ରାଜନୀତିରେ ଜନସେବାର ବ୍ୟାପକ ସୁଯୋଗ ରହିଛି: ଅପରାଜିତା

0

ନୂଆଦିଲ୍ଲୀ: ମୁଁ ଗଭୀର ଆତ୍ମବିଶ୍ୱାସୀ। ସକାରାତ୍ମକ ଆଭିମୁଖ୍ୟରେ ବିଶ୍ୱାସ ରଖେ। ବିଜେପିରେ ଯୋଗ ଦେବା ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଅପରାଜିତା ଷଡ଼ଙ୍ଗୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ବିଜେପିରେ ଆନୁଷ୍ଠାନିକ ଯୋଗଦାନ ପରେ ବିଜେପିର ଓଡ଼ିଶା ସଭାପତି ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା କହିଲେ ଯେ ଜଣେ ବ୍ୟକ୍ତି ରାଜନୀତିରେ ଯୋଗ ଦେବା ପୂର୍ବରୁ ଉକ୍ତ ଦଳର ଆଦର୍ଶ, ଆଭିମୁଖ୍ୟ ଆଦିକୁ ତର୍ଜମା କରିଥାଏ। ବିଜେପିର ବିଚାରଧାରା, ଆଭିମୁଖ୍ୟ ଓ ନେତୃତ୍ୱ ତାଙ୍କୁ ପ୍ରଭାବିତ କରିଛି। ବିଜେପିରେ ଯୋଗ ଦେବା ପୂର୍ବରୁ ସେ ତିନିଟି ବହି ପଢ଼ିଛନ୍ତି। ଦଳର କାର୍ଯ୍ୟଧାରାକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରାଳୟରେ କାର୍ଯ୍ୟ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀକୁ ସେ ଅତି ନିକଟରୁ ଦେଖି ଆସିଛନ୍ତି। ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା, ଦୃଢ଼ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ତାଙ୍କୁ ପ୍ରଭାବିତ କରିଥିଲା। ଦଳର ବିକାଶର ଗତି ମଧ୍ୟ ତାଙ୍କୁ ଆକୃଷ୍ଟ କରିଛି। ତେଣୁ ସେ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି।
ରାଜନୀତିରେ ଯୋଗ ଦେବା ସମ୍ପର୍କରେ ସେ କହିଲେ ଯେ ପ୍ରଶାସନିକ ସେବାରେ ଏକ ନିର୍ଦ୍ଦିଷ୍ଟ ବିଭାଗର କାର୍ଯ୍ୟଧାରା ମଧ୍ୟରେ ସୀମିତ ରହି କାର୍ଯ୍ୟ କରିବାକୁ ପଡ଼ିଥାଏ। କିନ୍ତୁ ରାଜନୀତି ହେଉଛି ଏକ ବଡ଼ କାନ୍‍ଭାସ୍‍। ଲୋକସେବା ପାଇଁ ରାଜନୀତି ଏକ ବଡ଼ ମାଧ୍ୟମ। ଲୋକଙ୍କ ପାଇଁ କାମ କରିବାର ବ୍ୟାପକ ସୁଯୋଗ ରାଜନୀତିରେ ରହିଛି।
ବିଜେପିରେ ତାଙ୍କର ଭୂମିକା ସମ୍ପର୍କରେ ଅପରାଜିତା କହିଛନ୍ତି ଯେ ପ୍ରଶାସନିକ ସେବାରେ ଯୋଗ ଦେବା ପରେ ସେ ଶୃଙ୍ଖଳା, ବ୍ୟବସ୍ଥା ଓ ନୀତିକୁ ଗୁରୁତ୍ୱ ଦେଇଥିଲେ। ରାଜନୀତିରେ ମଧ୍ୟ ସେ ଶୃଙ୍ଖଳା ଓ ନୀତିକୁ ଗୁରୁତ୍ୱ ଦେବେ। ଏବେ ସେ ବିଜେପିରେ ଜଣେ କର୍ମୀଭାବେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ ଯେଉଁ ସମୟରେ ଯେଉଁ ଦାୟିତ୍ୱ ଦେବ ସେ ତାହା ନିର୍ବାହ କରିବେ। ବିଜେପିରେ ଯୋଗ ଦେବା ପଛରେ ଅନେକ ବ୍ୟକ୍ତିଙ୍କ ଅବଦାନ ରହିଛି। ସେମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା, ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖଙ୍କ ନିକଟରେ ମୁଁ କୃତଜ୍ଞ ବୋଲି କହିଛନ୍ତି ଅପରାଜିତା।

Leave A Reply