କଡ଼ା ସୁରକ୍ଷା ବଳୟରେ ବିଧାନସଭା ; ୩୦ ପ୍ଲାଟୁନ୍‍ ପୁଲିସ ଫୋର୍ସ, ୨ ୟୁନିଟ୍‍ ଏସ୍‌ଟିୟୁ, ୧୦୦ ଅଫିସର ମୁତୟନ

0

ଭୁବନେଶ୍ୱର : ଶୁକ୍ରବାରଠାରୁ ପଞ୍ଚଦଶ ବିଧାନସଭାର ଚତୁର୍ଦଶ ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏଥିପାଇଁ କମିସନରେଟ୍‍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ପୁଲିସ କମିସନର ସତ୍ୟଜିତ ମହାନ୍ତି, ଗୁଇନ୍ଦା ନିର୍ଦେଶକ ସୁନିଲ୍‍ ରାୟ, ଆଇଜି (ଆଇନଶୃଙ୍ଖଳା) ଅମିତାଭ ଠାକୁର, ଡିସିପି ଅନୁପ କୁମାର ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗୁରୁବାର ଅପରାହ୍ଣରେ ବିଧାନସଭା ପରିସରକୁ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ବିଧାନସଭାର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ଏହାର ଆଖାପାଖ ଅଞ୍ଚଳ ଲୋୟର ପିଏମ୍‍ଜି, ବାରିକେଡ୍‍ ସୁରକ୍ଷା ଏବଂ ସିସିଟିଭି ଆଦିକୁ ବରିଷ୍ଠ ପୁଲିସ ଅଧିକାରୀମାନେ ଅନୁଧ୍ୟାନ କରିଥିଲେ। ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ୪ ଜଣ ଅତିରିକ୍ତ ଡିସିପି, ଏସିପି, ଇନ୍ସପେକ୍ଟରଙ୍କ ସମେତ ମିଶାଇ ୧୦୦ ଜଣ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାରେ ମୁତୟନ କରାଯିବେ ବୋଲି ପୁଲିସ ମହାନିର୍ଦେଶକ ଡାକ୍ତର ଶର୍ମା ସୂଚନା ଦେଇଛନ୍ତି। ୩୦ ପ୍ଲାଟୁନ୍‍ ପୁଲିସ ଫୋର୍ସ ବ୍ୟତୀତ ୨ଟି ଆତଙ୍କବାଦ ନିରୋଧୀ ୟୁନିଟ୍‍(ଏସ୍‍ଟିୟୁ- ଷ୍ଟେଟ୍‍ ଟାକ୍‍ଟିକାଲ୍‍ ୟୁନିଟ୍‍) ମୁତୟନ ହେବେ। ବିଧାନସଭା ଭିତର, ବାହାର ଏବଂ ଲୋୟର ପିଏମ୍‍ଜି ମାଷ୍ଟର କ୍ୟାଣ୍ଟିନ୍‍, ଏଜି ଛକ ଓ ରବୀନ୍ଦ୍ରମଣ୍ଡପ ପର୍ଯ୍ୟନ୍ତ ରାସ୍ତାର ସିସିଟିଭିକୁ ଯାଞ୍ଚ କରାଯାଇଥିଲା। ବିଧାନସଭା ସମୟରେ ପୁରୁଷ ବିଶ୍ୱକପ୍‍ ହକି ନଭେମ୍ବର ୨୮ରୁ ଆରମ୍ଭ ହେଉଛି। ଏଥିପାଇଁ ଅଧିକ ପୁଲିସ ଫୋର୍ସର ଆବଶ୍ୟକତା ରହିଛି। ବିଶ୍ୱକପ୍‍ ହକି ସହିତ ବିଧାନସଭାର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପୁଲିସ ଏଥିପାଇଁ ଅଧିକ ଚାପରେ ରହିବ। ତଥାପି ସବୁଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପ୍ରତି ଅଧିକ ଧ୍ୟାନ ଦିଆଯିବ।
ଦ୍ୱୈତନଗରୀରେ ବିଶ୍ୱକପ ହକି, ବିଧାନସଭା ସୁରକ୍ଷା ସହିତ ଆଗକୁ ମଧ୍ୟ ବାଲିଯାତ୍ରା  ଅନୁଷ୍ଠିତ ହେବାକୁ ଯାଉଛି। ଏସବୁ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୁଲିସ କମିସନର ଶ୍ରୀ ମହାନ୍ତି। ବିଶ୍ୱକପ୍‍ ହକି ପାଇଁ ଗତ କିଛି ଦିନ ହେବ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି କରାଯାଉଛି। ବିଧାନସଭା ପାଇଁ ଏବେ ପ୍ରାଥମିକତା ଦିଆଯାଉଛି। ପରେ ହକି ପାଇଁ ଅଧିକ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯିବ ବୋଲି କମିସନର ସୂଚନା ଦେଇଛନ୍ତି।

Leave A Reply