ବିଜେପିରେ ମିଶିଲେ ଅପରାଜିତା

0

ନୂଆଦିଲ୍ଳୀ: ନିକଟରେ ସ୍ୱେଚ୍ଛାକୃତ ଅବସର ନେଇଥିବା ଓଡ଼ିଶା କ୍ୟାଡର ଆଇଏଏସ୍‍ ଅଫିସର ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ପୂର୍ବାହ୍ନ ୯.୩୦ରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିର ବିଚାର ଧାରା, ଦୃଢ଼ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ପ୍ରତି ଅଙ୍ଗୀକାରବଦ୍ଧତାରେ ଉଦ୍‍ବୁଦ୍ଧ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ଅପରାଜିତା କହିଛନ୍ତି। ଦିଲ୍ଳୀରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ହୋଇଥିବା ଏହି ମିଳନ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଓ ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।
ଜଣେ ଦକ୍ଷ ଓ ସଚ୍ଚୋଟ ଆଇଏଏସ୍‍ ଅଫିସର ରୂପେ ଜଣାଶୁଣା ଅପରାଜିତା ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ପରେ ତାଙ୍କର ରାଜନୀତିରେ ମିଶିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ସେ ବିଜେଡି କିମ୍ବା ବିଜେପିରେ ମିଶିବେ ତାହା ସ୍ପଷ୍ଟ କରିନଥିଲେ। ତେଣୁ ତାଙ୍କୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସେ ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି।
ଜିଲାପାଳ, ବିଏମ୍‍ସି କମିଶନର ଓ ସଚିବ ଭାବେ ଜଣେ ଦକ୍ଷ, ନିର୍ଭୀକ ଓ ସଂସ୍କାରବାଦୀ ଅଧିକାରୀଭାବେ ଅପରାଜିତ ବେଶ ଜଣାଣୁଣା। ବିଶେଷକରି ବିଏମ୍‍ସି କମିଶନର ଥିବା ବେଳେ ଅପରାଜିତାଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ସେ ବିଭିନ୍ନ ମହଲରେ ପ୍ରଶଂସାଭାଜନ ହୋଇପାରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶାରୁ କେନ୍ଦ୍ରୀୟ ଡେପୁଟେସନ୍‍କୁ ଯାଇଥିଲେ। ଡେପୁଟେସନ୍‍ ଅବଧି ସମାପ୍ତ ହେବା ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ। ଆସନ୍ତା କାଲି ସେ ଓଡ଼ିଶା ଫେରୁଥିବା ସୂଚନା ମିଳିଛି।

ସଂକ୍ଷେପରେ ଅପରାଜିତା

୧୯୯୪ ବ୍ୟାଚ୍‍ର ଓଡ଼ିଶା କ୍ୟାଡରର ବିହାର ଜନ୍ମିତ ଆଇଏଏସ୍‍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲାପାଳ ଭାବେ ଓଡ଼ିଶାର ପ୍ରଶାସନିକ ସେବାରେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ୨୦୦୬ ରୁ ୨୦୦୯ ମଧ୍ୟରେ ସେ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ସମୟରେ ସେ ଅନେକ ସଂସ୍କାରମୂଳକ କାର୍ଯ୍ୟ କରି ଭୁବନେଶ୍ୱର ମହାନଗର ନିଗମ ବାସିନ୍ଦାଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ। ବିଶେଷକରି ଉଠାଦୋକାନୀଙ୍କ ପାଇଁ ଭେଣ୍ଡିଂଜୋନ୍‍ ବ୍ୟବସ୍ଥା, ସହରର ସୌନ୍ଦର୍ଯ୍ୟକରଣ, ଦୃଢ଼ହସ୍ତରେ ଜବରଦଖଲ ଉଚ୍ଛେଦ ଆଦି ପାଇଁ ସେ ଭୁବନେଶ୍ୱରବାସୀଙ୍କ ପାଇଁ ସ୍ମରଣୀୟ ରହିଛନ୍ତି। ଏତଦ୍‍ବ୍ୟତୀତ ପଞ୍ଚାୟତି ରାଜ, ଉଚ୍ଚଶିକ୍ଷା, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଭାବେ ମଧ୍ୟ ଅନେକ ସଂସ୍କାରମୂଳକ ପଦକ୍ଷେପ ଓ ନିଷ୍ପତ୍ତି ନେଇଥିଲେ। ସ୍କୁଲ୍‍ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ୟୁନିଫର୍ମ ନିୟମ ଆଣି ସେ ଅଭିଭାବକଙ୍କ ପ୍ରଂଶସା ସାଉଁଟିଥିଲେ। ଓଡ଼ିଶା ହସ୍ତତନ୍ତ ଓ ବୟନ ଶିଳ୍ପର ବିକାଶ ଓ ପ୍ରଚାର ପ୍ରସାର ପାଇଁ ବହୁବିଧ ପଦକ୍ଷେପ ନେଇଥିଲେ। ୨୦୧୩ରେ ସେ କେନ୍ଦ୍ରୀୟ ଡେପୁଟେସନ୍‍ରେ ଯାଇ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଯୁଗ୍ମ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଗତ ଅଗଷ୍ଟ ମାସରେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ୍‍ ଅବଧି ସରି ଆସୁଥିବା ବେଳେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ। ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ସ୍ୱୀକୃତି ଦେବା ପରେ ଗତ ୧୫ ତାରିଖରେ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ।

