ବାଙ୍କୀ ମହୋତ୍ସବ ୨୦୧୮ ଉଦ୍‍ଘାଟିତ

0

କଳାପଥର(ବାଙ୍କୀ) :ବାଙ୍କୀର ଗଣପର୍ବ ବାଙ୍କୀ ମହୋତ୍ସବ ସ୍ଥାନୀୟ କଚେରୀ ପଡିଆରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‍ଘାଟିତ ହୋଇଯାଇଛି। ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଳିକ ଉତ୍ସବକୁ ଉଦ୍‍ଘାଟନ କରି କହିଥିଲେ ଯେ ବାଙ୍କୀ ଅତୀତରୁ ବର୍ତ୍ତମାନ ଯାଏଁ ଓଡିଶା ଏବଂ ଭାରତକୁ କଳା ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଦିଗ୍‍ଦର୍ଶନ ଦେଇ ଆସୁଛି। ବାଙ୍କୀ ମହୋତ୍ସବ ବାଙ୍କୀର ସଂସ୍କୃତି ଏବଂ କଳାକ୍ଷେତ୍ରରେ ଥିବା ନୈପୁଣ୍ୟତାକୁ ବହୁଗୁଣିତ କରୁଛି। କଳାକାର, ସଂସ୍କୃତିବିତ୍‍ ଓ ପରିବେଶବିତ୍‍ମାନଙ୍କ ପାଇଁ ବାଙ୍କୀ ମହୋତ୍ସବ ଏକ ସିଡି ବୋଲି ସେ ଅଭିହିତ କରିଥିଲେ।

କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ଯେ ଓଡ଼ିଶାର ଋଦ୍ଧିମନ୍ତ ଐତିହ୍ୟ, ପରମ୍ପରା, ଇତିିହାସ ଭୂଗୋଳରେ ବାଙ୍କୀର ବିଶେଷ ପରିଚୟ ଓ ପ୍ରତିଷ୍ଠା ରହିଛି। ଓଡିଶାର ସାହିତ୍ୟ, ସଂସ୍କୃତି, କଳା ଓ ଜୀବନ ଶୈଳୀକୁ ବାଙ୍କୀର ଅବଦାନ ଉଲ୍ଲେଖନୀୟ।  ପରମ୍ପରା ପ୍ରଗତି, ଧାର୍ମିକପୀଠ ଭାବେ ବାଙ୍କୀ ଆଧୁନିକ ସମାଜର ନେତୃତ୍ୱ ନେଇଛି।  କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‍ ସମ୍ମାନିତ ଭାବରେ ଯୋଗଦେଇ କହିଲେ ଯେ ବାଙ୍କୀ ହେଉଛି ଜଗତଜନନୀ ମା’ଚର୍ଚ୍ଚିକାଙ୍କ ପୁଣ୍ୟପୀଠ। ବାଙ୍କୀର କ୍ରୀଡା, ସାହିତ୍ୟ, ଐତିହ୍ୟ, କଳା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ କରିବାରେ ବାଙ୍କୀ ମହୋତ୍ସବର ଅବଦାନ ଅତୁଳନୀୟ।  ବୀରାରାଣୀ ଶୁକଦେଇ, ସମାଜ ସଂଗଠନ ଗୋବିନ୍ଦରଥ, ଓଡିଆ ସଂସ୍କୃତିର ଦିଗ୍‍ଦର୍ଶନ ନୀଳମଣି ବିଦ୍ୟାରତ୍ନ, ରାୟବାହାଦୁର ବିଦ୍ୟାଧର ପଣ୍ଡାଙ୍କ ଭଳି ପୁଣ୍ୟାତ୍ମାକୁ ସେ ସ୍ମରଣ କରିଥିଲେ। ବାଙ୍କୀ ଉପଜିଲ୍ଲାପାଳ ଅରୁଣ କୁମାର ବିଶ୍ୱାଳ ଓ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବାଙ୍କୀ ମହୋତ୍ସବ ବାଙ୍କୀର ଆବାଳ ବୃଦ୍ଧ ବନିତାଙ୍କୁ ଏକ ସୂତ୍ରରେ ବାନ୍ଦି ରଖିଥିବା ପ୍ରକାଶ କରିଥିଲେ। ଆଜିର ଉଦ୍‍ଘାଟନ ଉତ୍ସବରେ ବାଙ୍କୀ ମହୋତ୍ସବ ସଭାପତି ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି କହିଲେ ଯେ ୧୯ବର୍ଷରେ ପଦାର୍ପଣ କରିଥିବା ବାଙ୍କୀ ମହୋତ୍ସବ ଆଜି ଯୁବକତ୍ୱ ଲାଭ କରିଛି। ବାଙ୍କୀ ଜନତାର ଅଫୁରନ୍ତ ସାହାଯ୍ୟ ସହଯୋଗ ଆଧାରରେ ପ୍ରାଣବନ୍ତ ହୋଇଛି। ଆଜି କୁମାର ଉତ୍ସବ ଓ କୁମାର ପୂର୍ଣ୍ଣିମା ଅବସରରେ କରୁଣାମୟୀ ମା’ଚର୍ଚ୍ଚିକା ବାଙ୍କୀ-ବାରଙ୍ଗ ଅଞ୍ଚଳର ଜନସାଧାରଣଙ୍କ ବିକାଶ ଓ ଉନ୍ନତି ପାଇଁ ଶକ୍ତି ଓ ଆଶୀର୍ବାଦ କରିବାକୁ ସେ ପ୍ରାର୍ଥନା କରିଥିଲେ। ମହୋତ୍ସବ ସମ୍ପାଦକ ଡ଼ ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ଦୀର୍ଘ ୧୯ ବର୍ଷ ଧରି ପାଳିତ ହେଉଥିବା ବାଙ୍କୀ ମହୋତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ବାଙ୍କୀ ମହୋତ୍ସବ ସବୁ ମହୋତ୍ସବ ଆଦ୍ୟ ଜନନୀ ବୋଲି ଅଭିହିତ କରିଥିଲେ। ମହୋତ୍ସବର କୋଷାଧ୍ୟକ୍ଷ ତଥା ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଭାତ ଦାସ ଓ ତାଙ୍କ ସାଥିଙ୍କ ଦ୍ୱାରା ଆବାହନୀ ସଂଗୀତ ଗାନ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜିର ଉତ୍ସବରେ ବିଶିଷ୍ଟ ଅର୍ଥନୀତି ବିଶେଷଜ୍ଞ ବସନ୍ତ କୁମାର ପ୍ରଧାନଙ୍କୁ “ଚର୍ଚ୍ଚିକା ସମ୍ମାନ” ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ଭରତ ଚନ୍ଦ୍ର ବେହେରା(ପ୍ରଶାସକ), ମାଗୁଣି ଚରଣ ସାହୁ(ଶିକ୍ଷାବିତ୍‍), ରାୟ ବାହାଦୁର ବିଦ୍ୟାଧର ପଣ୍ଡା(ସମବାୟବିତ୍‍ ମରଣୋତ୍ତର), ସୁରଞ୍ଜନ ପଣ୍ଡା(ସମାଜସେବୀ), ହରିଶ୍ଚନ୍ଦ୍ର ମିଶ୍ର(ସମାଜସେବୀ) ଡାକ୍ତର ପ୍ରସନ୍ନ ମହାପାତ୍ର(ଗବେଷକ), ଡାକ୍ତର ବଂଶୀଧର ମିଶ୍ର(ସମାଜ ସେବୀ), ବାନାମ୍ବର ପାତ୍ର(ସଂଗଠକ ମରଣୋତ୍ତର), ଶ୍ରୀନିବାସ ସ୍ୱାଇଁ(ଅଧିବକ୍ତା), ଧର୍ମପ୍ରସାଦ ମଙ୍ଗରାଜ(କ୍ରୀଡ଼ା ସଂଗଠକ), ସୁନୀଲ୍‍ ସିଂ(ସମାଜସେବୀ), ଡାକ୍ତର ଦୀପକ୍‍ କୁମାର ରାଜ(ଚିକିତ୍ସକ), ହୃଦାନନ୍ଦ ବେଉରା(ସଂକୀର୍ତ୍ତନ ଗାୟକ), ନିଶିକାନ୍ତ ପଣ୍ଡା(ପାଲା ଗାୟକ), ଡଃ ପ୍ରଭାକର ପାଣିଗ୍ରାହୀ(ସଂସ୍କୃତ ବିଷାରଦ. ଏକାଦଶୀ ବାରିକ(ଚିତ୍ରଶିଳ୍ପୀ), ପବିତ୍ର କୁମାର ରାଉତ(ନାଟ୍ୟକାର), ନିରଞ୍ଜନ ପଣ୍ଡା(ଆଦର୍ଶ କୃଷକ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହୋତ୍ସବ ସଂଯୋଜକ ତଥା ଏନ୍‍.ସି.ସି. ଅଫିସର ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସକାଳୁ ମା’ଚର୍ଚ୍ଚିକାଙ୍କ ପୁଣ୍ୟ ପୀଠ ଠାରେ ପୂଜାର୍ଚ୍ଚନା କରାଯାଇଥିଲା। ରାଜଗୁରୁ ଶ୍ୟାମସୁନ୍ଦର ମହାପାତ୍ର, ମହୋତ୍ସବ ଉପସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର, ସନାତନ ବେହେରା, କୋଷାଧ୍ୟକ୍ଷ ସମରେନ୍ଦ୍ର ମହାପାତ୍ର, ସେବାୟତ ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖ ଜ୍ୟୋତି ଶୋଭାଯାତ୍ରାରେ ଯୋଗଦେଇଥିଲେ। ମହୋତ୍ସବ ପଡିଆରେ ଥିବା ପ୍ରଦର୍ଶନୀ ମଣ୍ଡପକୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦ୍‍ଘାଟନ କରିଥିଲେ। ଡକ୍ଟର ଅରୁଣ କୁମାର ମିଶ୍ର ବିଶିଷ୍ଟ ପ୍ରଧ୍ୟାପକଙ୍କ ଦ୍ୱାରା ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଶେଷରେ ମହୋତ୍ସବର ଉପସଭାପତି ଅନନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply