ଆରା ସୁଧାର ଗୃହରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ

0

ପାଟନା : ମୁଜାଫରପୁର ନାବାଳିକା ଆଶ୍ରୟସ୍ଥଳ ବଳାତ୍କାର ଘଟଣା ପରେ ବିହାରର ଆରାଠାରେ ଆଉ ଏକ ଗଣ ଯୌନ ନିର୍ଯାତନା ଘଟଣାର ଖବର ମିଳିଛି। ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ୩ ଜଣ ନାବାଳକ। ପାଟନାଠାରୁ ୬୦ କିଲୋମିଟର ଦୂର ଆରା ଅନ୍ତର୍ଗତ ଧରହାରାସ୍ଥିତ ନାବାଳକ ସୁଧାର ଗୃହରେ ଘଟିଛି ଏହି ଜଘନ୍ୟ ଅପରାଧ। ପୁଲିସ ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଛି। ଏହି ସୁଧାର ଗୃହରେ ଭୋଜପୁର, କାଇମୁର ଏବଂ ନିକଟସ୍ଥ ଅନ୍ୟ ଦୁଇଟି ଜିଲାର ନାବାଳକ ଦୋଷୀଙ୍କୁ ରଖାଯାଇଥାଏ। ଆରା ଏସ୍‍ପି ଅବକାଶ କୁମାର କହିଛନ୍ତି, ପୀଡ଼ିତ ନାବାଳକମାନଙ୍କ ବିରୋଧରେ ହତ୍ୟା ମାମଲାର ଶୁଣାଣିବେଳେ ଏହି ଘଟଣା ଲୋକଲୋଚନାକୁ ଆସିଛି। ମଙ୍ଗଳବାର ୭ ଜଣ ଅନ୍ତେବାସୀ ଏହି ନାବାଳକମାନଙ୍କୁ ନିର୍ଯାତନା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ୭ ଜଣଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆଧାରରେ ରିପୋର୍ଟ ରୁଜୁ ହୋଇଛି। ନାବାଳକମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ସେମାନଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବା ଜଣାପଡିଛି। ବୁଧବାର ସ୍ଥାନୀୟ ଏକ ନ୍ୟୁଜ୍‍ ଚ୍ୟାନେଲ ପକ୍ଷରୁ ଏ ସମ୍ବନ୍ଧୀୟ ଭିଡିଓ ଏବଂ ଫଟୋ ବୁଧବାର ପ୍ରକାଶ ପାଇଥିଲା। ପ୍ରଦର୍ଶିତ ଭିଡିଓ ଫୁଟେଜ୍‍ରେ ସୁଧାରଗୃହ ଅନ୍ତେବାସୀଙ୍କ ଶରୀରରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ପୀଡ଼ିତମାନଙ୍କୁ ନିଶାଦ୍ରବ୍ୟ ଦିଆଯିବା ପରେ ଯୌନ ନିର୍ଯାତନା ଦିଆଯାଇଥିବା ଚ୍ୟାନେଲ ପକ୍ଷରୁ ଅଭିଯୋଗ କରାଯାଇଥିଲା।

Leave A Reply