ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ

0

ୱାଶିଂଟନ : ଆମେରିକା ପାର୍ଲାମେଣ୍ଟ (କଂଗ୍ରେସ)ର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ମଙ୍ଗଳବାରରୁ ମତଦାନ ଆରମ୍ଭ ହୋଇଛି। ଦେଶର ପୂର୍ବାଞ୍ଚଳ ରାଜ୍ୟ ନ୍ୟୁ ହାମ୍ପସାୟାର, ନ୍ୟୁ ଜର୍ସି, ନ୍ୟୁ ୟର୍କ ଓ ଭର୍ଜିନିଆରେ ସକାଳ ୬ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ମତଦାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ। ଏହି ନିର୍ବାଚନରେ ଆମେରିକାବାସୀ ପାର୍ଲାମେଣ୍ଟର ପ୍ରତିନିଧି ସଭା (ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‍)ର ସମସ୍ତ ୪୩୫ ସଦସ୍ୟଙ୍କୁ ବାଛିବେ। ସେହିପରି ସିନେଟର ୧୦୦ ସଦସ୍ୟଙ୍କ ମଧ୍ୟରୁ ୩୫ ଜଣ ସଦସ୍ୟଙ୍କୁ ବାଛିବେ। ଏହା ସହିତ ୩୬ଟି ଗଭର୍ଣ୍ଣର ପଦ ଓ ସମସ୍ତ ରାଜ୍ୟ ବିଧାନସଭାର ସଦସ୍ୟଙ୍କୁ ମନୋନୟନ କରିବେ। ତେଣୁ ନିଜର ସଂଖ୍ୟା ଗରିଷ୍ଠତା ବଜାୟ ରଖିବା ପାଇଁ ଟ୍ରମ୍ପ ଜୋରଦାର ପ୍ରଚାର ଚଳାଇଛନ୍ତି। ଟ୍ରମ୍ପଙ୍କ ଶାସନରେ ଦେଶବାସୀ କେତେ ପ୍ରଭାବିତ ତାହା ଏହି ନିର୍ବାଚନରୁ ସ୍ପଷ୍ଟ ହେବ।
ଆମେରିକା ପାର୍ଲାମେଣ୍ଟର ଉଭୟ ଗୃହରେ ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ସଂଖ୍ୟାଗରିଷ୍ଠତା ରହିଛି। ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‍ରେ ରିପବ୍ଲିକାନ ପାର୍ଟିର ୨୩୫ ସଦସ୍ୟ ରହିଥିବାବେଳେ ବିରୋଧୀ ଡେମୋକ୍ରାଟର ୧୯୩ ସଦସ୍ୟ ଅଛନ୍ତି। ଅନ୍ୟ ୭ଟି ଆସନ ଖାଲି ରହିଛି। ସେହିପରି ସିନେଟ୍‍ରେ ରିପବ୍ଲିକାନ ପାର୍ଟିରୁ ୫୧ ସଦସ୍ୟ ଥିବାବେଳେ ଡେମୋକ୍ରାଟ୍‍ର ୪୭ ଓ ୨ଜଣ ସ୍ୱାଧୀନ ସଦସ୍ୟ ଅଛନ୍ତି। ହାଉସ୍‍ ଅଫ ରିପ୍ରେଜେଣ୍ଟେଟିଭ୍‍ର ସଦସ୍ୟମାନେ ୨ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି ଓ ସିନେଟ୍‍ର ସଦସ୍ୟମାନେ ୬ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି। ତେବେ ଭାରତୀୟ ସଂସଦର ବ୍ୟବସ୍ଥା ଭଳି ପ୍ରତି ଦୁଇବର୍ଷରେ ସିନେଟ୍‍ ଏକ ତୃତୀୟାଂଶ ସଦସ୍ୟ ଅବସର ନେଇଥାନ୍ତି ଓ ତାଙ୍କ ସ୍ଥାନରେ ନିର୍ବାଚନ ହୋଇଥାଏ।

Leave A Reply