ସୁଟିଂରେ ୧୫ ବର୍ଷ ବୟସ୍କ ସାର୍ଦ୍ଦୁଳଙ୍କୁ ରୌପ୍ୟ

0

ପାଲେମ୍‍ବାଙ୍ଗ୍‍ : ଚଳିତ ଏସୀୟ କ୍ରୀଡ଼ାରେ ୨ ଦିନ ତଳେ ୧୬ ବର୍ଷ ବୟସ୍କ ସୌରଭ ଚୌଧୁରୀ ସୁଟିଂରେ ସ୍ୱର୍ଣ୍ଣପଦକ ଜିତିବା ପରେ ଗୁରୁବାର ୧୫ ବର୍ଷ ବୟସ୍କ ବାଳକ ସାର୍ଦ୍ଦୁଳ ବିହାନ୍‍ ସୁଟିଂରେ ରୌପ୍ୟପଦକ ଜିତିଛନ୍ତି। ପୁରୁଷ ଡବଲ୍‍ ଟ୍ରାପ୍‍ ସୁଟିଂ ଫାଇନାଲରେ ୨ୟ ସ୍ଥାନରେ ରହି ମିରଟ୍‍ର ସ୍କୁଲ୍‍ ଛାତ୍ର ସାର୍ଦ୍ଦୁଳ ଦେଶକୁ ରୌପ୍ୟ ପଦକ ଜିତାଇଛନ୍ତି। ଫାଇନାଲରେ ଅଧିକାଂଶ ସମୟ ଶୀର୍ଷରେ ରହିବା ସତ୍ତ୍ବେ ଶେଷଆଡ଼କୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ପଡ଼ି ଯାଇଥିଲେ। ସମୁଦାୟ ୮୦ଟି ସଟ୍‍ରୁ ସାର୍ଦ୍ଦୁଳ ବିହାନ୍‍ ୭୩ଟି ଲକ୍ଷ୍ୟଭେଦ କରିଥିବା ବେଳେ ୭ଟି ସଟ୍‍ ମିସ୍‍ କରିଥିଲେ।
ଦକ୍ଷିଣ କୋରିଆର ସିନ୍‍ ହୁନ୍‍ୟୁ ୭୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣପଦକ ଜିତିଥିଲେ। ଫାଇନାଲରେ ମୁଖ୍ୟତଃ ସାର୍ଦ୍ଦୁଳ ବିହାନ୍‍ ଓ ସିନ୍‍ ହୁନ୍‍ୟୁଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମୁକାବିଲାରେ ବହୁତ ସମୟ ପର୍ଯ୍ୟନ୍ତ ସାର୍ଦ୍ଦୁଳ ଆଗୁଆରହି ସ୍ୱର୍ଣ୍ଣପଦକ ଆଡ଼କୁ ଅଗ୍ରସର ହେଉଥିଲେ। ତେବେ ୩ଟି ସଟ୍‍ ମିସ୍‍କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା। କାତାରର ଅଲ୍‍ ମାରି ହମାଦ୍‍ ଅଲୀ ୫୩ ପଏଣ୍ଟ ପାଇଁ ୩ୟ ସ୍ଥାନରେ ରହି ବ୍ରୋଞ୍ଜ୍‍ପଦକ ଜିତିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ସାର୍ଦ୍ଦୁଳ ବିହାନ୍‍ ଚମତ୍କାର ପ୍ରଦର୍ଶନ କରି ୧୫୦ ସଟ୍‍ରୁ ସର୍ବାଧିକ ୧୪୧ ପଏଣ୍ଟ ହାସଲକରି ଫାଇନାଲରେ ପହଞ୍ଚିଥିଲେ। ଏହି ଇଭେଣ୍ଟରେ ଅନ୍ୟ ଭାରତୀୟ ଅଙ୍କୁର ମିତ୍ତଲ ୧୩୪ ପଏଣ୍ଟ ସହ ୯ମ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ସାର୍ଦ୍ଦୁଳ ବିହାନ୍‍ ଜିତିଥିବା ରୌପ୍ୟପଦକ ସୁଟିଂ ରେଞ୍ଜ୍‍ରୁ ଭାରତର ୮ମ ପଦକ। ପୁଣି ଚଳିତବର୍ଷ ବହୁ ଯୁବ ସୁଟରଙ୍କ ଆବିର୍ଭାବ ଘଟିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୫ ବର୍ଷ ବୟସ୍କ ଅନିସ ଭାନ୍‍ୱାଲା ଓ ୧୬ ବର୍ଷ ବୟସ୍କା ମାନୁ ଭାକେର ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଚଳିତ ଏସୀୟ କ୍ରୀଡ଼ାରେ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ଓ ୧୫ ବର୍ଷ ବୟସ୍କ ସାର୍ଦ୍ଦୁଳ ବିହାନ୍‍ ରୌପ୍ୟପଦକ ଜିତିଛନ୍ତି। ମିରଟ୍‍ର ମୋଦିପୁରମ୍‍ସ୍ଥିତି ଦୟାବତୀ ମୋଦି ଏକାଡେମୀ ସ୍କୁଲ୍‍ର ୧୦ମ ଶ୍ରେଣୀ ଛାତ୍ର ଦିଲ୍ଲୀର କର୍ଣ୍ଣିଂ ସିଂହ ସୁଟିଂ ରେଞ୍ଜ୍‍ରେ ଅଭ୍ୟାସ କରିଥାଆନ୍ତି। ପିଲାଦିନେ କ୍ରିକେଟ ଓ ବ୍ୟାଡ୍‍ମିଣ୍ଟନ ଖେଳିବା ପରେ ୨୦୧୪ରେ ସାର୍ଦ୍ଦୁଳ ସୁଟିଂ ଅଭ୍ୟାସ ଆରମ୍ଭ କରିଥିଲେ। ଗତବର୍ଷ ସେ ୪ଟି ଜାତୀୟ ଟାଇଟଲ ଜିତିବା ସହ ଜୁନିୟର ବିଶ୍ୱ ସୁଟିଂ ଚମ୍ପିଆନ୍‍ସିପ୍‍ରେ ପଦକ ଜିତି ପାରିଥିଲେ। ପୂର୍ବତନ ଚମ୍ପିଆନ୍‍ ସୁଟର ମାନ୍‍ସେର ସିଂହଙ୍କ ଅଧୀନରେ ସାର୍ଦ୍ଦୁଳଙ୍କ ପ୍ରଦର୍ଶନରେ ଉନ୍ନତି ଘଟିଥିଲା ଏବଂ ସେ ଆଜି ଏସୀୟ କ୍ରୀଡ଼ାରେ ରୌପ୍ୟପଦକ ଜିତି ଭବିଷ୍ୟତ ପାଇଁ ସମ୍ଭାବନା ସୃଷ୍ଟି କରି ପାରିଛନ୍ତି।

Leave A Reply