରକାଶ କରିବେ ବୋଲି ଜଣାପଡିଛି।

Leave A Reply