ଗୋଷ୍ଠୀ ସଂଘର୍ଷରେ ୧୨ ଆହତ, ୪ ଅଟକ

0

ଅସୁରେଶ୍ୱର : ନିଶ୍ଚିନ୍ତକୋଇଲି ବ୍ଲକ୍‍ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ସୋମବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉତ୍ତେଜନା ପ୍ରକାଶ ପାଇଛି। ଉଭୟପକ୍ଷ ମଧ୍ୟରେ ଟେକାପଥର ମାଡ଼ ଯୋଗୁଁ ୧୨ ଜଣ ଆହତ ହୋଇଛନ୍ତି। ପୁଲିସ ଉଭୟପକ୍ଷର ୪ଜଣଙ୍କୁ ଥାନାରେ ଅଟକ ରଖିଛି। ଆକ୍ରମଣକାରୀଙ୍କୁ ଗିରଫ ଦାବିନେଇ ନରେନ୍ଦ୍ରପୁର ସେକ୍ସନ ବଜାର ଠାରେ ଉତ୍ତ୍ୟକ୍ତଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଗ୍ରାମରେ ପୁଲିସଫୋର୍ସ ମୁତୟନ କରାଯାଇଥିବା ସତ୍ତ୍ବେ ଉତ୍ତ୍ୟକ୍ତଲୋକେ ପୁଲିସଗାଡିକୁ ଜାଳି ଦେଇଛନ୍ତି।
ନରେନ୍ଦ୍ରପୁର ଗ୍ରାମ ଗୋପାଳସାହିର ସୋନୁ ବେହେରା ଓ ବିଶ୍ୱନାଥ ବେହେରାଙ୍କ ମଧ୍ୟରେ ଏକ ଟ୍ରଲିରିକ୍ସା ଆଣିବାକୁ ନେଇ ଆଜି ପୂର୍ବାହ୍ଣ ୧୦ଟାରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୋନୁ କାକୁଡିଆପଡା ଗ୍ରାମର କେତେକ ଯୁବକଙ୍କୁ ଫୋନ୍‍ରେ ଡାକିଥିଲେ। ସେଠାରୁ ଦୁଇଜଣ ଯୁବକ ଆସି ବିଶ୍ୱନାଥ ଓ ତାଙ୍କ ବାପାଙ୍କୁ ମାଡ଼ ମାରିଥିଲେ। ବାପପୁଅଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ଉକ୍ତ ଦୁଇ ଯୁବକଙ୍କୁ ନିସ୍ତୁକମାଡ଼ ମାରିବା ସହ ବାନ୍ଧି ପକାଇଥିଲେ। ଖବରପାଇ କାକୁଡିଆପଡା ଗ୍ରାମର ସର୍ଦାର ଆସି ନରେନ୍ଦ୍ରପୁର ଗ୍ରାମବାସୀଙ୍କ ସହ ଆପୋଷ ସମାଧାନ କରି ଅଟକ ଥିବା ଦୁଇ ଯୁବକଙ୍କୁ ସାଙ୍ଗରେ ନେଇ ଗ୍ରାମକୁ ଫେରିଯାଇଥିଲେ। ନରେନ୍ଦ୍ରପୁର ସରପଞ୍ଚ ବନବିହାରୀ ସେଠୀ ଏହି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଠିକ୍‍ ଏତିକିବେଳେ କାକୁଡିଆପଡା ଗ୍ରାମର ଭିନ୍ନ ସଂପ୍ରଦାୟର ଶତାଧିକ ଯୁବକ ହାତରେ ଛୁରି, ଭୁଜାଲି, ବନ୍ଧୁକ ଆଦି ମାରଣାସ୍ତ୍ର ଧରି ଗୋପାଳସାହି ଉପରେ ଅତର୍କିତ ଆକ୍ରମଣ କରିଥିଲେ। ପୁରୁଷମାନେ ଅନୁପସ୍ଥିତ ଥିବା ସୁଯୋଗ ନେଇ ଉକ୍ତ ଯୁବକମାନେ ଘରେ ଘରେ ପଶି ରୀତାଞ୍ଜଳି ବେହେରା, ପଦ୍ମିନୀ ବେହେରା, ଫୁଲ ବେହେରା, ଝୁନୁ ବେହେରା, କୌଶଲ୍ୟା ବେହେରା, ମଞ୍ଜୁଲତା ବେହେରା, ଗର୍ଭବତୀ ସସ୍ମିତା ବେହେରା, ଦୟାନିଧି ବେହେରା, ମନୋଜ ବେହେରାଙ୍କୁ ଆକ୍ରମଣ କରିଥିଲେ। ମହିଳାଙ୍କ ପ୍ରତି ଅଶାଳୀନ ଆଚରଣ ପ୍ରଦର୍ଶନ କରିବାସହ ସେମାନଙ୍କ ହାତରୁ କାଚ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ସହ ବିଭିନ୍ନ ପ୍ରକାର ଧମକଚମକ ଦେଇ ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ। ଏହାପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ରାଷ୍ଟ୍ରୀୟ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଘଟଣାସ୍ଥଳରେ ପହଞ୍ଚିଥିଲେ। ପୂର୍ବାହ୍ଣ ୧୧ଟାରେ ଶହ ଶହ ଲୋକ ଟାୟାର ଜାଳି ନେମାଳ- କୋରୁଆ, କଟିକଟା-ଜୟପୁର ରାସ୍ତା ଅବରୋଧ କରିଥିଲେ। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିନେଇ ସେମାନେ ଅଡ଼ି ବସିଥିଲେ।
ଖବରପାଇ କଟକ ଜିଲାପାଳ ଏବଂ ଜିଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ କିଶନନଗର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନେମାଳ ଥାନା ଅଧିକାରୀଙ୍କ ସହ ଏସ୍‍ଡିପିଓ ଆଲୋକ ରାୟ ଫୋର୍ସ ଧରି ଘଟଣାସ୍ଥଳରେ ପହଞ୍ଚିି ପରିସ୍ଥିତିକୁ ଆୟତ୍ତ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ପରେ ଉଭୟ ସଂପ୍ରଦାୟର ଲୋକେ ପରସ୍ପର ଉପରକୁ ଟେକାପଥର ମାଡ଼ କରିଥିଲେ। ଏଥିରେ ଉଭୟପକ୍ଷର ଆହତ ହୋଇଥିବା ୧୨ ଜଣଙ୍କୁ ଉଦ୍ଧାରକରି ପୁଲିସ ଡାକ୍ତରଖାନା ପଠାଇବାସହ ଉଭୟପକ୍ଷର ୪ ଜଣଙ୍କୁ ଥାନାରେ ଅଟକ ରଖିଛି। ସନ୍ଧ୍ୟା ୭ଟାରେ ପରିସ୍ଥିତି ଆୟତ୍ତ କରିବାକୁ ଯାଇଥିବା ଏକ ପୁଲିସ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକମାନେ ଜାଳି ଦେଇଛନ୍ତି। ଏବେବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଥାନାରେ ଉଭୟ ଗୋଷ୍ଠୀ ପକ୍ଷରୁ ପୃଥକ୍‍ ପୃଥକ୍‍ ଭାବେ ଦୁଇଟି ଏତଲା ଦିଆଯାଇଛି।

Leave A Reply