ଦରମା ମାଗିବାରୁ ଶ୍ରମିକଙ୍କ ଉପରକୁ ଏସିଡ୍ ଫିଙ୍ଗିଲେ ମାଲିକ

0

ସୁନ୍ଦରଗଡ଼ : ଖଣିଖାଦାନରେ ଭରପୁର ସୁନ୍ଦରଗଡ଼ ଜିଲା ରାଜ୍ୟର ଅନ୍ୟ ଏକ ପ୍ରାଦୁର୍ଯ୍ୟ ଭରା ଜିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଏଠାକାର ଅଧିବାସୀ ନିଜ ପେଟପାଟଣା ପାଇଁ ଘର ଭିଟାମାଟି ଛାଡ଼ି ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଉଦବେଗର ବିଷୟ ହୋଇପଡ଼ିଥିବା ବେଳେ ହକ୍ କାମ କରି ଇଟା ଭାଟି ମାଲିକଙ୍କୁ ନିଜ ପାଉଣା ମାଗିବା ବେଳେ ଇଟାଭାଟି ମାଲିକ ଏମାନଙ୍କ ଉପରେ ବର୍ବରଚିତ ଆକ୍ରମଣ କରି ଏସିଡ଼ ମାଡ଼ କରିବା ଓ ଆଙ୍ଗୁଳି କାଟିବା ଘଟଣା ସମଗ୍ର ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଏ ଘଟଣା ଜଣାପଡ଼ିବା ପରେ ହେମଗିର ବ୍ଲକ କନିକା ପଞ୍ଚାୟତର ବୁରତା ଗ୍ରାମରେ ପୁଲିସ, ପ୍ରଶାସନିକ ଓ ଶ୍ରମ ବିଭାଗ ଅଧିକାରୀ ତତ୍ପରତା ଦେଖାଇ ଆହତ ଦାଦନଙ୍କ ଚିକିତ୍ସା ବ୍ୟବସ୍ଥା କରିବା ସହ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଅପରପକ୍ଷରେ ଜିଲାପାଳ ସୁରେନ୍ଦ୍ର କୁମାର ମୀନା ଓ ସୁନ୍ଦରଗଡ଼ ଏସ.ପି ସୌମ୍ୟା ମିଶ୍ରା ପ୍ରମୁଖ ନିଜ ନିଜ ସ୍ତରରେ ଦାଦନ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ମିଳିଥିବା ସୂତ୍ରରୁ ପ୍ରକାଶ, ହେମଗିର ବ୍ଲକ କନିକା ପଞ୍ଚାୟତର ବୁରତା ଗ୍ରାମରୁ ଦାଦନ ଖଟିବା ପାଇଁ ଗତ ଅକ୍ଟୋବର ମାସରେ ୧୨ଜଣ ଶ୍ରମିକ ସୂଦୁର ଆନ୍ଦ୍ରପ୍ରଦେଶର ବିଜୟନଗରମରେ ଥିବା ଇଟାଭାଟିକୁ ଯାଇଥିଲେ। ସେଠାରେ କାର୍ଯ୍ୟ କରିବା ପରେ ସେମାନେ କୁଆଡ଼େ ଇଟାଭାଟି ମାଲିକଙ୍କୁ ପାଉଣା ମାଗିବାରୁ ଇଟାଭାଟି ମାଲିକ ସେମାନଙ୍କୁ ମାଡ଼ ମାରିବା ସହ ଏସିଡ଼ ପକାଇ ଦେଇଥିଲେ ଫଳରେ ଜୟଦେବ ଚାନ୍ଦନିଆ ଏସିଡ଼ ମାଡ଼ରେ ଆହତ ହୋଇଥିବା ବେଳେ ଅନ୍ୟ ୫ଜଣ କୌଣସି ମତେ ଲୁଚିଛପି ହେମଗିର ପହଞ୍ଚି ଯାଇଥିଲେ। ଅନ୍ୟ ୭ଜଣକୁ ଇଟାଭାଟି ମାଲିକ ଅଟକ ରଖି ସେମାନଙ୍କ ହାତ ଆଙ୍ଗୁଳି କାଟି ଦେଇଥିବାର ଅଭିଯୋଗ ହୋଇଛି। ଚାଲି ଆସିଥିବା ଶ୍ରମିକମାନେ ହେମଗିର ଥାନାରେ ଜଣାଇବାରୁ ପୁଲିସ, ପ୍ରଶାସନ ଓ ଶ୍ରମ ବିଭାଗ ହଠାତ ତତ୍ପରତା ଦେଖାଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଶ୍ରମ ଅଧିକାରୀ ପ୍ରଣବ କୁମାର ପାତ୍ର ଅନୁସନ୍ଧାନ ଆରମ୍ଭ କରିବା ସହ ସହକାରୀ ଶ୍ରମ ଅଧିକାରୀ ରବିନ୍ଦ୍ରନାଥ ବାର୍ଲା, ଶ୍ରମ ନିରୀକ୍ଷକ ଗୌରହରି ତାଣ୍ଡି ଓ ହେମଗିର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ଦାଦନ ଶ୍ରମିକଙ୍କ ଘରେ ପହଞ୍ଚି ଇଟାଭାଟି ମାଲିକ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରୁଥିବାର ଜଣାପଡ଼ିଛି। ଅପରପକ୍ଷରେ ଦାଦନ ଯାଇଥିବା ୧୨ଜଣ ଶ୍ରମିକଙ୍କ କୌଣସି ରେକର୍ଡ଼ ଜିଲା ଶ୍ରମ ବିଭାଗ ପାଖରେ ନଥିବା ବେଳେ ଏମାନଙ୍କୁ କିଏ ଓ କିପରି ବିଜୟନଗରମ ନେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।

