ଆସାମରେ ୪୦ଲକ୍ଷ ଅବୈଧ ନାଗରିକ

0

ନୂଆଦିଲ୍ଲୀ: ନ୍ୟାସନାଲ ରେଜିଷ୍ଟାର ଅଫ ସିଟିଜେନ୍‍(ଏନଆରସି) ପକ୍ଷରୁ ଜାରି ହୋଇଥିବା ଚୂଡ଼ାନ୍ତ ଡ୍ରାଫ୍ଟ ଅନୁଯାୟୀ ଆସାମରେ ୨କୋଟି ୮୯ଲକ୍ଷ ୮୩ହଜାର ୬୭୭ବ୍ୟକ୍ତିଙ୍କୁ ନାଗରିକତ୍ୱ ମିଳିଥିବାବେଳେ ୪୦ଲକ୍ଷ ନାଗରିକ ଅବୈଧ ଦର୍ଶାଯାଇଛି। ଆସାମର ନାଗରିକତ୍ୱ ପାଇଁ ୩କୋଟି ୨୯ଲକ୍ଷ ୯୧ହଜାର ୩୮୪ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪୦ଲକ୍ଷ ୭ହଜାର ୭୦୭ଜଣଙ୍କ ନାଗରିକତ୍ୱ ବାତିଲ ହୋଇଥିବାବେଳେ ଅବଶିଷ୍ଟଙ୍କୁ ନାଗରିକତ୍ୱର ମାନ୍ୟତା ମିଳିଛି। ବାତିଲ ହୋଇଥିବା ବ୍ୟକ୍ତି ବିଶେଷଙ୍କ ପାଖରେ ପର୍ଯ୍ୟାପ୍ତ ଦସ୍ତାବିଜ୍‍ ନଥିବା ଅଥବା ସେମାନେ ନାଗରିକତ୍ୱ ପ୍ରମାଣିତ କରିବାରେ ବିଫଳ ହେବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଅବଶ୍ୟ ଅବୈଧ ନାଗରିକ ସେମାନଙ୍କ ଅଭିଯୋଗ ଓ ଆପତ୍ତି ଏନଆରସି ଆଗରେ ଉପସ୍ଥାପନ କରିବାକୁ ସମୟ ଦିଆଯିବ।
ଏନଆରସିର ଚୂଡ଼ାନ୍ତ ଡ୍ରାଫ୍ଟକୁ ନେଇ ଆଜି ଉଭୟ ରାଜ୍ୟସଭା ଓ ଲୋକସଭାରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ତୃଣମୂଳ ପକ୍ଷରୁ ସଂସଦରେ ସ୍ଥଗିତ ପ୍ରସ୍ତାବ ଦାବି କରାଯାଇ ଥିବାବେଳେ କଂଗ୍ରେସ ଏନଆରସିର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ପ୍ରକାଶ କରିଛି। ସେହିପରି ଆରଜେଡି ପରି ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟ ଏନଆରସିର ଆକଳନ ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତବ୍ୟ ଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜ୍ୟ ପୁଲିସ ସମେତ ସିଆରପିଏଫର ୨୨୦ଟି କମ୍ପାନୀକୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି।
୨୫ମାର୍ଚ୍ଚ ୧୯୭୧ପୂର୍ବରୁ ଆସାମରେ ବସବାସ କରୁଥିବା ପରିବାରବର୍ଗଙ୍କୁ ଏନଆରସି ତାଲିକାରେ ସ୍ଥାନ ଦିଆଯାଇଛି। ରାଜ୍ୟର ୭ଟି ଜିଲାରେ ୧୪୪ଧାରା ଲାଗୁ କରାଯାଇଛି। ଯେଉଁ ବ୍ୟକ୍ତି ବିଶେଷଙ୍କ ନାମ ତାଲିକାରେ ନାହିଁ ସେମାନେ ୨୮ସେପ୍ଟେମ୍ବର ସୁଧା ପୁନଃଆବେଦନ କରିବାକୁ ନିର୍ଦେଶ ଦିଆଯାଇଛି।ଏନଆରସି ତାଲିକାରୁ ବାଦ୍ ପଡିଥିବା ପରିବାର, ବ୍ୟକ୍ତି ବାଂଲାଦେଶୀ ନା’ ଭାରତୀୟ ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଆସାମ ପରି ରାଜ୍ୟରେ ସର୍ବାଧିକ ବାଂଲାଦେଶୀ ଅନୁପ୍ରବେଶ ଅଭିଯୋଗ ପାକିସ୍ତାନ-ବାଂଲାଦେଶ ବିଭାଜନଠାରୁ ହୋଇ ଆସିଛି। ପରବର୍ତ୍ତୀ ସମୟରେ ବାଂଲାଦେଶ ଗଠିତ ହୋଇଥିଲେ ମଧ୍ୟ ଆସାମରେ ବାଂଲାଦେଶୀ ଅନୁପ୍ରବେଶ ବଳବତ୍ତର ରହିଥିଲା। ଅନୁପ୍ରବେଶକାରୀଙ୍କୁ ଆସାମ ନାଗରିକର ମାନ୍ୟତା ଦେଇ କେତେକ ରାଜନୈତିକ ଦଳ ସେମାନଙ୍କ ଭୋଟ ବ୍ୟାଙ୍କକୁ ଶକ୍ତିଶାଳୀ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏଭଳି କ୍ଷେତ୍ରରେ ପ୍ରଥମ ଥର ପାଇଁ ଆସାମ ନାଗରିକ ଚିହ୍ନଟ ପ୍ରକ୍ରିୟାକୁ ଏକାଧିକ ରାଜନୈତିକ ଦଳର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି।

Leave A Reply