ଏପିଏସ୍‍ସି ଦୁର୍ନୀତି: ବିଜେପି ସାଂସଦଙ୍କ ଝିଅ ସମେତ ୧୯ ଗିରଫ

0

ନୂଆଦିଲ୍ଲୀ : ଆସାମ ପବ୍ଲିକ ସର୍ଭିସ କମିଶନ (ଏପିଏସ୍‍ସି) ଦ୍ୱାରା ପରିଚାଳିତ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତିକୁ ନେଇ ଜଣେ ବିଜେପି ସାଂସଦଙ୍କ ଝିଅ ସମେତ ୧୯ଜଣ ଅଫିସରଙ୍କୁ ଗିରଫ କରାଯାଇଛି। ୨୦୧୬ରେ ହୋଇଥିବା ଏପିଏସ୍‍ସିର ନିଯୁକ୍ତି ପରୀକ୍ଷାରେ ଅନିୟମିତତା ପୂର୍ବକ ଏହି ଅଫିସରମାନେ ଚାକିରି ପାଇଥିଲେ। ଏପିଏସସି ପରୀକ୍ଷା ବଦଳରେ ଏହି ପ୍ରାର୍ଥୀମାନେ ଟଙ୍କା ଦେଇ ଚାକିରି ପାଇଥିଲେ। ଗିରଫ ଅଫିସରମାନେ ଆସାମ ସିଭିଲ ସର୍ଭିସ (ଏସିଏସ୍‍), ଆସାମ ପୁଲିସ ସର୍ଭିସ (ଏପିଏସ୍‍) ଓ ଆଲାଏଡ ସର୍ଭିସରେ ଚାକିରି ପାଇଥିଲେ। ଦିବ୍ରୁଗଡ ପୁଲିସ ଅଧିକ୍ଷକଙ୍କ କହିବା ଅନୁଯାୟୀ ନିଯୁକ୍ତି ପାଇଥିବା ଏହି ଅଫିସରମାନଙ୍କ ହସ୍ତଲେଖାକୁ ଫରେନସିକ୍‍ ଯାଞ୍ଚ ପରେ ଗିରଫ କରାଯାଇଛି। ଯାଞ୍ଚ ସମୟରେ ସେମାନଙ୍କ ପରୀକ୍ଷା ଖାତାର ହସ୍ତଲେଖା ଓ ମୂଳ ହସ୍ତଲେଖାରେ ବ୍ୟାପକ ତାରତମ୍ୟ ଦେଖାଯାଇଥିଲା। ୨୦୧୬ରେ ରାକେଶ ପାଲ ଆସାମ ପବ୍ଲିକ ସର୍ଭିସ କମିଶନ ଅଧ୍ୟକ୍ଷ ଥିବାବେଳେ ଏହି ନିଯୁକ୍ତି ପରୀକ୍ଷା ହୋଇଥିଲା। ପରୀକ୍ଷାରେ ଅନିୟମିତତା ପାଇଁ ରାକେଶ ଓ କମିଶନଙ୍କ ଅନ୍ୟ ତିନି ଜଣ କର୍ମଚାରୀଙ୍କୁ ୨୦୧୬ରେ ଗିରଫ କରାଯାଇଥିଲା। ଗିରଫ ଅଫିସରମାନଙ୍କ ମଧ୍ୟରୁ ୧୩ଜଣ ଏସିଏସ୍‍, ୩ଜଣ ଏପିଏସ୍‍ ଓ ୩ଜଣ ଆଲାଏଡ ସର୍ଭିସ ବର୍ଗର। ଏମାନଙ୍କୁ ଚଳିତବର୍ଷ ଚାକିରିରୁ ବହିଷ୍କାର କରାଯାଇଥିଲା।

Leave A Reply