କବାଡ଼ି: ଭାରତୀୟ ପୁରୁଷ ସେମିରେ ପରାସ୍ତ; ମହିଳା ଦଳ ଫାଇନାଲରେ

0

ଜାକର୍ତ୍ତା : ଏହାକୁ ଏସୀୟ କ୍ରୀଡ଼ାରେ ସବୁଠାରୁ ବଡ଼ ବିପର୍ଯ୍ୟୟ ବୋଲି କୁହାଯିବ। ଗତ ୭ ଥର ଏସୀୟ କ୍ରୀଡ଼ାରେ ପୁରୁଷ କବାଡ଼ି ଖେଳା ଯାଇଥିବା ବେଳେ ପ୍ରତିଥର ଏଥିରେ ଚମ୍ପିଆନ୍‍ ହୋଇଥିବା ଭାରତୀୟ ଦଳ ଚଳିତ ଏସୀୟ କ୍ରୀଡ଼ାରେ ଫାଇନାଲ ଖେଳିବ ନାହିଁ। ଗୁରୁବାର ଖେଳା ଯାଇଥିବା ପୁରୁଷ କବାଡ଼ି ସେମିଫାଇନାଲରେ ଭାରତକୁ ୨୭-୧୮ ପଏଣ୍ଟ ବ୍ୟବଧାନରେ ଇରାନ୍‍ ଦଳ ପରାସ୍ତ କରିଛି। ମ୍ୟାଚ୍‍ରେ ଭାରତ ବଡ଼ ଫେଭରିଟ୍‍ ଥିଲେ ହେଁ ଇରାନ୍‍ ଦଳ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଦେଇଛି। ଫାଇନାଲରେ ଇରାନ୍‍ର ମୁକାବିଲା ଦକ୍ଷିଣ କୋରିଆ ସହ ହେବ। ଭାରତ ବ୍ରୋଞ୍ଜ୍‍ପଦକରେ ସନ୍ତୁଷ୍ଟ ରହିଛି।
ସୂଚନାଯୋଗ୍ୟ; ଲିଗ୍‍ ପର୍ଯ୍ୟାୟରେ ଭାରତକୁ ଦକ୍ଷିଣ କୋରିଆ ମାତ୍ର ୧ ପଏଣ୍ଟ ବ୍ୟବଧାନରେ ପରାସ୍ତ କରିଥିଲା। ସେତେବେଳେ ଏହାକୁ ଅକସ୍ମାତ୍‍ ବୋଲି କୁହା ଯାଇଥିଲା। ତେବେ ଏହି ପରାଜୟ ଯୋଗୁଁ ଭାରତକୁ ଅନ୍ୟ ଗ୍ରୁପ୍‍ର ଶୀର୍ଷ ଦଳ ଇରାନ୍‍ ବିପକ୍ଷରେ ଖେଳିବାକୁ ପଡ଼ିଲା। ମ୍ୟାଚ୍‍ ଆରମ୍ଭରୁ ଭାରତ ୪-୦ରେ ଆଗୁଆ ଥିଲେ ହେଁ ଇରାନ୍‍ ଲଢ଼ୁଆ ପ୍ରଦର୍ଶନ କରି ମ୍ୟାଚ୍‍କୁ ଫେରିଥିଲା। ମଧ୍ୟାନ୍ତର ସୁଦ୍ଧା ଉଭୟ ଦଳ ୯-୯ ପଏଣ୍ଟ ସ୍ଥିତିରେ ଥିଲେ। ମଧ୍ୟାନ୍ତର ପରେ କିଛି ସମୟ ପାଇଁ ଭାରତ ଆଗୁଆ ହୋଇଥିଲେ ହେଁ ଇରାନ୍‍ ଚମତ୍କାର ରକ୍ଷଣାତ୍ମକ କବାଡ଼ି ଖେଳି ପୁଣି ଆଗୁଆ ହୋଇ ଯାଇଥିଲା। ୨ ଥର ଇରାନ୍‍ର ମାତ୍ର ୨ ଜଣ ଖେଳାଳି ଥିଲେ ହେଁ ଏହାକୁ ଥରେ ମାତ୍ର ଭାରତ ଅଲ୍‍ଆଉଟ କରି ପାରିନଥିଲା। ତେବେ ଇରାନ୍‍ ସପକ୍ଷରେ ମ୍ୟାଚ୍‍ ୧୬-୧୨ ପଏଣ୍ଟ ଥିବା ବେଳେ ଭାରତ ଅଲ୍‍ଆଉଟ ହୋଇ ଯାଇଥିଲା। ଆଉ ମାତ୍ର ୪ ମିନିଟ ବାକିଥିବା ବେଳେ ଭାରତ ମ୍ୟାଚ୍‍କୁ ଫେରି ପାରିନଥିଲା। ଗତଥରର ଏସୀୟ କ୍ରୀଡ଼ା ଫାଇନାଲରେ ଇରାନ୍‍କୁ ପରାସ୍ତକରି ଭାରତ ସ୍ୱର୍ଣ୍ଣପଦକ ଜିତିଥିଲା।
ଭାରତୀୟ ପୁରୁଷ ଦଳ ପରି ମହିଳା ଦଳ ମଧ୍ୟ ଏସୀୟ କ୍ରୀଡ଼ାରେ ସବୁଥର ସ୍ୱର୍ଣ୍ଣପଦକ ଜିତିଛି। ଏଥର ମଧ୍ୟ ଭାରତୀୟ ମହିଳା ଦଳ ଫାଇନାଲରେ ପହଞ୍ଚିଛି। ଗୁରୁବାର ଖେଳା ଯାଇଥିବା ସେମିଫାଇନାଲ ମ୍ୟାଚ୍‍ରେ ଭାରତୀୟ ମହିଳା ଦଳ ଚାଇନିଜ୍‍ ତାଇପେକୁ ୨୭-୧୪ ପଏଣ୍ଟରେ ପରାସ୍ତ କରିଛି। ମଧ୍ୟାନ୍ତର ସୁଦ୍ଧା ଉଭୟ ଦଳ ସମାନ ସ୍ଥିତିରେ ଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଦଳ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା ଏବଂ ପଏଣ୍ଟ ପରେ ପଏଣ୍ଟ ସ୍କୋର୍‍ କରି ଚାଲିଥିଲା।

Leave A Reply