‘ହାଲ୍‍’ କର୍ମଚାରୀଙ୍କ ସହ ଆଲୋଚନା କଲେ ରାହୁଲ

0

ବେଙ୍ଗାଲୁରୁ : ରାଫେଲ ଦୁର୍ନୀତି ପ୍ରସଙ୍ଗକୁ ଭାରତର ରାଷ୍ଟ୍ରୀୟ ଯୁଦ୍ଧବିମାନ ନିର୍ମାତା ହିନ୍ଦୁସ୍ତାନ ଏରୋନଟିକସ୍‍ ଲିମିଟେଡ (ହାଲ) କର୍ମଚାରୀଙ୍କ ନିକଟରେ ପହଞ୍ଚାଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ହାଲ୍‍ରେ ରାଫେଲ ଯୁଦ୍ଧବିମାନ ନିର୍ମାଣ ହୋଇଥିଲେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଆନ୍ତା; କିନ୍ତୁ କେନ୍ଦ୍ର ସରକାରଙ୍କ ଯୋଗୁଁ ବହୁ ଯୁବକଯୁବତୀ ଏଥିରୁ ବଞ୍ଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ହାଲ୍‍ରେ ବହୁ ନିଯୁକ୍ତି ସୁଯୋଗ ଛଡ଼ାେଇ ନେଇଛନ୍ତି। ଏମିତି କି ହାଲ୍‍ କର୍ମଚାରୀ ମଧ୍ୟ ଉପକୃତ ହୋଇପାରି ନାହାନ୍ତି ବୋଲି ରାହୁଲ ଆରୋପ ଲଗାଇଛନ୍ତି। ଶନିବାର ରାହୁଲ ହାଲ୍‍ ପରିସର ବାହାରେ ବହୁ ସଂଖ୍ୟକ ବର୍ତ୍ତମାନର ଓ ପୂର୍ବତନ କର୍ମଚାରୀଙ୍କୁ ଭେଟି ଏହି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଭାବେ ଏହି କର୍ମଚାରୀଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରିବେ ବୋଲି ମଧ୍ୟ ସେ କହିଛନ୍ତି। ହାଲ୍‍ରେ ରାଫେଲ ଯୁଦ୍ଧବିମାନ ନିର୍ମାଣ ହେବାର ପ୍ରସ୍ତାବ ରହିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନିଲ ଅମ୍ବାନିଙ୍କୁ ଅନୁଗ୍ରହ କରିବା ପୂର୍ବକ ରାଫେଲ ନିର୍ମାତା ଡାସଲ୍ଟ କମ୍ପାନୀ ସହିତ ଅନିଲଙ୍କ ରିଲାଏନ୍ସ ଡିଫେନ୍ସର ବୁଝାମଣା ପାଇଁ ଚାପ ପକାଇଥିଲେ ଓ ଏହା ଦ୍ୱାରା ଅନିଲଙ୍କୁ ୩୦ହଜାର କୋଟି ଟଙ୍କାର ଫାଇଦା ଦିଆଇଥିଲେ ବୋଲି ରାହୁଲ ସେମାନଙ୍କୁ କହିଛନ୍ତି।
ହାଲ୍‍ କର୍ମଚାରୀଙ୍କ ସହ ଆଲୋଚନାବେଳେ ରାହୁଲ କହିଛନ୍ତି ଯେ ‘ହାଲ୍‍ ଏକ ସାଧାରଣ ଶିଳ୍ପ ସଂସ୍ଥା ନୁହେଁ। ଦେଶ ସ୍ୱାଧୀନ ହେବା ପରେ ଦେଶର ବାୟୁସୀମା ସୁରକ୍ଷା ପାଇଁ ଯୋଜନାବଦ୍ଧ ଭାବେ ଏହାର ସ୍ଥାପନ କରାଯାଇଥିଲା। ଦେଶର ସୁରକ୍ଷା ଦିଗରେ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଅବଦାନ ବେଶ୍‍ ଅଧିକ ଓ ସେମାନଙ୍କ ନିକଟରେ ଦେଶ ଋଣୀ। ଏହି ଶିଳ୍ପ ସଂସ୍ଥାର କର୍ମଚାରୀମାନଙ୍କଠାରୁ ସେମାନେ ଓ ସେମାନଙ୍କ ସଂସ୍ଥା ଦେଶ ପ୍ରତି ଅଧିକ କ’ଣ କରିପାରିବେ ତାହା ଶୁଣିବା ପାଇଁ ମୁଁ ଆସିଛି। ତା’ଛଡ଼ା ସେମାନେ କେଉଁଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ମଧ୍ୟ ଜାଣିବାକୁ ମୋର ଆଗ୍ରହ ରହିଛି’ ବୋଲି ରାହୁଲ କହିଛନ୍ତି। ଏଥିସହିତ ଦେଶରକ୍ଷାକାରୀଙ୍କ ସମ୍ମାନ ରକ୍ଷା ତାଙ୍କର ପ୍ରଧାନ କର୍ତ୍ତବ୍ୟ ଓ ହାଲ୍‍ର ଗୁରୁତ୍ୱ ହ୍ରାସକୁ ବରଦାସ୍ତ କରାଯାଇ ନପାରେ ବୋଲି ରାହୁଲ କହିଛନ୍ତି। ତାଙ୍କର ଏହି ପଦକ୍ଷେପକୁ ହାଲ୍‍ର ସମସ୍ତ କର୍ମଚାରୀ ସମର୍ଥନ କରିବା ପାଇଁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି। ବେଙ୍ଗାଲୁରୁ ଗସ୍ତ ସମୟରେ ରାହୁଲ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି।
ରାହୁଲ କହିଛନ୍ତି ଯେ ରାଫେଲ ଯୁଦ୍ଧବିମାନ ତିଆରି କରିବା ହାଲ୍‍ର ଅଧିକାର। ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ଉଦ୍ୟୋଗ ହାଲ୍‍କୁ ଏହି ଅଧିକାରରୁ ବଞ୍ଚିତ କରାଯାଇଛି। ହାଲ୍‍କୁ ଏହି ଅଧିକାରରୁ ବଞ୍ଚିତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମାପ୍ରାର୍ଥନା କରନ୍ତୁ। ଡାସଲ୍ଟ ଆଭିଏସନ ସହିତ ମିଶି ହାଲ୍‍ ଭାରତରେ ଯୁଦ୍ଧବିମାନ ନିର୍ମାଣ କରିବାର ଦକ୍ଷତା ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଥିବା ମନ୍ତବ୍ୟକୁ ରାହୁଲ ସମାଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ହାଲ୍‍ କର୍ମଚାରୀଙ୍କ ପ୍ରତି ଏକ ଅପମାନ ରାହୁଲ କହିଛନ୍ତି।

Leave A Reply