୨ୟ ରାଉଣ୍ଡରେ ସିନ୍ଧୁ, ଶ୍ରୀକାନ୍ତ ଓ ପ୍ରଣୟ

0

ଟୋକିଓ : ମଙ୍ଗଳବାରଠାରୁ ଏଠାରେ ଜାପାନ ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଖେଳାଯାଇଥିବା ସିଙ୍ଗଲ୍‍ସ ମ୍ୟାଚରେ ଭାରତର ପିଭି ସିନ୍ଧୁ, କିଦାମ୍ବି ଶ୍ରୀକାନ୍ତ ଓ ଏଚ.ଏସ.ପ୍ରଣୟ ପ୍ରମୁଖ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍‍ସ ପ୍ରଥମ ରାଉଣ୍ଡରେ ୩ୟ ସିଡ୍‍ ସିନ୍ଧୁ ୨୧-୧୭, ୭-୨୧, ୨୧-୧୩ ଗେମରେ ଜାପାନର ସାୟାକା ତାକାସାହିଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୫୩ ମିନିଟ ଧରି ଚାଲିଥିଲା। ଦ୍ୱିତୀୟ ରାଉଣ୍ଡରେ ସେ ଚୀନର ଫାଙ୍ଗ୍‍ଜି ଗାଓଙ୍କୁ ଭେଟିବେ। ଅନ୍ୟ ଏକ ପ୍ରଥମ ରାଉଣ୍ଡରେ ଫାଙ୍ଗ୍‍ଜି ୨୧-୧୦, ୨୧-୮ ଗେମରେ ଭାରତର ବୈଷ୍ଣୋବୀ ରେଡ୍ଡିଙ୍କୁ ହରାଇଛନ୍ତି।
ପୁରୁଷ ସିଙ୍ଗଲ୍‍ସ ପ୍ରଥମ ରାଉଣ୍ଡରେ ୭ମ ସିଡ୍‍ ଶ୍ରୀକାନ୍ତ ୨୧-୧୩, ୨୧-୧୫ ଗେମରେ ଚୀନର ୟୁଜିଆଙ୍ଗ୍‍ ହୁଆଙ୍ଗ୍‍ଙ୍କୁ ପରାସ୍ତ କରିଥିବାବେଳେ ପ୍ରଣୟ ୨୧-୧୮, ୨୧-୧୭ ଗେମରେ ଏସୀୟ କ୍ରୀଡାର ସ୍ୱର୍ଣ୍ଣପଦକ ବିଜେତା ଡେନମାର୍କର ଜୋନାଥନ କ୍ରିଷ୍ଟିଙ୍କୁ ପରାସ୍ତ କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଶ୍ରୀକାନ୍ତ ହଂକଂର ଭିନସେଣ୍ଟ ୱଙ୍ଗ୍‍ଙ୍କୁ ଭେଟିବେ। ତେବେ ପୁରୁଷ ସିଙ୍ଗଲ୍‍ସର ଅନ୍ୟ ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ଭାରତର ସମୀର ବର୍ମା ୧ ଘଣ୍ଟା ୨୩ ମିନିଟର ଲଢେଇ ପରେ ଦକ୍ଷିଣ କୋରିଆର ଲି ଡୋଙ୍ଗ୍‍ କିଉନଙ୍କଠାରୁ ୧୮-୨୧, ୨୨-୨୦, ୧୦-୨୧ ଗେମରେ ହାରିଯାଇଛନ୍ତି। ମିକ୍ସଡ ଡବଲ୍‍ସରେ ଭାରତକୁ ମିଶ୍ରିତ ଫଳ ମିଳିଛି। ପ୍ରଣବ ଚୋପ୍ରା ଓ ସିକ୍କି ରେଡ୍ଡି ପ୍ରଥମ ରାଉଣ୍ଡରେ ମାଲେସୀୟ ଯୋଡି ମାଥ୍ୟୁ ଫୋଗାର୍ତି ଓ ଇସାବେଲ ଝୋଙ୍ଗ୍‍ଙ୍କୁ ୨୧-୯, ୨୧-୬ ଗେମରେ ପରାସ୍ତ କରି ୨ୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ତେବେ ଏହି ଇଭେଣ୍ଟରେ ଅନ୍ୟ ଭାରତୀୟ ଯୋଡି ସ୍ୱସ୍ତିକସାଇରାଜ ର‍୍ୟାଙ୍କିରେଡ୍ଡି ଓ ଅଶ୍ୱିନୀ ପୋନାପ୍ପା ୧୦-୨୧, ୧୯-୨୧ ଗେମରେ ୨ୟ ସିଡ୍‍ ମାନ୍ୟତାପ୍ରାପ୍ତ ଚୀନର ୟିଲୟୁ ୱଙ୍ଗ୍‍ ଓ ହୁଆଙ୍ଗ୍‍ ଡୋଙ୍ଗ୍‍ପିଙ୍ଗ୍‍ଙ୍କଠାରୁ ହାରିଯାଇଛନ୍ତି।

Leave A Reply