ରାଜନୀତି ରଣନୀତି

ବିଜେପିରେ ଯୋଗ ଦେବା ପରେ ଅପରାଜିତାଙ୍କୁ ନେଇ ରାଜନୀତି ମହଲରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ବିଏମ୍‍ସି କମିଶନର ରୂପେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ଭୁବନେଶ୍ୱରବାସୀଙ୍କ ପାଇଁ ସ୍ମରଣୀୟ ଥିବାରୁ ତାଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଛି। ଅନ୍ୟ ମତରେ ତାଙ୍କୁ ବିଜେପି ଏକ ବଡ଼ ଦାୟିତ୍ୱ ଦେଇପାରେ। ଜଣେ ମହିଳା ଭାବେ ସେ ଅନେକ ସଂସ୍କାରମୂଳକ, ଦକ୍ଷ ଓ ନିର୍ଭୀକ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ନେଇ ବିଜେପି ମହିଳା କାର୍ଡ ଖେଳିପାରେ ବୋଲି ମଧ୍ୟ କେହି କେହି କହୁଛନ୍ତି। ପୁଣି ଅନ୍ୟ ଏକ ମହଲର ମତ ହେଲା ଓଡ଼ିଶାର ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିପାରେ।

ପ୍ରତିକ୍ରିୟା

ବିଜେପିରେ ଅପରାଜିତାଙ୍କ ଯୋଗଦାନ ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ମିଳିଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ଦଳ ସବୁବେଳେ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ଗ୍ରହଣ କରିଥାଏ। ଅପରାଜିତାଙ୍କ ପରି ମହୀୟସୀ ମହିଳା ବିଜେପିରେ ଯୋଗ ଦେଇଥିବାରୁ ଦଳ ଅଧିକ ବଳିଷ୍ଠ ହୋଇପାରିବ। ଅପରପକ୍ଷରେ ଅପରାଜିତାଙ୍କ ବିଜେପିରେ ଯୋଗଦାନ ଓଡ଼ିଶା ରାଜନୀତିରେ ସେଭଳି କିଛି ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି କଂଗ୍ରେସ ନେତା ଶରତ ରାଉତ କହିଛନ୍ତି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ଅପରାଜିତା ବିଜେପିରେ ଯୋଗ ଦେବା ତାଙ୍କ ଇଚ୍ଛାଧୀନ। ସେ ଓଡ଼ିଶା ପାଇଁ କଣ କରିପାରିବେ ତାହା ଭବିଷ୍ୟତରେ ସ୍ପଷ୍ଟ କରିବେ ବୋଲି କହିଛନ୍ତି। ତେଣୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସେହିପରି ଟ୍ୱିଟ୍‍ କରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ ଅପରାଜିତାଙ୍କ ଅବସର ଘୋଷଣା ଦେଶର ପ୍ରଶାସନିକ ସେବା ପାଇଁ କ୍ଷତି। ତାଙ୍କ ଭଳି ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ବିଜେପିରେ ଯୋଗଦାନ କରିବା ଦେଶର ରାଜନୀତି ପାଇଁ ଶୁଭଙ୍କର।

Leave A Reply