ଅଷ୍ଟ୍ରେଲିଆ ପେସରଙ୍କ ନଜରରେ ଭାରତୀୟ ମଧ୍ୟକ୍ରମ

0

ମେଲ୍‌ବୋର୍ଣ୍ଣ : ଏବେ ବଡ଼ଦିନ ପାଳନ କରିବାରେ ବ୍ୟସ୍ତ ଅଷ୍ଟ୍ରେଲିଆ ଦଳର କ୍ରିକେଟରମାନେ। ତଥାପି ବକ୍ସିଂଡେ; ଅର୍ଥାତ୍ ବୁଧବାରଠାରୁ ଆରମ୍ଭ ହେଉଥିବା ୩ୟ ଟେଷ୍ଟମ୍ୟାଚ୍‌ରେ ଭାରତକୁ ପରାସ୍ତ କରିବା ଲାଗି ଗୋଟିଚାଳନା କରିବାକୁ ଭୁଲିନାହାନ୍ତି ଅଷ୍ଟ୍ରେଲିଆ ଖେଳାଳି। ଗତ ୨ଟି ଟେଷ୍ଟରେ ଭାରତୀୟ ଓପ୍‌ନିଂ ଯୋଡ଼ି ମୁରଲୀ ବିଜୟ ଓ କେ.ଏଲ୍. ରାହୁଲଙ୍କୁ ଆଉଟ କରିବା ପରେ ଏବେ କଙ୍ଗାରୁ ଦଳର ପେସ୍ ବୋଲରଙ୍କ ନଜର ଭାରତୀୟ ମଧ୍ୟକ୍ରମ ଉପରେ।
ପର୍ଥ ଟେଷ୍ଟରେ ପରାଜୟ ପରେ ଭାରତୀୟ ଖେଳାଳି ଏବେ ଚାପରେ ଅଛନ୍ତି। ଏହାର ଫାଇଦା ନେବାର ଲକ୍ଷ୍ୟ ରଖିଛନ୍ତି ୩ ଫାଷ୍ଟବୋଲର ମିଚେଲ ଷ୍ଟାର୍କ, ଜୋସ୍ ହାଜେଲ୍‌ଉଡ୍ ଓ ପ୍ୟାଟ୍ କମିନ୍‌ସ। ଗତ ୨ଟି ଟେଷ୍ଟରେ ଗତି ଓ ବାଉନ୍‌ସ ସହ ପ୍ରଭାବଶାଳୀ ବୋଲିଂ କରିିଥିବା ଷ୍ଟାର୍କ କହିଛନ୍ତି, ସହଳ ଓପ୍‌ନରଙ୍କୁ ଆଉଟକରି ମଧ୍ୟକ୍ରମକୁ ନୂଆବଲ୍‌ରେ ଆକ୍ରମଣ କରିବା ଆମର ଯୋଜନା। ଯଦି ଭାରତ ଉପର ଅର୍ଡର ବ୍ୟାଟିଂରେ ପରିବର୍ତ୍ତନ କରେ; ଆମ ଯୋଜନା ପରିବର୍ତ୍ତନ ହେବନାହିଁ। ଅଷ୍ଟ୍ରେଲିଆ ବୋଲରଙ୍କ ଗୋଟିଏ ଯୋଜନା ହେଉଛି ୩ ଭାରତୀୟ ବ୍ୟାଟ୍‌ସମ୍ୟାନ୍- ଚେତେଶ୍ବର ପୂଜାରା, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେଙ୍କୁ ଆରମ୍ଭରୁ ଆକ୍ରମଣ କରିବା। ଏହି ୩ ବ୍ୟାଟ୍‌ସମ୍ୟାନ୍ ଦୀର୍ଘ ସମୟ କ୍ରିଜ୍‌ରେ ରହିଲେ ଅଷ୍ଟ୍ରେଲିଆ ପାଇଁ ଦୁଃସ୍ବପ୍ନ ପାଲଟି ପାରନ୍ତି। ତେବେ ଗତ ୨ଟି ଟେଷ୍ଟରେ ଏହି ୩ ବ୍ୟାଟ୍‌ସମ୍ୟାନ ଭଲ ରନ୍ ସଂଗ୍ରହ କରି ପାରିଛନ୍ତି। ପ୍ୟାଟ୍ କମିନ୍‌ସ କହିଛନ୍ତି ଯେ ବିରାଟ କୋହଲିଙ୍କୁ ବୋଲିଂ କରିବା ବେଳେ ସେମାନଙ୍କୁ ସତର୍କ ରହିବାକୁ ପଡ଼ିବ। କମିନ୍‌ସ କହିଛନ୍ତି, ଏହି ସିରିଜ୍‌ରେ ବିରାଟ ଭଲ ବ୍ୟାଟିଂ କରିଛନ୍ତି। ବିଶ୍ବର ଭଲ ବ୍ୟାଟ୍‌ସମ୍ୟାନଙ୍କ ପରି କୋହଲି ଦୁର୍ବଳ ବଲ୍ ପାଇଲେ ଏହାର ଫାଇଦା ଉଠାଇଥାଆନ୍ତି। ଆମକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। କୋହଲିଙ୍କୁ ଜଲ୍‌ଦି ଆଉଟ କରିବା ଦଳ ପାଇଁ ସହାୟକ ହେବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିପାରେ। ଫର୍ମରେ ନଥିବା ବ୍ୟାଟ୍‌ସମ୍ୟାନ୍ ପିଟର ହ୍ୟାଣ୍ଡ୍‌ସକମ୍ବ୍‌ଙ୍କ ସ୍ଥାନରେ ଅଭିଜ୍ଞ ଅଲ୍‌ରାଉଣ୍ଡର ମିଚେଲ ମାର୍ଶ ଖେଳିବା ନିଶ୍ଚିତ ଲାଗୁଛି।

Leave A Reply