ପାକିସ୍ତାନକୁ ହରାଇ ଫାଇନାଲରେ ବାଂଲାଦେଶ

0

ଆବୁଧାବି : ଶୁକ୍ରବାର ଭାରତ ଓ ବାଂଲାଦେଶ ମଧ୍ୟରେ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‍ ଖେଳାଯିବ। ପୂର୍ବରୁ ଭାରତ ଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ ବୁଧବାର ଅନ୍ତିମ ସୁପର ଫୋର୍‍ ମ୍ୟାଚରେ ପାକିସ୍ତାନକୁ ୩୭ ରନ୍‍ରେ ହରାଇ ବାଂଲାଦେଶ ଫାଇନାଲରେ ସ୍ଥାନ ନିଶ୍ଚିତ କରିଛି। ମୁସ୍‍ଫିକୁର ରହିମ୍‍ଙ୍କ ୯୯ ରନ୍‍ର ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୪୮.୫ ଓଭରରେ ୨୩୯ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ୧୨ ରନ୍‍ରେ ୩ଟି ୱିକେଟ ହରାଇବା ସତ୍ତ୍ବେ ମୁସ୍‍ଫିକୁର ଓ ମହମ୍ମଦ ମିଠୁନ୍‍ଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ଏହି ସ୍କୋର୍‍ କରି ପାରିଥିଲା। ପରେ ଇମାମ୍‍ ଉଲ୍‍ ହକ୍‍ଙ୍କ ୮୩ ରନ୍‍ର ଇନିଂସ ସତ୍ତ୍ବେ ପାକିସ୍ତାନ ୯ ୱିକେଟରେ ୨୦୨ ରନ୍‍ କରି ପାରିଥିଲା। ଏହି ବିଜୟ ସହ ସୁପର ଫୋର୍‍ ପର୍ଯ୍ୟାୟରେ ଭାରତ ପଛକୁ ବାଂଲାଦେଶ ୨ୟ ସ୍ଥାନରେ ରହିଛି। ସୂଚନାଯୋଗ୍ୟ; ସୁପର ଫୋର୍‍ ପର୍ଯ୍ୟାୟରେ ବାଂଲାଦେଶକୁ ସହଜରେ ଭାରତ ପରାସ୍ତ କରିଥିଲା।
୨୪୦ ରନ୍‍ ବିଜୟଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ଓପ୍‍ନର ଫଖର ଜମାନ୍‍ ୧ ରନ୍‍କରି ଆଉଟ ହୋଇଥିଲେ। ପରେ ବାବର ଆଜମ୍‍ ୧ ଓ ଅଧିନାୟକ ସର୍ଫରାଜ ଅହମ୍ମଦ ୧୦ ରନ୍‍କରି ବାମହାତି ପେସ୍‍ ବୋଲର ମୁସ୍ତାଫିୁଜର ରେହ୍‍ମାନଙ୍କ ଶିକାର ହୋଇଥିଲେ। ୧୮ ରନ୍‍ରେ ୩ଟି ୱିକେଟ ହରାଇବା ପରେ ପାକିସ୍ତାନର ଓପ୍‍ନର ଇମାମ୍‍ ଉଲ୍‍ ହକ୍‍ ଓ ଅଭିଜ୍ଞ ବ୍ୟାଟ୍‍ସମ୍ୟାନ୍‍ ସୋଏବ୍‍ ମାଲିକ୍‍ ୪ର୍ଥ ୱିକେଟ ପାଇଁ ୬୭ ରନ୍‍ ଯୋଗ କରିଥିଲେ। ମସ୍ରଫି ମୋର୍ତାଜାଙ୍କ ଦର୍ଶନୀୟ କ୍ୟାଚ୍‍ରେ ଆଉଟ ହେବା ପୂର୍ବରୁ ମାଲିକ୍‍ ୩୦ ରନ୍‍ କରିଥିଲେ। ପରେ ମହମ୍ମଦ ସଦ୍ଦାବ୍‍ ୪ ରନ୍‍କରି ବିଦାୟ ନେଇଥିଲେ। ୯୪ ରନ୍‍ରେ ୫ମ ୱିକେଟର ପତନ ପରେ ଇମାମ୍‍ ଓ ଆସିଫ୍‍ ଅଲୀ ୭୧ ରନ୍‍ ଯୋଡ଼ିଥିଲେ। ଆସିଫ୍‍ ୩ଟି ଚୌକା ସହ ୩୧ ରନ୍‍ କରିଥିଲେ। ତେବେ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଥିଲା; ଯେତେବେଳେ ଇମାମ୍‍ ଉଲ୍‍ ହକ୍‍ ୪୧ତମ ଓଭରରେ ଆଉଟ ହୋଇଥିଲେ। ଇମାମ୍‍ ୧୦୫ ବଲ୍‍ରୁ ୮୪ ରନ୍‍ କରିଥିଲେ। ମୁସ୍ତାଫିଜୁର ୪ଟି ଓ ମେହ୍‍ଦି ହାସନ୍‍ ମିରାଜ୍‍ ୨ଟି ୱିକେଟ ନେଇଥିଲେ।
ଟସ୍‍ ଜିତି ବାଂଲାଦେଶ ବ୍ୟାଟିଂ ନେବା ପରେ ୫ମ ଓଭରରେ ୧୨ ରନ୍‍ରେ ୩ଟି ୱିକେଟ ହରାଇଥିଲା। ସୌମ୍ୟ ସରକାର ୦, ମୋମିନୁଲ ହକ୍‍ ୫ ଓ ଲିଟନ୍‍ ଦାସ ୬ ରନ୍‍କରି ବିଦାୟ ନେଇଥିଲେ। ତେବେ ପୂର୍ବ ଅଧିନାୟକ ମୁସ୍‍ଫିକୁର ରହିମ୍‍ ଓ ଯୁବ ବ୍ୟାଟ୍‍ସମ୍ୟାନ୍‍ ମହମ୍ମଦ ମିଠୁନ୍‍ ବାଂଲାଦେଶକୁ ଏହି ସଙ୍କଟରୁ ଉଦ୍ଧାର କରିଥିଲେ। ଦୁହେଁ ପରବର୍ତ୍ତୀ ୨୯ ଓଭର କ୍ରିଜ୍‍ରେ ରହି ୧୪୪ ରନ୍‍ର ଭାଗିଦାରୀ କରିଥିଲେ। ମିଠୁନ୍‍ ୮୪ ବଲ୍‍ରୁ ୪ଟି ଚୌକା ସହ ୬୦ ରନ୍‍କରି ଆଉଟ ହୋଇଥିଲେ। ପରେ ବାଂଲାଦେଶ ପୁଣି ବିପର୍ଯ୍ୟୟ ଭୋଗିଥିଲା। ଇମ୍‍ରୁଲ କେୟିସ୍‍ ୯ ରନ୍‍କରି ଆଉଟ ହୋଇଥିଲେ। ମାତ୍ର ୧ ରନ୍‍ ପାଇଁ ଚଳିତ ଟୁର୍ଣ୍ଣାମେଣ୍ଟରେ ୨ୟ ଶତକରୁ ବଞ୍ଚିତ ହୋଇଥିଲେ ମୁସ୍‍ଫିକୁର। ସେ ୧୧୬ ବଲ୍‍ରୁ ୯ଟି ଚୌକା ସହ ୯୯ ରନ୍‍କରି ବିଦାୟ ନେଇଥିଲେ। ମହମ୍ମଦୁଲ୍ଲା ୩୧ ବଲ୍‍ରୁ ୨୫ ରନ୍‍ କରିଥିଲେ। ବାଂଲାଦେଶ ୧୮ ରନ୍‍ରେ ଶେଷ ୪ଟି ୱିକେଟ ହରାଇବାରୁ ପୂରା ୫୦ ଓଭର ଖେଳି ପାରିନଥିଲା। ମହମ୍ମଦ ଆମିରଙ୍କ ସ୍ଥାନରେ ଖେଳିଥିବା ଜୁନୈଦ୍‍ ଖାଁ ୪ଟି ଏବଂ ସାହିନ୍‍ ଆଫ୍ରିଦି ଓ ହାସନ୍‍ ଅଲୀ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Leave A Reply