ଫାଇନାଲରେ ସୌରଭ, କୁହୁ-ରୋହନ

0

ଭ୍ଲାଡିଭୋଷ୍ଟକ୍‍ : ଭାରତର ସୌରଭ ବର୍ମା ଓ କୁହୁ ଗର୍ଗ-ରୋହନ କପୁର ଏଠାରେ ଚାଲିଥିବା ରୁଷିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ପୁରୁଷ ସିଙ୍ଗଲ୍‍ସ ଓ ମିକ୍ସଡ ଡବଲ୍‍ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶନିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ ସେମିଫାଇନାଲରେ ୮ମ ସିଡ୍‍ ମାନ୍ୟତାପ୍ରାପ୍ତ ସୌରଭ ସିଧାସଳଖ ୨୧-୯, ୨୧-୧୫ ଗେମରେ ସ୍ୱଦେଶର ମିଠୁନ ମଞ୍ଜୁନାଥଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୩୧ ମିନିଟ ମଧ୍ୟରେ ଶେଷ ହୋଇଥିଲା। ଫାଇନାଲରେ ସୌରଭ ଜାପାନର କୋକି ୱାତାନାବେଙ୍କୁ ଭେଟିବେ। ଅନ୍ୟ ସେମିଫାଇନାଲରେ ୱାତାନାବେ ୨୧-୧୨, ୨୧-୧୬ ଗେମ୍‌ରେ ଦ୍ବିତୀୟ ସିଡ୍‌ ରୁଷିଆର ଭ୍ଲାଦିମିର ମାଲକୋଭଙ୍କୁ ପରାସ୍ତ କରିଛନ୍ତି। ଦୀର୍ଘଦିନ ଅସୁସ୍ଥତା ଯୋଗୁଁ ସୌରଭ ଆନ୍ତର୍ଜାତିକ ସର୍କିଟ୍‌ରୁ ଦୂରେଇ ରହିଥିଲେ। ବର୍ତ୍ତମାନ ରୁଷିଆ ଓପନରେ ଚମ୍ପିଆନ ହୋଇ ପୁଣି ଥରେ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିବା ପାଇଁ ସୌରଭ ସଂକଳ୍ପବଦ୍ଧ। ସୂଚନାଯୋଗ୍ୟ ସୌରଭ ୨୦୧୬ରେ ଚାଇନିଜ୍‌ ତାଇପେ ମାଷ୍ଟର୍ସରେ ଚମ୍ପିଆନ ହୋଇଥିଲେ।
ମିକ୍ସଡ ଡବଲ୍‍ସ ସେମିଫାଇନାଲରେ ୨ୟ ସିଡ୍‍ ମାନ୍ୟତାପ୍ରାପ୍ତ କୁହୁ ଗର୍ଗ ଓ ରୋହନ କପୁର ୨୧-୧୯, ୧୧-୨୧, ୨୨-୨୦ ଗେମରେ ମାଲେସିଆ ଯୋଡି ଚେନ୍‍ ତାଙ୍ଗ୍‍ ଜି ଓ ୟେନ୍‍ ୱି ପେକ୍‍ଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଫାଇନାଲରେ କୁହୁ-ରୋହନ ଭ୍ଲାଦିମୀର ଇଭାନୋଭ୍‍ (ରୁଷିଆ) ଓ ମିନ୍‍ କ୍ୟୁଙ୍ଗ୍‍ କିମ୍‍ଙ୍କୁ (କୋରିଆ) ଭେଟିବେ। ତେବେ ପୁରୁଷ ଡବଲ୍‍ସରେ ଭାରତୀୟ ଯୋଡି ଅରୁଣ ଜର୍ଜ ଓ ସନ୍ୟମ ଶୁକ୍ଳାଙ୍କୁ ନିରାଶ ହେବାକୁ ପଡିଛି। ଶନିବାର ଖେଳାଯାଇଥିବା ସେମିଫାଇନାଲରେ ୨ୟ ସିଡ୍‍ ମାନ୍ୟତାପ୍ରାପ୍ତ ରୁଷୀୟ ଯୋଡି କନ୍‍ଷ୍ଟାଣ୍ଟିନ୍‍ ଆବ୍ରାମୋଭ୍‍ ଓ ଆଲେକ୍‍ଜାଣ୍ଡାର ଜିନ୍‍ଚେଙ୍କୋ ୨୧-୧୫, ୨୧-୧୯ ଗେମରେ ଅରୁଣ-ସନ୍ୟମଙ୍କୁ ପରାସ୍ତ କରିଛନ୍ତି।

Leave A Reply