ସଚିବାଳୟରେ କେଜରିୱାଲଙ୍କୁ ଲଙ୍କାଗୁଣ୍ଡ ମାଡ଼

0

ନୂଆଦିଲ୍ଲୀ : ଦିଲ୍ଲୀ ସଚିବାଳୟ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା ସାମ୍ନାକୁ ଆସିଛି। ନିଜ କାର୍ଯ୍ୟାଳୟର ଠିକ୍‍ ବାହାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଲଙ୍କାଗୁଣ୍ଡ ଫିଙ୍ଗିଛନ୍ତି ଜଣେ ବ୍ୟକ୍ତି। ସଚିବାଳୟର ତୃତୀୟ ମହଲାରେ ଅବସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ଅପରାହ୍ଣ ପ୍ରାୟ ୨ଟା ୧୦ରେ ମଧ୍ୟାହ୍ନ ଭୋଜନ ପାଇଁ ବାହାରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅନିଲ କୁମାର ଶର୍ମା ନାମକ ବ୍ୟକ୍ତି ହଠାତ୍‍ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଆଳରେ ଆସିଥିବା ନାରାଇଣା ଅଞ୍ଚଳରୁ ଆସିଥିବା ଶର୍ମା ଏକ ସିଗାରେଟ୍‍ ପକେଟ୍‍ରେ ଲଙ୍କାଗୁଣ୍ଡ ଲୁଚାଇ ରଖି ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ କୋଠରିରେ ବସିଥିଲେ ଓ ମୁଖ୍ୟମନ୍ତ୍ରୀ ଆସିବା କ୍ଷଣି ତାଙ୍କ ପାଦ ଛୁଇଁବା ଉଦ୍ୟମ କରି ଏହାକୁ ଫିଙ୍ଗିଥିଲେ। ସୌଭାଗ୍ୟବଶତଃ ଲଙ୍କାଗୁଣ୍ଡ ପକେଟ୍‍ଟି କେଜରିୱାଲଙ୍କ ଉପରେ ନ ପଡ଼ି ତଳେ ପଡ଼ିଯାଇଥିଲା; ତେବେ ତାଙ୍କ ଆଘାତରେ ମୁଖ୍ୟମନ୍ତ୍ରୀଙ୍କ ଚଷମା ତଳେ ପଡ଼ି ଭାଙ୍ଗିଯାଇଥିଲା।
ଉପସ୍ଥିତ ପୁଲିସ ତୁରନ୍ତ ଶର୍ମାଙ୍କୁ କାବୁ କରିନେବା ସହ ତଦନ୍ତ ଚଳାଇଛି। ଏହି ଘଟଣାରେ ଆମ୍‍ ଆଦ୍‍ମୀ ପାର୍ଟି (ଆପ୍‍) ପକ୍ଷରୁ କଡ଼ା ସୁରକ୍ଷା ଅଞ୍ଚଳରେ ପୁଲିସର ଏଭଳି ଅବହେଳାକୁ ନିନ୍ଦା କରାଯାଇଛି। ଏହା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଆପ୍‍ ପକ୍ଷରୁ କୁହାଯାଇଛି। ୨୦୧୬ରେ କଡ଼ା ସୁରକ୍ଷା ବବସ୍ଥା ମଧ୍ୟରେ ଥିବା କେଜରିୱାଲଙ୍କ ଉପରକୁ ରାଜସ୍ଥାନର ବିକାନେରଠାରେ ଜନୈକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସଦସ୍ୟ କାଳି ଫିଙ୍ଗିଥିଲେ। ସେହିବର୍ଷ ନିଜ ଦଳର ଜଣେ ବିଦ୍ରୋହୀ ସଦସ୍ୟ ମଧ୍ୟ ତାଙ୍କ ଉପରକୁ କାଳି ଛାଟିଥିଲେ।

Leave A Reply