ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ୬୦ହଜାର କାଉଡିଆ

0

ଆରଡି : ଶ୍ରାବଣମାସରେ ଦେବଦେବ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ବହୁ ପୂର୍ବରୁ ଜଳାଭିଷେକ ପ୍ରଥା ରହି ଆସିଛି। ଏହି ପବିତ୍ର ମାସରେ ଯାହାକିଛି ଭାବନା ନେଇ ମହାଦେବଙ୍କ ଜଳଲାଗି କଲେ ନିଜର ଭାବନା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତଙ୍କ ଅଗାଢ ବିଶ୍ୱାସ ରହିଛି। ସେଥିପାଇଁ ଶ୍ରାବଣ ପ୍ରାରମ୍ଭରୁ ଲକ୍ଷାଧିକ ଭକ୍ତଙ୍କ ବିଭିନ୍ନ ଶିବପୀଠକୁ ସୁଅ ଛୁଟେ।
ଚଳିତ ସୋମବାରରେ ରାଜ୍ୟର ପ୍ରମୁଖ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୬୦ହଜାର କାଉଡିଆଭକ୍ତଙ୍କ ଭିଡ ପରିଲିକ୍ଷିତ ହୋଇଥିଲା। ଝିପିଝିପି ବର୍ଷାକୁ ଖାତିରି ନକରି କାଉଡିଆମାନେ ବୋଲବମ୍‍ , ହରହର ବୋମ୍‍ ଆଦି ଧୋନି ଦେଇ ଜଳ ଲାଗି କରିଥିଲେ। ପୀଠରେ କାଉଡିଆମାନଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତାହାସହ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବଦିନ ଅର୍ଥାତ ରବିବାର ଠାରୁ ମଣିବାବାଙ୍କ ନିକଟରେ ଆରମ୍ଭ ହୋଇଥିଲା ଜଳାଭିଷେକ। ଜଳାଭିଷେକ ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମିତ ଅସ୍ଥାୟୀ ବ୍ୟାରିକେଡରେ ଯାଇ କାଉଡିଆମାନେ ଜଳଲାଗି କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏପରିକି ପୁଲିସ ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ଜଳପଥ ଓ ସ୍ଥଳପଥ ଗୁଡିକରେ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ମଣିବାବାଙ୍କ ନୀତିନୀର୍ଘ୍ୟର ସାମନ୍ୟ ପରିବର୍ତ୍ତନ କରାଯାଇ ରାତ୍ର ୩ଟାରେ ଦ୍ୱାରଫିଟା ଯିବା ପରେ ଭୋର ୪ଟାରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ଆଦି ସମସ୍ତ ନୀତିକାନ୍ତି ୫ଟା ସୁଧା ସରିବା ପରେ ମଣବାବାଙ୍କୁ ଫୁଲ, ଚନ୍ଦନ, ବେଲପତ୍ର ଓ ନୂତନ ବସ୍ତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା। ପରେ ଭକ୍ତମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସାହାଣ ମେଳା କରାଯାଇଥିଲା। ଏପରିକି ବିଭିନ୍ନ ସ୍ୱେଛାସେବୀମାନଙ୍କ ପକ୍ଷରୁ ଆଗନ୍ତୁକ କାଉଡିଆମାନଙ୍କୁ ସ୍ୱାସ୍ଥ୍ୟସେବା, ଭୋଜନ, ପାନୀୟଜଳ ଆଦି ଯୋଗାଇ ଦେବା ସହ ପୀଠରେ ସଫେଇ ଆଦି କାର୍ଯ୍ୟ ହାତକୁ ନେଇଥିଲେ। ବିଶେଷକରି ଭଦ୍ରକ ସତ୍ୟସାଈ ସେବାସଂସ୍ଥା, କଟକ ବାଦାମବାଡିର ଆଖଣ୍ଡଳମଣି ବୋଲବମ୍‍ ସଂଗଠନ, ବାବାମଣି କାଉଡିଆ ସଂଘ, ଭଣ୍ଡାରିପୋଖରୀରର ମଣିବାବା କାଉଡିଆ ସଂଘ ପକ୍ଷରୁ ପୀଠରେ ଦୁଇଦିନ ଧରି ଭକ୍ତମାନଙ୍କୁ ବଭିନ୍ନ ପ୍ରକାରର ସେବା ଯୋଗାଇ ଦିଆଯାଇଥିଲା। ତାହାସହ କାଉଡିଆଙ୍କ ଉଦ୍ୟେଶରେ ଭିନ୍ନ ଭିନ୍ନ ସ୍ଥାନରେ ଭଜନ ସମାହୋର ପରିବେଷଣ କରାଯାଇଥିଲା।

Leave A Reply