ସୂଚନା ଯୋଗ୍ୟ, ୫ଜଣରୁ ଅଧିକା ଶ୍ରମିକ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଲେ ଆନ୍ତଃରାଜ୍ୟ ପ୍ରବାସି ଶ୍ରମିକ ନିଯୁକ୍ତି ନିୟନ୍ତ୍ରଣ ଆଇନ ୧୯୭୯(ସେବାସର୍ତ୍ତ) ଅନୁସାରେ ଜିଲା ଶ୍ରମ ବିଭାଗରେ ପଞ୍ଜିକୃତ କରାଇ ଆବଶ୍ୟକୀୟ ଅନୁମତି ନେବାକୁ ହୋଇଥିବା ବେଳେ ଏ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଉଲଘଂନ ହୋଇଛି ବୋଲି ଜିଲା ଶ୍ରମ ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେବା ସହ ଏଥିରେ ସଂପୃକ୍ତ ଦଲାଲ ବା ଠିକା ସଂସ୍ଥାକୁ ଠାବ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। କେବଳ ହେମଗିର ନୁହେଁ ଜିଲାର ସବଡ଼େଗା, ବାଲିଶଙ୍କରା, ଲେଫ୍ରିପଡ଼ା, କୁତ୍ରା, ସଦର ବ୍ଲକରୁ ଶହ ଶହ ଶ୍ରମିକ ଦଲାଲ ଓ ଠିକା ସଂସ୍ଥା ଜରିଆରେ ଚାଲାଣ ହେଉଥିବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଜିଲା ପ୍ରଶାସନ ଏହାକୁ ଏତେଟା ଗୁରୁତ୍ୱ ନ ଦେଇ ଉପରଠାଉରିଆ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ଏ ପ୍ରକ୍ରିୟା ଦଲାଲ ଓ ଠିକା ସଂସ୍ଥାକୁ ପ୍ରୋତ୍ସାହିତ କରୁଛି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ବୁଧବାର ବୁରତା ଗ୍ରାମରୁ ଆହତ ଦାଦନ ଶ୍ରମିକଙ୍କୁ ସୁନ୍ଦରଗଡ଼ ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବାର ଜଣାପଡ଼ିଛି।

Leave A Reply