ଆପକୁ ଝଟକା: ଆଶୁତୋଷଙ୍କ ପରେ ଆଶିଷ ଖୈତାନଙ୍କ ଇସ୍ତଫା

0

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି ଦଳୀୟ କନ୍ଦଳରେ ଛନ୍ଦି ପଡ଼ିଛି। ଦଳର ପ୍ରମୁଖ ନେତା ଆଶିଷ ଖୈତାନ ଔପଚାରିକ ଭାବେ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି। ଆପ ନେତା ଆଶିଷ ୨୦୧୪ସାଧାରଣ ନିର୍ବାଚନରେ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢିଥିଲେ। ଏପରିକି ଦିଲ୍ଲୀ ଡାଇଲଗ କମିଶନର ଉପାଧ୍ୟ ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ। ଦୀର୍ଘ ସମୟ ଧରି ଆଶିଷ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଥିଲେ। ତେବେ ଆଜି ଏକ ଟ୍ୱିଟ୍‍ କରି ସେ ଔପଚାରିକଭାବେ ଦଳରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି। ସେ ବୃତ୍ତିଗତଭାବେ ଆଇନଜୀବୀଭାବେ କାର୍ଯ୍ୟନିର୍ବାହ କରିବାକୁ ରାଜନୀତିରୁ ସନ୍ୟାସ ନେଇଛନ୍ତି ବୋଲି ଟ୍ୱିଟ୍‍ରେ ଉଲ୍ଲେଖ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଶିଷ ଦ୍ୱିତୀୟ ଥର ପାଇଁ ଲୋକସଭା ନିର୍ବାଚନରେ ଓହ୍ଲାଇବାକୁ ଆଗ୍ରହୀ ଥିଲେ। ତେବେ ଦଳ ଆଶିଷଙ୍କୁ ଏହି ସୁଯୋଗରୁ ବଞ୍ଚିତ କରିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି। ଅପରପକ୍ଷରେ ଦଳ ପକ୍ଷରୁ ବିଶେଷଜ୍ଞଙ୍କ ଏଭଳି ଯୁକ୍ତିକୁ ଖଣ୍ଡନ କରାଯାଇଛି। ନୂଆଦିଲ୍ଲୀରେ ଆପର ଏକାଧିକ ଆସନ ଖାଲି ପଡ଼ିଥିବାବେଳେ ଆଶିଷ ନିଜସ୍ୱ କାରଣ ପାଇଁ ଦଳରୁ ଇସ୍ତଫା ଦେଇଥିବା ସୂଚନା ଦିଆଯାଇଛି।
ଆପ ଦଳରେ ନେତାଙ୍କ ଇସ୍ତଫା ନିକଟ ଦିନରେ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି। ଦଳୀୟ ନେତାଙ୍କୁ ଉପେକ୍ଷା କରାଯିବା କାରଣରୁ ପଞ୍ଜାବଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ନେତାଙ୍କ ଇସ୍ତଫା ଲାଗି ରହିଛି।

Leave A Reply