ଶିକ୍ଷାନୁଷ୍ଠାନ ଜମି ଜବରଦଖଲ ଅଭିଯୋଗ

0

ବଡ଼ସାହି : ବଡ଼ସାହି ପ୍ରାଥମିକ ସ୍କୁଲର ଜମି ଜବରଦଖଲ ପୂର୍ବକ ସେଠାରେ ନିର୍ମାଣ କାର୍ଯ୍ୟକୁ ଜେଏମଏମ୍‍ ଦଳ ବିରୋଧ କରିଛନ୍ତି। ଦଖଲଭୁକ୍ତ ଏକ ଗୋଚର ଜମିରେ ଶାସକ ଦଳର କର୍ମକର୍ତ୍ତାମାନେ ଶୌଚାଳୟ ପ୍ରତିଷ୍ଠା କରିବାକୁ ନେଇ ଭୂମିପୂଜା କରିଥିବା ସୂଚନା ମିଳିଛି। ଜବରଦଖଲ ରେକର୍ଡଭୁକ୍ତ ହୋଇଥିବା ଜମିକୁ ଶିକ୍ଷାନୁଷ୍ଠାନକୁ ଫେରସ୍ତ ଦିଆଯିବା ପାଇଁ ଦଳ ପକ୍ଷରୁ ଏକ ଦାବିପତ୍ର ମାନ୍ୟବର ମୟୂରଭଞ୍ଜ ଜିଲାପାଳ, ବ୍ଳକ ଶିକ୍ଷାଧିକାରୀ, ତହସିଲଦାର, ପ୍ରଧାନ ଶିକ୍ଷୟିତ୍ରୀ ଓ ଥାନାଧିକାରୀଙ୍କୁ ପ୍ରଦାନ କରିଛନ୍ତି। ବଡ଼ସାହି ଉପ୍ରା ବିଦ୍ୟାଳୟକୁ ଲାଗି ରହିଥିବା ଗୋଚରଜମି ବଡ଼ସାହି ମୌଜାର ରକ୍ଷିତ ଖାତା ନମ୍ବର ୪୯୧, ପ୍ଳଟ ନମ୍ବର ୧୬୦୪,୧୬୦୫ ଓ ୧୬୦୬ ସ୍କୁଲ ନାମରେ ରେକର୍ଡଭୁକ୍ତ ରହିଛି। ଏହି ସ୍ଥାନକୁ ଜନୈକ ବ୍ୟକ୍ତି ଜବରଦଖଲ କରିବାରୁ ଗ୍ରାମର କିଛି ଯୁବକ ଏହାର ବିରୋଧ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସ୍ଥାନୀୟ ତହସିଲଦାରଙ୍କ ନିର୍ଦ୍ଦେଶରେ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ସ୍ଥାନ ଚିହ୍ନଟ କରିବା ପରେ ଜମିର ମାଲିକାନା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହି ଜମି ସ୍କୁଲକୁ ହସ୍ତାନ୍ତର କରିବା ପରିବର୍ତ୍ତେ ଏକ ଶୌଚାଳୟ କରିବାର ନିଷ୍ପତି ନେଇ ଭୂମି ପୂଜା ଶେଷ କରିଛନ୍ତି। ଶୌଚାଳୟ ପରିବେର୍ତ୍ତ ସେହିସ୍ଥାନରେ ବିଜେଡି କାର୍ଯ୍ୟାଳୟ ଓ କନଫରେସିଂ ହଲ୍‍ ନିର୍ମାଣ ହେବ ବୋଲି ଜେଏମ୍‍ଏମ୍‍ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଏପରି ହେଲେ ଜେଏମଏମ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ଏକ ଦଳୀୟ ଅଫିସ କରାଯିବ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। କୌଣସି ରାଜନୈତିକ ଦଳକୁ ଏହି ଗୋଚର ସ୍ଥାନଟି ଦିଆନଯାଇ ରେକର୍ଡଭୁକ୍ତ ଥିବା ସ୍କୁଲକୁ ଫେରସ୍ତ ଦେବାକୁ ସେମାନେ ଦାବି କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଦଳ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଚେତାବନୀ ଦେଇଛନ୍ତି।

Leave A Reply