ବେକାରୀ ଭତ୍ତା ଦେବେ ଚନ୍ଦ୍ରବାବୁ

0

ଅମରାବତି : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍. ଚନ୍ଦ୍ରବାବୁ ନାଇଡୁ ଆସନ୍ତା କାଲି, ମଙ୍ଗଳବାରଠାରୁ ରାଜ୍ୟର ବେକାର ଯୁବକଯୁବତୀ ମାସିକ ଭତ୍ତା ପାଇବେ ବୋଲି ଘୋଷଣା କରିଛନ୍ତି। ଏହି ଅନୁସାରେ ରାଜ୍ୟର ୨ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ବେକାର ଭତ୍ତା ଆକାରରେ ମାସିକ ୧୦୦୦ଟଙ୍କା ମିଳିବ। ବୁଧବାର ‘ମୁଖ୍ୟମନ୍ତ୍ରୀ ଯୁବ ନେସ୍ତମ୍‍’ ଯୋଜନା ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଭତ୍ତା ଓ ପ୍ରମାଣପତ୍ର ବଣ୍ଟନ କରିବେ। ଏକ ସ୍ୱତନ୍ତ୍ର ପୋର୍ଟାଲରେ ଯୋଗ୍ୟତା ଭିତ୍ତିରେ ହିତାଧିକାରୀଙ୍କ ନାମ ପଞ୍ଜିକୃତ ହୋଇଛି। ଲୋକାର୍ପଣ ଉତ୍ସବରେ ୧୩ ଜିଲାର ୪୦୦ଯୁବକ ଯୁବତୀ ଉପସ୍ଥିତ ରହିବେ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ବାର୍ତ୍ତାଳାପ କରିବେ। ଏହାଛଡ଼ା ରାଜ୍ୟର ୧୭୫ ନିର୍ବାଚନ ମଣ୍ଡଳୀରେ ବିଧାୟକମାନେ ଏହି କାର୍ଯ୍ୟକ୍ରମ ଜାରି ରଖିବେ। ୨୦୧୪ ବିଧାନସଭା ନିର୍ବାଚନ ସମୟରେ ଚନ୍ଦ୍ରବାବୁଙ୍କ ଦଳ ତେଲୁଗୁଦେଶମଊ୍‍ ପାର୍ଟି(ଟିଡିପି) ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲା। ଏ ବାବଦରେ ସରକାର ପ୍ରାଥମିକ ଅବସ୍ଥାରେ ବାର୍ଷିକ ୧୨ଶହ କୋଟି ଖର୍ଚ୍ଚ ଅଟକଳ ରଖିଛନ୍ତି ଓ ୧୨ଲକ୍ଷ ଯୁବକ ଯୁବତୀ ଏଥିରେ ଉପକୃତ ହେବେ ବୋଲି ଆକଳନ କରାଯାଇଛି। ଏହି ଟଙ୍କା ପ୍ରତିମାସରେ ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ସିଧାସଳଖ ଜମା ହେବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି; ଏହି ଟଙ୍କା ସେମାନଙ୍କ ହାତଖର୍ଚ୍ଚ ପାଇଁ ନୁହେଁ; ବରଂ ଦକ୍ଷତା ବିକାଶ ପାଇଁ ଅଭିପ୍ରେତ ହେବ। ଏଥିପାଇଁ ସରକାର କେତୋଟି ଘରୋଇ କମ୍ପାନୀ ସହିତ ବୁଝାବଣା କରିଛନ୍ତି; ଯେଉଁଠାରେ ସେମାନଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରାଯିବ।

Leave A Reply